ସିରିଆରରେ ବୋମା ବିସ୍ଫୋରଣ, ୧୯ ଜଣଙ୍କ ମୃତ୍ୟୁ
ଉତ୍ତର ସିରିଆର ମନ୍ବିଜ୍ ସହର ଉପକଣ୍ଠ ଅଞ୍ଚଳରେ ସୋମବାର ବୋମା ବିସ୍ଫୋରଣ ଘଟି ୧୯ ଜଣଙ୍କର ମୃତ୍ୟୁ ହୋଇଯାଇଛି। କିଛି ସ୍ଥାନୀୟ କୃଷି ଶ୍ରମିକଙ୍କୁ ନେଇ ଏକ ଟ୍ରକ୍ ଯାଉଥିବାବେଳେ ନିକଟରେ ଥିବା ଏକ କାର୍ରେ ବୋମା ବିସ୍ଫୋରଣ ଘଟିଥିବା ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି।
ମୃତକଙ୍କ ମଧ୍ୟରେ ୧୮ ଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି। ସେହିପରି ଅନ୍ୟ ୧୫ ଜଣ ମହିଳା ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ମହିଳାଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ଗୁରୁତର ଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ମନ୍ବିଜ୍ ସହରରେ ଗତ ମାସକ ମଧ୍ୟରେ ଏହା ସପ୍ତମ କାର୍ ବୋମା ବିସ୍ଫୋରଣ ବୋଲି ସ୍ଥାନୀୟ ନାଗରିକ ସୁରକ୍ଷା ଉପନିର୍ଦ୍ଦେଶକ ମୁନୀର ମୁସ୍ତଫା କହିଛନ୍ତି।

ବଶର ଅସଦଙ୍କୁ ଡିସେମ୍ବରରେ ବହିଷ୍କାର କରାଯିବା ପରେ ଉତ୍ତର-ପୂର୍ବ ଅଲେପ୍ପୋ ପ୍ରଦେଶର ମନବିଜରେ ହିଂସା ଘଟଣାମାନ ଘଟୁଛି । ତୁର୍କୀ ସମର୍ଥିତ ଗୋଷ୍ଠୀ 'ସିରିଆ ନ୍ୟାସନାଲ ଆର୍ମି' ଭାବରେ ଜଣାଶୁଣା । ଏହାର ଆମେରିକା ସମର୍ଥିତ କୁର୍ଦେ ନେତୃତ୍ୱାଧୀନ 'ସିରିଆନ୍ ଡେମୋକ୍ରାଟିକ୍ ଫୋର୍ସ' ସହିତ ସଂଘର୍ଷ ଜାରି ରହିଛି ।
ସିରିଆର ସ୍ଥିତି ବିଷୟରେ ସମଗ୍ର ବିଶ୍ୱ ଜାଣିଛି । ଆତଙ୍କବାଦ ଯୋଗୁ ପରିସ୍ଥିତି ଆହୁରି ଖରାପ ହୋଇଯାଇଛି । ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍ ଷ୍ଟେଟର ପ୍ରଭାବ ହ୍ରାସ ପାଇଥିଲେ ମଧ୍ୟ ଆତଙ୍କବାଦୀ କାର୍ଯ୍ୟକଳାପର ଅନ୍ତ ଘଟିନାହିଁ । ସିରିଆରେ ପ୍ରାୟତଃ ଆତଙ୍କବାଦୀ ଆକ୍ରମଣ ଘଟଣା ଦେଖାଯାଇଥାଏ ।
ଗତ ବର୍ଷ ନଭେମ୍ବରରେ ମଧ୍ୟ ସିରିଆର ଦକ୍ଷିଣ ପ୍ରଦେଶ ଦାରାର ମହଜା ସହରରେ ବୋମା ବିସ୍ଫୋରଣ ହୋଇଥିଲା । ରାସ୍ତା କଡ଼ରେ ଏହି ବିସ୍ଫୋରଣ ଘଟି ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଦାରା ପୂର୍ବରୁ ଉତ୍ତର ସିରିଆ ସହରରେ ବିସ୍ଫୋରଣ ହୋଇଥିଲା । ବଜାରରେ ହୋଇଥିବା ଏହି ବୋମା ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିଲେ ।












Click it and Unblock the Notifications