ଦୁବାଇରେ ହିନ୍ଦୁ ମନ୍ଦିର, ଦଶହରାରେ ହେବ ଉଦଘାଟନ
ଦୁବାଇରେ ନିର୍ମାଣ ହୋଇଥିବା ନୂଆ ହିନ୍ଦୁ ମନ୍ଦିରର ଉଦଘାଟନ ନେଇ ଖବର ମିଳିଛି । ଦୁବାଇରେ ନିର୍ମାଣ ହୋଇଥିବା ହିନ୍ଦୁ ମନ୍ଦିର ଆସନ୍ତାକାଲିର ଶୁଭ ମୁହୂର୍ତ୍ତରରେ ଉଦଘାଟନ କରାଯିବ ।
ଦୁବାଇ: ଆସନ୍ତାକାଲି ପବିତ୍ର ଦଶହରା । ଏନେଇ ସାରା ଦେଶରେ ବଡ ଧୁମଧାମରେ ଚାରିଆଡେ ଜମିଛି ଦୁର୍ଗତିନାଶିନୀ ମାଆ ଦୁର୍ଗାଙ୍କ ପୂଜା । ଭିନ୍ନ ଭିନ୍ନ ଥିମରେ ପ୍ରସ୍ତୁତ ହୋଇଛି ପୂଜା ପଣ୍ଡାଲ । ଏହି ଅବସରରେ ଦୁବାଇରେ ନିର୍ମାଣ ହୋଇଥିବା ନୂଆ ହିନ୍ଦୁ ମନ୍ଦିରର ଉଦଘାଟନ ନେଇ ଖବର ମିଳିଛି । ଏହି ନବ ନିର୍ମିତ ହିନ୍ଦୁ ମନ୍ଦିର ଆସନ୍ତାକାଲିର ଶୁଭ ମୁହୂର୍ତ୍ତରରେ ଉଦଘାଟନ କରାଯିବ । ପ୍ରତିଟି ହିନ୍ଦୁଙ୍କର ସ୍ବପ୍ନ ଅନେକ ଦିନ ପରେ ସତ ହେବାକୁ ଯାଉଛି । ଦୁବାଇରେ ରହୁଥିବା ହିନ୍ଦୁମାନେ ଏହି ମନ୍ଦିର ଦର୍ଶନ ନେଇ ଖୁବ ଉତ୍ସାହିତ ଥିବା ଦେଖାଯାଇଛି ।

ସୂଚନା ଅନୁସାରେ, ଦୁବାଇ ସହରର ଜିବେଲ ଅଲ୍ଲୀରେ ସିନ୍ଧି ଗୁରୁ ଦରବାର ମନ୍ଦିର ନିର୍ମାଣ କରାଯାଇଛି । ତେବେ ସ୍ଥାନୀୟ ଗଣମାଧ୍ୟମ ଅନୁସାରେ ଏହି ମନ୍ଦିର ସମ୍ପୂର୍ଣ୍ଣ ନୂଆ ନୁହେଁ ବରଂ ପୁରୁଣା ମନ୍ଦିରର ଏକ ବିକଶିତ ତଥା ପରିବର୍ଦ୍ଧିତ ଢାଞ୍ଚା । ମାର୍ବଲରେ ଏହି ମନ୍ଦିରର ନିର୍ମାଣ କରାଯାଇଥିବା ବେଳେ ଭିନ୍ନ ଭିନ୍ନ କଳାର ଛାପ ରହିଛି । ମନ୍ଦିର ବିଷୟରେ ପ୍ରାର୍ଥନା ହଲରେ ଥ୍ରୀ ଡି ଶୋ' ମାଧ୍ୟମରେ ଶ୍ରଦ୍ଧାଳୁଙ୍କୁ ଦେଖାଯିବାର ବ୍ୟବସ୍ଥା କରାଯାଇଛି । ମନ୍ଦିରର ପିଲାର୍ ରେ ହିନ୍ଦୁ ଏବଂ ଆରବିକ କଳା ରହିଛି ।
ପ୍ରଥମେ 2020 ଫେବୃଆରୀରେ ଏହି ମନ୍ଦିର ନିର୍ମାଣର ଭିତ୍ତିପ୍ରସ୍ତର ହୋଇଥିଲା । ଏହାପରେ ମନ୍ଦିର କାର୍ଯ୍ୟ ସମାପ୍ତ ଚଳିତ ବର୍ଷ ହୋଇଛି । ଏହି ମନ୍ଦିରରେ ସମସ୍ତ ଧର୍ମର ବ୍ୟକ୍ତିବିଶେଷ ମନ୍ଦିରରେ ପ୍ରବେଶ କରିବା ସହ କାରୁକାର୍ଯ୍ୟ ଓ ଭାସ୍କର୍ଯ୍ୟ କଳାକୁ ଅନୁଭବ କରିବାର ସୁଯୋଗ ପାଇବା ନେଇ ସୂଚନା ମିଳିଛି । ଆସନ୍ତାକାଲି ଠାରୁ ହିଁ ସାଧାରଣ ଲୋକ ମନ୍ଦିରକୁ ପ୍ରବେଶ କରି ପାରିବେ ।
ୱେବସାଇଟରେ କ୍ୟୁଆର କୋଡରେ ସ୍କାନ କରି ମନ୍ଦିରକୁ ପ୍ରବେଶ କରି ପାରିବେ । ପ୍ରାର୍ଥନା ହଲ୍ ରେ ଅନେକ ମୂର୍ତ୍ତି ସ୍ଥାପନ କରାଯାଇଛି । ମନ୍ଦିର ପ୍ରଶାସନ କହିବା ଅନୁସାରେ, ମନ୍ଦିର ସକାଳ 6.30ରୁ ସଂଧ୍ୟା 8ଟା ପର୍ଯ୍ୟନ୍ତ ଖୋଲା ରହିବ । ପ୍ରତ୍ୟେକ ଦିନ ଏକ ହଜାରରୁ 12 ଶହ ଶ୍ରଦ୍ଧାଳୁ ମନ୍ଦିର ଦର୍ଶନ କରିବା ନେଇ ଅନୁମତି ମିଳିବ ।












Click it and Unblock the Notifications