ମଝି ସମୁଦ୍ରରେ ଭୟଙ୍କର ନିଆଁ, ଜୀବନ ବିକଳରେ ପାଣିକୁ ଡେଇଁଲେ ଯାତ୍ରୀ
ଇଣ୍ଡୋନେସିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ଜାହାଜରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି । ସେଥିରେ ୩୦୦ରୁ ଉର୍ଦ୍ଧ୍ବ ଯାତ୍ରୀ ଥିବା ଜଣାପଡିଛି । ନିଜ ଜୀବନ ବଞ୍ଚାଇବା ପାଇଁ ଜାହାଜରୁ ଅନେକ ଯାତ୍ରୀମାନେ ମଧ୍ୟ ଡେଇଁ ପଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ ୨୮୦ ଜଣଙ୍କୁ ଉଦ୍ଧାର କରାଯିବା ସହ ସେମାନଙ୍କୁ ସ୍ତାନାନ୍ତର କରିବାର ପ୍ରୟାସ ଜାରି ରହିଛି । ଯାହାର ଭିଡିଓ ସାମ୍ନାକୁ ଆସିଛି ।
ସୂଚନାନୁଯାୟୀ, ଜାହାଜଟି ତାଲାଉଡ୍ ଦ୍ୱୀପ ଜିଲ୍ଲାରୁ ଉତ୍ତର ସୁଲାୱେସି ପ୍ରଦେଶର ମାନାଡୋ ଅଭିମୁଖେ ଯାଉଥିବା ବେଳେ ତାଲିସେ ନିକଟରେ ଜାହାଜରେ ନିଆଁ ଲାଗିଯାଇଥିଲା ବୋଲି ଇଣ୍ଡୋନେସିଆନ ଫ୍ଲିଟ୍ କମାଣ୍ଡର ଭାଇସ୍ ଆଡମିରାଲ୍ ଡେନେହ ହେଣ୍ଡ୍ରାଟା କହିଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ତିନୋଟି ନୌସେନା ଜାହାଜକୁ ନିୟୋଜିତ କରାଯାଇଥିଲା । ଏପର୍ଯ୍ୟନ୍ତ ୨୮୪ ଜଣ ଯାତ୍ରୀଙ୍କ ସମେତ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।
ଏହି ଉଦ୍ଧାର କାର୍ଯ୍ୟ ପ୍ରକ୍ରିୟାରେ ସ୍ଥାନୀୟ ମତ୍ସ୍ୟଜୀବୀମାନେ ମଧ୍ୟ ସାମିଲ ରହିଛନ୍ତି । ଯେଉଁମାନେ ଲାଇଫ୍ ଜ୍ୟାକେଟ୍ ପିନ୍ଧିଥିବା କିଛି ବଞ୍ଚିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ଏଥି ସହିତ ସେହି ଭିଡିଓରୁ ଦେଖିବାକୁ ମିଳିଛି ଯେ, ଅଗ୍ନିକାଣ୍ଡ ଘଟିବାରୁ ଜାହାଜଟି ଜଳି ଯାଇଥିଲା । ଫଳରେ ଆକାଶ ଧୂଆଁମୟ ହୋଇଯାଇଥିଲା ।

ଅନ୍ୟପଟେ ଜୀବନ ବିକଳରେ କିଛି ଲୋକ ଲାଇଫ ଜ୍ୟାକେଟ ପିନ୍ଧି ସମୁଦ୍ର ଭିତରକୁ ଡେଇଁପଡିଥିଲେ । ଆଉ କିଛି ଲୋକ ଟ୍ୟୁବ ସହାୟତାରେ ସମୁଦ୍ରରେ ପହଁରି କୂଳକୁ ଆସିବାକୁ ଉଦ୍ୟମ କରୁଥିଲେ । ଯାହାର ସମ୍ପୁର୍ଣ୍ଣ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଖବର ପାଇବା ପରେ ତୁରନ୍ତ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଉଦ୍ଧାରକାରୀମାନେ ଜଣେ ଗର୍ଭବତୀ ମହିଳାଙ୍କ ସମେତ ୫ଟି ମୃତଦେହ ଉଦ୍ଧାର କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ସେନେଇ ତଦନ୍ତ ଚାଲିଛି ।












Click it and Unblock the Notifications