ତାଇୱାନ ପ୍ରତିରକ୍ଷା ଜୋନରେ ପ୍ରବେଶ କଲା ୨୭ ଯୁଦ୍ଧ ବିମାନ, ଜୋରଦାର ହେଲା ମିସାଇଲ ଡ୍ରିଲ୍
ଚୀନର ୨୭ଟି ଯୁଦ୍ଧ ବିମାନ ତାଇୱାନର ପ୍ରତିରକ୍ଷା ଜୋନରେ ପ୍ରବେଶ କରିଛନ୍ତି । ଡ୍ରାଗନ୍ ସେନା ତାଇୱାନର ଚାରିପଟେ ୬ଟି ନୋ ଏଣ୍ଟ୍ରି ଜୋନ୍ ଘୋଷଣା କରିଛି ।
ବେଜିଂ: ଆମେରିକା ବାଚସ୍ପତି ନାନ୍ସି ପେଲୋସି ବୁଧବାର ତାଇୱାନ ଗସ୍ତ ଶେଷ କରି ଦକ୍ଷିଣ କୋରିଆ ଯାଇଛନ୍ତି। ସେ ତାଇୱାନ ଛାଡିବା ପୂର୍ବରୁ ଚୀନ କିଛି ପଦକ୍ଷେପ ନେଇପାରେ ବୋଲି ଆଶଙ୍କା ରହିଥିଲେ ହେଁ ପେଲୋସିଙ୍କ ବିମାନ ନିର୍ବିଘ୍ନରେ ତାଇପେ ବିମାନ ବନ୍ଦରରୁ ଉଡ଼ାଣ କରିଛି । କିନ୍ତୁ ପେଲୋସୀ ତାଇୱାନ ଛାଡିବା ପରେ ଚୀନ ତାଇୱାନକୁ ଉଚିତ ଶିକ୍ଷା ଦେବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ବର୍ତ୍ତମାନ ଚୀନ ବାୟୁ ସେନା ପୁରା ତାଇୱାନକୁ ଘେରି ରହିଥିବା ବେଳେ ସାମରିକ ଡ୍ରିଲ ଅଭ୍ୟାସ ମଧ୍ୟ ଜାରି ରହିଛି। ଏହାବ୍ୟତୀତ ଚାଇନା ସାଗରରେ ଚୀନ ନିଜର ଯୁଦ୍ଧ ପୋତ ସହ ବହୁ ଜାହାଜ ମୁତୟନ କରିଛି ।

ଚୀନର ୨୭ଟି ଯୁଦ୍ଧ ବିମାନ ତାଇୱାନର ପ୍ରତିରକ୍ଷା ଜୋନରେ ପ୍ରବେଶ କରିଛନ୍ତି । ଡ୍ରାଗନ୍ ସେନା ତାଇୱାନର ଚାରିପଟେ ୬ଟି ନୋ ଏଣ୍ଟ୍ରି ଜୋନ୍ ଘୋଷଣା କରିଛି । ତାଇୱାନ୍ ସୀମାରେ ଯେଉଁ ଯୁଦ୍ଧ ବିମାନ ଦେଖାଦେଇଛି ସେଥିମଧ୍ୟରେ ୫ଟି ଜେ-୧୬, ୧୬ଟି ସୁ-୩୦ ଜେଟ୍ ଓ ଜେ-୨୦ ଯୁଦ୍ଧ ବିମାନ ରହିଛି । ଚୀନ୍ ଉତ୍ତର, ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ ପୂର୍ବ କ୍ଷେତ୍ରରେ ତାଇୱାନର ଜଳ ଓ ଆକାଶମାର୍ଗରେ ସମରାଭ୍ୟାସ ଆରମ୍ଭ କରିଛି । ସମୁଦ୍ରରେ ମିସାଇଲ ପରୀକ୍ଷଣ କରିଥିବା ମଧ୍ୟ ଜଣାପଡ଼ିଛି । ସପ୍ତାହେ ପର୍ଯ୍ୟନ୍ତ ସମରାଭାସ କରାଯିବ ବୋଲି ଚୀନ୍ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି ।
ଯଦି କୌଣସି ସ୍ଥିତିରେ ଚୀନ ତାଇୱାନ ଉପରେ ହମଲା କରେ ତେବେ ଏହାକୁ ମୁକାବିଲା କରିବାକୁ ଆମେରିକା ମଧ୍ୟ ଏହାର ଅତ୍ୟାଧୁନିକ ଯୁଦ୍ଧପୋତ 'ରୋନାଲ୍ଡ ରେଗନ'କୁ ମୁତୟନ କରିଛି। ଫଳରେ ଚାଇନା ସାଗର ଅଞ୍ଚଳରେ ଏବେ ଉତ୍ତେଜନା ପ୍ରକାଶ ପାଇଛି। ଚୀନ ଏବଂ ଆମେରିକା ମଧ୍ୟରେ ବାକ୍ ଯୁଦ୍ଧ ଜାରି ରହିଥିବା ବେଳେ କେତେ ବେଳେ ପରିସ୍ଥିତି ଗମ୍ଭୀର ହୋଇପାରେ ବୋଲି କୁହାଯାଉଛି।












Click it and Unblock the Notifications