୧୭ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆମେରିକାର ପ୍ରଖ୍ୟାତ ବିମାନ ନିର୍ମାଣକାରୀ ସଂସ୍ଥା ବୋଇଂ
ଆମେରିକାର ପ୍ରଖ୍ୟାତ ବିମାନ ନିର୍ମାଣକାରୀ ସଂସ୍ଥା ବୋଇଂ ଖୁବଶୀଘ୍ର ୧୭ ହଜାର କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଜଣାପଡିଛି। କୁଶଳୀ କର୍ମଚାରୀଙ୍କ ଜରିଆରେ ଉତ୍ପାଦନ କ୍ଷମତା ବୃଦ୍ଧି କରିବା ଲକ୍ଷ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ଏୟାରବସ୍ ଏବଂ ଲକ୍ହିଡ୍ ମାର୍ଟିନ ଭଳି ସଂସ୍ଥା ତରଫରୁ କଡା ମୁକାବିଲାର ସମ୍ମୁଖୀନ ହେଉଥିବା ବୋଇଂ କମ୍ପାନୀ ଚଳିତବର୍ଷ ଜାନୁଆରୀରୁ କ୍ଷତି ସହି ଆସୁଛି।

ପୁନଶ୍ଚ କର୍ମଚାରୀଙ୍କ ଧର୍ମଘଟ ଯୋଗୁଁ ସାତ ସପ୍ତାହ ଧରି କମ୍ପାନୀର ଉତ୍ପାଦନ ବାଧାପ୍ରାପ୍ତ ହୋଇଥିଲା। କୋଭିଡ୍ ସମୟରେ କମ୍ପାନୀ ଅଧିକାଂଶ କର୍ମଚାରୀଙ୍କୁ ସାମୟିକ ଭାବେ ଛଟେଇ କରିଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ସେମାନଙ୍କୁ ଆଉ ନିଯୁକ୍ତ କରିନଥିଲା। ଫଳରେ ଭବିଷ୍ୟତକୁ ଦୃଷ୍ଟିରେ ରଖି ଶତାଧିକ କର୍ମଚାରୀ ସେତେବେଳେ କମ୍ପାନୀ ଛାଡି ଅନ୍ୟତ୍ର ପଳାଇଥିଲେ।
ଅପରପକ୍ଷରେ ଅଧିକାଂଶ ବିମାନ ନିର୍ମାଣକାରୀ ସଂସ୍ଥା ବର୍ତ୍ତମାନ ମହାକାଶ କ୍ଷେତ୍ରରେ ପାଦ ଥାପିଛନ୍ତି। ସେଗୁଡିକ ମଧ୍ୟରେ ସ୍ପେସ୍ଏକ୍ସ, ବ୍ଲୁ ଅରିଜିନ ଅନ୍ୟତମ। ତେଣୁ ବ୍ୟାବସାୟିକ ବିମାନ ନିର୍ମାଣ ବ୍ୟତୀତ ବୋଇଂକୁ ମଧ୍ୟ ଏହି କ୍ଷେତ୍ରରେ ଅଗ୍ରସର ହେବାକୁ ପଡୁଛି। ଚଳିତବର୍ଷ ପ୍ରାରମ୍ଭରେ ବୋଇଂ କମ୍ପାନୀରେ ୧,୭୧,୦୦୦ କର୍ମଚାରୀ କାର୍ଯ୍ୟରତ ଥିଲେ। ତେବେ ଖର୍ଚ୍ଚ କାଟ ସାଙ୍ଗକୁ ମାନବୃଦ୍ଧି ନିମନ୍ତେ ୧୭,୦୦୦ କର୍ମଚାରୀଙ୍କୁ ଛଟେଇ କରିବା ଜରୁରୀ ହୋଇପଡିଛି ବୋଲି ବୋଇଂ କମ୍ପାନୀ ସିଇଓ କେଲି ଓର୍ଟବର୍ଗ କହିଛନ୍ତି।












Click it and Unblock the Notifications