ନିରାଶ ହେଲେ ଚିନ୍ମୟ ଦାସ, ଜାମିନ ଆବେଦନ ଖାରଜ କଲେ କୋର୍ଟ
ବାଂଲାଦେଶର ହିନ୍ଦୁ ସନ୍ଥ ଚିନ୍ମୟ ଦାସଙ୍କୁ ଝଟ୍କା। ମିଲିଲାନି ଜାମିନ୍। ଚଟଗାଁବ ଏକ ସ୍ୱତନ୍ତ୍ର କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଏହାର ଅର୍ଥ ହେଉଛି ବର୍ତ୍ତମାନ ଚିନ୍ମୟ ଦାସଙ୍କୁ ଜେଲରେ ହିଁ ରହିବାକୁ ପଡ଼ିବ।

ଗତବର୍ଷ ନଭେମ୍ବର ୨୫ ତାରିଖରେ ଇସ୍କନ ମନ୍ଦିର ପୂଜାରୀ ତଥା ହିନ୍ଦୁ ସନ୍ଥ ଚିନ୍ମୟ ଦାସକୁ ବାଂଲାଦେଶ ପୁଲିସ ଗିରଫ କରିଥିଲା। ଦେଶଦ୍ରୋହ ଅଭିଯୋଗରେ ଢ଼ାକାର ବିମାନ ବନ୍ଦରରୁ ପୁଲିସ ତାଙ୍କୁ ଉଠାଇ ନେଇଥିଲା। ସେବେଠୁ ସେ ଜେଲରେ ଅଛନ୍ତି। ତେବେ ଆଜି ହିନ୍ଦୁ ସାଧୁ ଚିନ୍ମୟ ଦାସଙ୍କ ଜାମିନ ଆବେଦନକୁ ଚଟଗାଁବ କୋର୍ଟ ଖାରଜ କରିଦେଇଛନ୍ତି।
ଢ଼ାକାର ମିଡିଆ ଆଉଟ୍ଲେଟ୍ ଦ ଡେଲି ଷ୍ଟାର୍ର ରିପୋର୍ଟ ମୁତାବକ, ଢ଼ାକା ଠାରୁ ଚଟଗାଁବ ଆସିଥିବା ୧୧ ଜଣ ସୁପ୍ରିମକୋର୍ଟ ଓକିଲଙ୍କ ଏକ ଟିମ୍ ମେଟ୍ରୋପଲିଟାନ୍ ଜଜ୍ ଜଷ୍ଟିସ୍ ମହମ୍ମଦ ସୈଫୁଲ ଇସଲାମଙ୍କ ସମ୍ମୁଖରେ ପ୍ରାୟ ୩୦ ମିନିଟ୍ ଧରି ଯୁକ୍ତିତର୍କ କରିଥିଲେ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଜାମିନ ଆବେଦନକୁ ରଦ୍ଦ କରିଛନ୍ତି। ଚିନ୍ମୟଙ୍କ ଓକିଲଙ୍କ କହିବା ମୁତାବକ, ସେ ଜାମିନ ପାଇଁ ହାଇକୋର୍ଟରେ ଏବେ ଆବେଦନ କରିବେ। ଏଥିପାଇଁ ଯୋଜନା ଚାଲିଛି।
ବାସ୍ତବରେ ଏକ ମାସ ପୂର୍ବେ ହିଁ ଚଟଗାଁବର ଅଦାଲତରେ ଚିନ୍ମୟଙ୍କ ପ୍ରତିନିଧିତ୍ୱ କରିବା ପାଇଁ କୌଣସି ବି ଓକିଲା ଆଗକୁ ଆସିନଥିଲେ। ଯେଉଁ ଓକିଲ ଚିନ୍ମୟ ଦାସଙ୍କ ପ୍ରତିନିଧିତ୍ୱ କରିବେ ତାଙ୍କୁ ଛଡ଼ାଯିବ ନାହିଁ। ତାଙ୍କୁ ସର୍ବସାଧାରଣରେ ମାଡ଼ ମରାଯିବ ବୋଲି ବାଂଲାଦେଶର ଇସଲାମିକ ମୌଳିକବାଦୀମାନେ ଧମକ ଦେଇଥିଲେ। ଏହି ଭୟରେ କୌଣସି ଓକିଲ ଚିନ୍ମୟଙ୍କ କେସ୍ ହାତକୁ ନେଇ ନଥିଲେ।












Click it and Unblock the Notifications