ଜଳ ପ୍ରଳୟରେ ବେହାଲ ଆମେରିକାର ଟେକ୍ସାସ, ଗଲାଣି୧୦୪ ଜୀବନ
ଜଳ ପ୍ରଳୟରେ ବେହାଲ ଆମେରିକା ଟେକ୍ସାସ । ବାଦଲଫଟା ବର୍ଷା ସାଙ୍ଗକୁ ହଠାତ୍ ବନ୍ୟାରେ ଅନେକ ଲୋକଙ୍କ ଜୀବନ ଗଲାଣି । ତା ସହିତ ଖାଦ୍ୟ ଓ ବିଜୁଳି ବିନା ବଞ୍ଚିରହିଥିବା ମଣିଷ ବି ଛଟପଟ ହେଉଛନ୍ତି । ଜୁଲାଇ ୪ ତାରିଖରେ ଆମେରିକାର ଟେକ୍ସାସ ରାଜ୍ୟର ଗୁଆଡାଲୁପ୍ ନଦୀରେ ହଠାତ୍ ବନ୍ୟା ଆସିବାରୁ ଏପର୍ଯ୍ୟନ୍ତ ୧୦୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହୁରି ବଢିବା ନେଇ ଆଶଙ୍କା ରହିଛି।
ନଦୀ ନିକଟରେ ଏକ ଗାର୍ଲସ୍ ସମର କ୍ୟାମ୍ପ ଚାଲିଥିଲା, ଯାହା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିଲା । କ୍ୟାମ୍ପରେ ଥିବା ୨୭ ଜଣ ବାଳିକାଙ୍କର ମୃତ୍ୟୁ ଘଟିଥିବା ବେଳେ ୭୫୦ ଜଣ ବାଳିକାଙ୍କୁ ଉଦ୍ଧାର କରାଯାଇଥିଲା । ବନ୍ୟା ଯୋଗୁଁ ଏବେ ବି ଅନେକ ଲୋକ ନିଖୋଜ ଅଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଉଦ୍ଧାରକାରୀମାନେ 'କ୍ୟାମ୍ପ ମିଷ୍ଟିକ୍' ଏବଂ ଅନ୍ୟାନ୍ୟ କ୍ୟାମ୍ପ ଆୟୋଜନ କରୁଥିବା ଏହି କାଉଣ୍ଟିରେ ୨୮ ଜଣ ପିଲାଙ୍କ ସମେତ ୮୪ ଜଣଙ୍କ ମୃତଦେହ ପାଇଛନ୍ତି।

ରିପୋର୍ଟ ଅନୁଯାୟୀ, ବିଭିନ୍ନ କାଉଣ୍ଟିରେ ନିଖୋଜ ଲୋକଙ୍କୁ ଖୋଜିବା ଏବଂ କ୍ଷୟକ୍ଷତି ଆକଳନ କରିବା ପାଇଁ ଜରୁରୀକାଳୀନ କର୍ମଚାରୀମାନେ ଦିନରାତି କାମ କରୁଛନ୍ତି। ଏହା ବ୍ୟତୀତ ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ କାରୋଲିନ୍ ଲେଭିଟ୍ କହିଛନ୍ତି ଯେ, ବନ୍ୟା ପୂର୍ବରୁ ସ୍ଥାନୀୟ ଏବଂ ସଂଘୀୟ ପାଣିପାଗ ବିଭାଗ କେର୍ କାଉଣ୍ଟି ସମ୍ପ୍ରଦାୟକୁ ସତର୍କ କରାଇଥିଲା । ଏହା ଏକ ପ୍ରାକୃତିକ ବିପର୍ଯ୍ୟୟ । ଲଗାଣ ବର୍ଷାରେ ବିଭିନ୍ନ ନଦୀ ଗୁଡ଼ିକ ଜଳସ୍ତର ବଢ଼ିବା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଛି । ଏଥିରେ ପ୍ରଶାସନର କୌଣସି ହାତ ନାହିଁ । କିନ୍ତୁ ପୂର୍ବରୁ ନିରନ୍ତର ଭାବେ ଚେତାବନୀ ଦିଆଯାଇଥିଲା । ଜାତୀୟ ପାଣିପାଗ ବିଭାଗ ଲଗାତାର ସତର୍କ କରାଉଥିଲା ।
ଜୁଲାଇ 3 ତାରିଖରେ, ଅଷ୍ଟିନ-ସାନ ଆଣ୍ଟୋନିଓରେ ଥିବା NWS କାର୍ଯ୍ୟାଳୟର ଅଧିକାରୀ ଏକ ବ୍ରିଫିଂ କରିଥିଲେ ଏବଂ ଅପରାହ୍ନରେ ବନ୍ୟା ଚେତାବନୀ ଦିଆଯାଇଥିଲା । ହେଲେ ଶୁକ୍ରବାର ସକାଳୁ ପ୍ରବଳ ବର୍ଷା ଯୋଗୁଁ, ଗୁଆଡାଲୁପ୍ ନଦୀର ଜଳସ୍ତର ମାତ୍ର 45 ମିନିଟରେ 26 ଫୁଟ ବୃଦ୍ଧି ପାଇଥିଲା, । ଯାହା ଟେକ୍ସାସ ହିଲ୍ କଣ୍ଟ୍ରି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା।












Click it and Unblock the Notifications