ବ୍ରିଟିସ ଜାହାଜ ଉପରେ ଆକ୍ରମଣ
ଲୋହିତ ସାଗରରେ ଥିବା ଏକ ବ୍ରିଟିସ ଜାହାଜକୁ ୟେମେନ ଉପକୂଳରେ କିଛି ସଶସ୍ତ୍ର ବ୍ୟକ୍ତି ରକେଟ୍ ଓ ବନ୍ଧୁକ ସାହାଯ୍ୟରେ ଆକ୍ରମଣ କରିଛନ୍ତି। ଏହାକୁ ନେଇ ପଶ୍ଚିମ ଏସିଆରେ ପୁଣି ସାମରିକ ଉତ୍ତେଜନା ବୃଦ୍ଧି ପାଇଛି। ଜାହାଜରେ ଥିବା ଏକ ସୁରକ୍ଷା ଦଳ ଆକ୍ରମଣର ଉପଯୁକ୍ତ ଜବାବ ଦେଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଅଧିକ ସୂଚନା ଦେଇ ବ୍ରିଟେନ୍ ମେରିଟାଇମ୍ ଟ୍ରେଡ୍ ଅପରେସନ୍ ସେଣ୍ଟର କହିଛି ଯେ ବର୍ତ୍ତମାନ ଏହି ସଂଘର୍ଷ ଜାରି ରହିଛି। ୟେମେନରେ ହୁତି ବିଦ୍ରୋହୀମାନେ ପ୍ରତିଦିନ ଏହି ଅଞ୍ଚଳରେ ଯାତାୟାତ କରୁଥିବା ଜାହାଜଗୁଡ଼ିକୁ ଟାର୍ଗେଟ କରୁଛନ୍ତି।
ଇରାନ-ଇସ୍ରାଏଲ ସଂଘର୍ଷ ସମୟରେ ମଧ୍ୟ ହୁତିମାନେ ଇରାନକୁ ସମର୍ଥନ ଘୋଷଣା କରିଥିଲେ ଏବଂ ଆମେରିକାକୁ ଧମକ ଦେଇଥିଲେ ଯେ ଯଦି ଇରାନ ଉପରେ ଆକ୍ରମଣ କରେ, ତେବେ ଆମେରିକା ଏବଂ ଏହାର ସହଯୋଗୀଙ୍କ ଜାହାଜ ଉପରେ ଲୋହିତ ସାଗରରେ ଆକ୍ରମଣ କରାଯିବ। ପୂର୍ବରୁ ୨୦୨୩ରେ ହୁତିମାନେ ୧୦୦ରୁ ଅଧିକ ବାଣିଜ୍ୟିକ ଜାହାଜକୁ କ୍ଷେପଣାସ୍ତ୍ର ଓ ଡ୍ରୋନ ମାଧ୍ୟମରେ ଟାର୍ଗେଟ କରିଥିଲେ ଯେଉଁଥିରେ ଦୁଇଟି ଜାହାଜ ବୁଡିଯିବା ସହ ଅନେକ ନାବିକଙ୍କ ମୃତ୍ୟୁ ହୋଇଥିଲା।

ସୂଚନାଯୋଗ୍ୟ, କିଛି ମାସ ତଳେ ଆମେରିକା ନୌସେନା ୟେମେନର ହୁତି ବିଦ୍ରୋହୀଙ୍କ ଉପରେ ପ୍ରବଳ ବୋମାମାଡ଼ କରିଥିଲା, ଯେଉଁଥିରେ ହୁତିମାନଙ୍କର ସାମରିକ ଭିତ୍ତିଭୂମି ଛାରଖାର ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ଉଭୟ ପକ୍ଷ ମଧ୍ୟରେ ଶାନ୍ତି ଚୁକ୍ତି ହୋଇଥିଲା, କିନ୍ତୁ ଇରାନ ଉପରେ ଆମେରିକାର ଆକ୍ରମଣ ପରେ ହୁତିମାନେ ପୁଣି ଥରେ ଡ୍ରୋନ ଓ ରକେଟ୍ ସାହାଯ୍ୟରେ ଲୋହିତ ସାଗର ଦେଇ ଯାଉଥିବା ଜାହାଜ ଉପରେ ଆକ୍ରମଣ ଆରମ୍ଭ କରିଛନ୍ତି।












Click it and Unblock the Notifications