ବିଶାଳ ସାମରିକ ପରେଡ୍ ଆୟୋଜନ କଲା ଚୀନ, ଯୋଗଦେଲେ ପୁଟିନ୍ ଏବଂ କିମ୍ ଜୋଙ୍ଗ
ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନୀ ଆକ୍ରମଣ ବିରୁଦ୍ଧରେ ବିଜୟର ୮୦ ତମ ବାର୍ଷିକୀରେ ଆୟୋଜିତ ଏକ ମହାନ ସାମରିକ ପରେଡ୍ ମାଧ୍ୟମରେ ବୁଧବାର ଚୀନ୍ ତାର ଆଧୁନିକ ସାମରିକ ଶକ୍ତି ପ୍ରଦର୍ଶନ କରିଛି। ଏହି ସମୟରେ, ଚୀନ୍ ପ୍ରଥମ ଥର ପାଇଁ ଅତ୍ୟାଧୁନିକ ଜେଟ୍ ଲଢ଼ୁଆ ବିମାନ, କ୍ଷେପଣାସ୍ତ୍ର ପ୍ରଣାଳୀ, ଇଲେକ୍ଟ୍ରୋନିକ୍ ଯୁଦ୍ଧ ଉପକରଣ ସମେତ ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସର୍ବସାଧାରଣରେ ପ୍ରଦର୍ଶନ କରିଛି।

ଚୀନର ଏହି ଐତିହାସିକ କାର୍ଯ୍ୟକ୍ରମରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ ଉନ୍ ଏବଂ ଇରାନ ରାଷ୍ଟ୍ରପତି ଡକ୍ଟର ମାସୁଦ ପେଜେଶକିୟାନ୍ ଭଳି ଆମେରିକାର ପ୍ରମୁଖ ଶତ୍ରୁଙ୍କ ଉପସ୍ଥିତି ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଦେଇଛି । ଏହି ସମସ୍ତ ନେତାଙ୍କୁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହିତ ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ୨୬ ଜଣ ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କ ଉପସ୍ଥିତି ଏହାକୁ ଏକ ପ୍ରମୁଖ ବିଶ୍ୱ ରାଜନୈତିକ ମଞ୍ଚରେ ପରିଣତ କରିଥିଲା। ଯାହାକୁ ନେଇ ଚିଡିଯାଇଛନ୍ତି ଟ୍ରମ୍ପ । ଏହି ମେଳିକୁ ଆମେରିକା ବିରୁଦ୍ଧରେ ଷଡଯନ୍ତ୍ର ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନର ବିଜୟ ପରେଡକୁ ଟାର୍ଗେଟ କରିଛନ୍ତି। ସେ ବେଜିଂରେ ଅନୁଷ୍ଠିତ ଏହି ପରେଡରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଉପସ୍ଥିତ ଥିବା ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ ଜୋଙ୍ଗ ଉନ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଆମେରିକା ବିରୁଦ୍ଧରେ ଷଡ଼ଯନ୍ତ୍ର ରଚନା କରିବାର ଅଭିଯୋଗ କରିଛନ୍ତି।
ତେବେ ଚୀନର ସାମରିକ ପରେଡକୁ ପଶ୍ଚିମ ଦେଶମାନଙ୍କ ବିରୁଦ୍ଧରେ ଏକତା ଏବଂ ଶକ୍ତି ପ୍ରଦର୍ଶନ ବୋଲି ବିବେଚନା କରାଯାଏ। ଏପରି ପରିସ୍ଥିତିରେ, ଟ୍ରମ୍ପ ତିନି ନେତାଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକୁ ଆମେରିକୀୟ ବିରୋଧୀ ମେଣ୍ଟ ଭାବରେ ବର୍ଣ୍ଣନା କରିଛନ୍ତି। ସେହି ସମୟରେ, ୟୁକ୍ରେନ ଯୁଦ୍ଧ ଏବଂ ଆଞ୍ଚଳିକ ସୁରକ୍ଷା ପରିପ୍ରେକ୍ଷୀରେ ଚୀନ, ରୁଷ ଏବଂ ଉତ୍ତର କୋରିଆ ମଧ୍ୟରେ ବଢୁଥିବା ସାମରିକ ଏବଂ କୂଟନୈତିକ ସମ୍ପର୍କକୁ ନେଇ ପଶ୍ଚିମ ବିଶ୍ୱରେ ଚିନ୍ତା ବୃଦ୍ଧି ପାଇଛି। ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ, ଚୀନ୍ ମନେ ରଖିବା ଉଚିତ ଯେ ଆମେରିକୀୟମାନେ ମଧ୍ୟ ଏହାର ସ୍ୱାଧୀନତା ପାଇଁ ବଳିଦାନ ଦେଇଛନ୍ତି। ତାଙ୍କ ବିବୃତ୍ତିରେ ଟ୍ରମ୍ପ୍ କିମ୍ ଜୋଙ୍ଗ୍ ଉନ୍ ଏବଂ ଭ୍ଲାଦିମିର ପୁଟିନଙ୍କୁ ମଧ୍ୟ ଟାର୍ଗେଟ କରି କହିଥିଲେ ଯେ ତୁମେମାନେ ଆମେରିକା ବିରୁଦ୍ଧରେ ଷଡ଼ଯନ୍ତ୍ର ରଚୁଛ। ଏହା ବ୍ୟତୀତ, ତାଙ୍କ ବିବୃତ୍ତିରେ ସେ ବିଜୟ ପରେଡ ପାଇଁ ଚୀନ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ।
ଅନ୍ୟପଟେ ଉତ୍ତରକୋରିଆ ନେତା କିମ୍ ଜଙ୍ଗ ଉନ୍ ମଙ୍ଗଳବାର ରାତିରେ ତାଙ୍କ ଝିଅ କିମ୍ ଜୁ ଏ ସହିତ ଟ୍ରେନ୍ ଯୋଗେ ବେଜିଂରେ ପହଞ୍ଚିଥିଲେ। ୨୦୧୯ ପରେ ଏହା ତାଙ୍କର ପ୍ରଥମ ଚୀନ୍ ଗସ୍ତ। କିମ୍ ଜଙ୍ଗଙ୍କ ଗସ୍ତ ଏପରି ସମୟରେ ହେଉଛି ଯେତେବେଳେ ଉତ୍ତର କୋରିଆ ଏବଂ ଚୀନ୍ ମଧ୍ୟରେ ସମ୍ପର୍କରେ ତିକ୍ତତା ଆସିବାର ଅନୁମାନ କରାଯାଉଥିଲା। ରୁଷ ସହିତ ତାଙ୍କର ଗଭୀର ସମ୍ପର୍କ ପରିପ୍ରେକ୍ଷୀରେ କିମ୍ ଙ୍କ ଏହି ଗସ୍ତକୁ ଆହୁରି ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଏଥିସହିତ ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ, ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ମଧ୍ୟ ଚୀନ୍ ର ଏହି ପରେଡ୍ରେ ଅଂଶଗ୍ରହଣ କରିଥିଲେ। କିନ୍ତୁ ଭାରତ ଏଥିରେ ଯୋଗ ଦେଇ ନଥିଲା। ସି ଜିନପିଙ୍ଗ ଏବଂ ତାଙ୍କ ପତ୍ନୀ ପେଙ୍ଗ୍ ଲିୟୁଆନ୍ ସମସ୍ତ ବିଦେଶୀ ଅତିଥିଙ୍କୁ ଉଷ୍ମ ସ୍ୱାଗତ କରିଥିଲେ।












Click it and Unblock the Notifications