ପୁଣି ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ତୀବ୍ରତା ୫.୮
ତୁର୍କୀ ପୁଣିଥରେ ଭୂକମ୍ପରେ ଥରିଛି। ତୁର୍କୀର ବିପର୍ଯ୍ୟୟ ପରିଚାଳନା ସଂସ୍ଥା କହିଛି ଯେ, ମଙ୍ଗଳବାର ସକାଳେ ଦକ୍ଷିଣ-ପଶ୍ଚିମ ତୁର୍କୀର ଉପକୂଳବର୍ତ୍ତୀ ସହର ମାରମାରିସ ନିକଟରେ ୫.୮ ତୀବ୍ରତାର ଏକ ଭୂକମ୍ପ ଅନୁଭୁତ ହୋଇଥିଲା। ଏଥିରେ ସାତ ଜଣ ଆହତ ହୋଇଛନ୍ତି।
ବିପର୍ଯ୍ୟୟ ଏବଂ ଜରୁରୀକାଳୀନ ପରିଚାଳନା ପ୍ରେସିଡେନ୍ସି (ଏଏଫଏଡି) କହିଛି ଯେ, ଭୂକମ୍ପ ଭୋର ୨ଟା ୧୭ରେ ହୋଇଥିଲା, ଯାହାର କେନ୍ଦ୍ରସ୍ଥଳ ଭୂମଧ୍ୟସାଗର ଥିଲା। ତୁର୍କୀର ଏନଟିଭି ନ୍ୟୁଜ୍ ଅନୁଯାୟୀ, ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ଆଖପାଖ ଅଞ୍ଚଳ କମ୍ପିତ ହେବା ଆରମ୍ଭ କରିଥିଲା ଏବଂ ଏହାର ଝଟକା ନିକଟସ୍ଥ ଗ୍ରୀକ୍ ଦ୍ୱୀପ ରୋଡସ୍ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା।

ଅଧିକାରୀମାନେ କହିଛନ୍ତି ଯେ, ଆହତମାନେ କୋଠା ଭୁଶୁଡ଼ି ପଡ଼ିବାରୁ ନୁହେଁ, ଆତଙ୍କ ଯୋଗୁ ଆହତ ହୋଇଛନ୍ତି। ମାରମାରିସ୍ ରାଜ୍ୟପାଳ ଇଦ୍ରିସ୍ ଆକବିୟିକ୍ ଏନଟିଭିକୁ କହିଛନ୍ତି ଯେ, ଭୟଭୀତ ବାସିନ୍ଦାମାନେ ଘରୁ ବାହାରକୁ ଯିବା ପାଇଁ ଝରକା ଏବଂ ବାଲକୋନିରୁ ଡେଇଁ ପଡ଼ି ଆହତ ହୋଇଥିଲେ। ସାତ ଜଣ ଆହତଙ୍କର ଚିକିତ୍ସା କରାଯାଉଛି, କିନ୍ତୁ କୋଠା କିମ୍ବା ଭିତ୍ତିଭୂମିର ଗୁରୁତର କ୍ଷତିର ତୁରନ୍ତ କୌଣସି ରିପୋର୍ଟ ନାହିଁ।












Click it and Unblock the Notifications