ଫ୍ରାନ୍ସ- ୟୁକ୍ରେନ ମଧ୍ୟରେ ବଡ଼ ସାମରିକ ଡିଲ୍,ୟୁକ୍ରେନକୁ ଫ୍ରାନ୍ସ ଯୋଗାଇବ ୧୦୦ଟି ରାଫେଲ
ରୁଷ ସହ ଲାଗି ରହିଥିବା ଯୁଦ୍ଧରେ ୟୁକ୍ରେନକୁ ବଡ଼ ସାମରିକ ସହାୟତା ଦେବାକୁ ଘୋଷଣା କରିଛି ଫ୍ରାନ୍ସ । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କିଙ୍କ ମଧ୍ୟରେ ପ୍ୟାରିସରେ ପ୍ରତିରକ୍ଷା ରାଜିନାମା ସ୍ୱାକ୍ଷରିତ ହୋଇଛି ।
ରାଜିନାମା ଅନୁସାରେ ୟୁକ୍ରେନକୁ ଫ୍ରାନ୍ସ ୧୦୦ଟି ରାଫେଲ ଯୁଦ୍ଧବିମାନ ଯୋଗାଇଦେବ । ଏଥିସହ ଅନ୍ୟ କେତେକ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଓ ଏୟାର ଡିଫେନ୍ସ ସିଷ୍ଟମ ଦେବାକୁ ଫ୍ରାନ୍ସ ରାଜି ହୋଇଛି । ଫ୍ରାନ୍ସ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସୂତ୍ରରୁ ଆଜି ଏହି ସୂଚନା ଦିଆଯାଇଛି । ସେଥିରେ କୁହାଯାଇଛି କି ଯଦିଓ ରାଜିନାମା ଚୂଡାନ୍ତ ନୁହେଁ, ତଥାପି ଆଗାମୀ ୧୦ ବର୍ଷ ଭିତରେ ୟୁକ୍ରେନକୁ ଯୁଦ୍ଧବିମାନ ଦେବାକୁ ମାକ୍ରନ ସହମତ ହୋଇଛନ୍ତି ।

ରାଜିନାମା ଅନୁସାରେ ଫ୍ରାନ୍ସ ୟୁକ୍ରେନକୁ ନୂଆପିଢ଼ିର ସାମ୍ପ-ଟି ଏୟାର ଡିଫେନ୍ସ ସିଷ୍ଟମ, ରାଡାର ସିଷ୍ଟମ ଓ ଡ୍ରୋନ ବି ଦେବ । ରାଜିନାମା ସ୍ୱାକ୍ଷର ପରେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ବୋଲି ମାକ୍ରନ ବର୍ଣ୍ଣନା କରିଛନ୍ତି । ରୁଷ ସହ ଯୁଦ୍ଧ ଲାଗିବା ପରେ ଜେଲେନ୍ସ୍କିଙ୍କର ଏହା ନବମ ଫ୍ରାନ୍ସ ଗସ୍ତ ।












Click it and Unblock the Notifications