ହସିନାଙ୍କୁ ତୁରନ୍ତ ଗିରଫ କର: ବାଂଲାଦେଶ କୋର୍ଟ
ବାଂଲାଦେଶର ଏକ ଅଦାଲତ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା, ତାଙ୍କ ଭଉଭନୀ ଶେଖ ରେହନା, ବ୍ରିଟିଶ ସାଂସଦ ଟ୍ୟୁଲିପ ରିଜଓ୍ଵାନ ସିଦ୍ଦିକି ଓ ୫୦ ଅନ୍ୟ ବିରୋଧରେ ଆରେଷ୍ଟ ଓ୍ଵାରେଣ୍ଟ ଜାରି କରିଛି। ରାଜନୈତିକ କ୍ଷମତାର ଦୁରୁପଯୋଗ କରି ବେଆଇନ ଭୂମି ଅଧିଗ୍ରହଣ କରିବା ଅଭିଯୋଗରେ ଗିରଫ ପରଓ୍ଵାନା ଜାରି କରାଯାଇଛି। ଢାକା ଟ୍ରିବ୍ୟୁନର ଖବର ଅନୁଯାୟୀ, ଢାକା ମେଟ୍ରୋପୋଲିଟନର ବରିଷ୍ଠ ସ୍ଵତନ୍ତ୍ର ନ୍ୟାୟାଧୀଶ ଜାକିର ହୁସେନ ଦୁର୍ନୀତି ନିରୋଧୀ ଆୟୋଗ(ଏସିସି) ଦ୍ଵାରା ଦାୟର ତିନି ଅଲଗା ଅଲଗା ଅଭିଯୋଗ ପତ୍ର ଉପରେ ଶୁଣାଣି କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି।
ବିଚାରପତି ହୁସେନ ଗିରଫଦାରୀ ସଂପର୍କିତ ରିପୋର୍ଟର ସମୀକ୍ଷା ପାଇଁ ଏପ୍ରିଲ ୨୭ ତାରିଖ ଧାର୍ଯ୍ୟ କରିଛନ୍ତି। ଦୁର୍ନୀତିର ତିନି ଅଲଗା ଅଲଗା ମାମଲାରେ ହସିନା ସମେତ ୫୩ ଜଣଙ୍କ ବିରୋଧରେ କୋର୍ଟରେ ଅଭିଯୋଗଫର୍ଦ୍ଦ ଦାଖଲ କରାଯାଇଛି। ଏହି ସବୁ ଅଭିଯୁକ୍ତ ଫେରାର ଅଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଶେଖ ହସିନାଙ୍କ ବିରୋଧୀମାନଙ୍କୁ ଆଉ ଏକ ସୁଯୋଗ ମିଳି ଯାଇଛି।

ଅଦାଲତ ରାଜୁକ ପ୍ଲଟ ଆବଣ୍ଟନ ମାମଲାରେ ଶେଖ ହସିନାଙ୍କ ଝିଅ ସାଇମା ଜାଭେଦ ପୁତୁଲ ଓ ୧୬ ଅନ୍ୟଙ୍କ ବିରୋଧରେ ଓ୍ଵାରେଣ୍ଟ ଜାରି କରିଛନ୍ତି। ଉଲ୍ଲେଖନୀୟ ଜାନୁଆରୀ ୧୩ରେ ଏସିସିର ଉପନିର୍ଦ୍ଦେଶକ ଶେଖ ରେହାନାଙ୍କ ବିରୋଧରେ ଅଧିକାରର ଦୁରୁପଯୋଗ କରି ପୂର୍ବାଞ୍ଚଳ ନ୍ୟୁ ଟାଉନ ପ୍ରୋଜେକ୍ଟରେ ୧୦ ପ୍ଲଟ ହାସଲ କରିବା ଅଭିଯୋଗରେ କେସ୍ ରୁଜୁ କରାଯାଇଥିଲା। ପରବର୍ତ୍ତୀ ସମୟରେ ସେଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ନାଁ ଯୋଡ଼ି ଦିଆଗଲା।












Click it and Unblock the Notifications