ଭୁଶୁଡ଼ିଲା ପଥର ଖଣି: ୧୦ ମୃତ୍ୟୁ, ଖାଦାନରେ ଫସିଛନ୍ତି ଅନେକ ଶ୍ରମିକ
ଇଣ୍ଡୋନେସିଆର ପଶ୍ଚିମ ଜାଭା ପ୍ରଦେଶର ସିରେବନ୍ ଜିଲ୍ଲାରେ ଗତକାଲି ଅର୍ଥାତ୍ ଶୁକ୍ରବାର ଦିନ ପଥର ଖଣିରେ ଏକ ବଡ଼ ପଥର ଭୁଶୁଡ଼ି ପଡିଛି । ଯାହା ଯୋଗୁଁ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୬ ଜଣ ଶ୍ରମିକ ନିଖୋଜ ଅଛନ୍ତି । ସ୍ଥାନୀୟ କର୍ତ୍ତୃପକ୍ଷ ଏହି ଦୁଃଖଦ ଦୁର୍ଘଟଣାକୁ ନିଶ୍ଚିତ କରିଛନ୍ତି ।
ସ୍ଥାନୀୟ ପୋଲିସ ମୁଖ୍ୟ ସୁମାର୍ନି କହିଛନ୍ତି ଯେ ଖଣିର ଉପର ଅଂଶ ହଠାତ୍ ଭୁଶୁଡ଼ି ପଡ଼ିବାରୁ ଦୁର୍ଘଟଣା ଘଟିଥିଲା । ଘଟଣା ସମୟରେ ସେଠାରେ ଦୁଇ ଡଜନରୁ ଅଧିକ ଶ୍ରମିକ କାମ କରୁଥିଲେ । ଦୁର୍ଘଟଣା ପରେ ଅନେକ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିଲେ। ଘଟଣାସ୍ଥଳରେ ରିଲିଫ୍ ଏବଂ ଉଦ୍ଧାର ଦଳ କାର୍ଯ୍ୟ କରୁଛନ୍ତି ।

ପ୍ରାଥମିକ ସୂଚନା ଅନୁଯାୟୀ, ଉଦ୍ଧାରକାରୀ ଦଳ ଏପର୍ଯ୍ୟନ୍ତ ୧୨ ଜଣ ଆହତଙ୍କୁ ବାହାର କରିଛନ୍ତି, ଯେଉଁମାନଙ୍କ ମଧ୍ୟରୁ କିଛିଙ୍କ ଅବସ୍ଥା ଗୁରୁତର ରହିଛି । ସୁମାର୍ନି କହିଛନ୍ତି ଯେ, ''ଆମେ ବର୍ତ୍ତମାନ ଖଣି ଭୁଶୁଡ଼ିବାର କାରଣ ତଦନ୍ତ କରୁଛୁ ଏବଂ ମାଲିକ ଏବଂ ଶ୍ରମିକମାନଙ୍କୁ ପଚରାଉଚରା କରାଯାଉଛି,''। ଏଥି ସହ ଆହୁରି କହିଛନ୍ତି ଯେ ପୋଲିସ, ଜରୁରୀକାଳୀନ କର୍ମୀ, ସୈନିକ ଏବଂ ସ୍ଵେଚ୍ଛାସେବକମାନେ ପାଞ୍ଚଟି ଖନନ ମେସିନ ସାହାଯ୍ୟରେ ନିଖୋଜ ଲୋକଙ୍କୁ ଖୋଜୁଛନ୍ତି, କିନ୍ତୁ ମାଟି ଢିଲା ଥିବାରୁ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି କାରଣ ଏହା ଭୂସ୍ଖଳନର ଆଶଙ୍କା ବୃଦ୍ଧି କରୁଛି ।












Click it and Unblock the Notifications