ଆଖିବୁଜି ଦେଲେ 'ତିତଲୀ ଉଡୀ' ଗାୟିକା ଶାରଦା ରାଜନ
ନୂଆଦିଲ୍ଲୀ: ପରଲୋକରେ ଲୋକପ୍ରିୟ କଣ୍ଠଶିଳ୍ପୀ ଶାରଦା ରାଜନ। କଣ୍ଠଶିଳ୍ପୀ ତଥା ସ୍ବର ସଂଯୋଜିକା ଶାରଦା ରାଜନଙ୍କ ୮୬ବର୍ଷ ବୟସରେ ଦେହାନ୍ତ ହୋଇଥିବା ଜଣାପଡ଼ିଛି ।
ସେ ଗତ କିଛି ଦିନ ହେଲାଣି କର୍କଟ ରୋଗରେ ପୀଡ଼ିତ ଥିଲେ। ଚଳଚ୍ଚିତ୍ର 'ସୂରଜ'ରେ ଥିବା 'ତିତଲୀ ଉଡି' ଗୀତ ପାଇଁ ତାଙ୍କୁ ଲୋକପ୍ରିୟତା ମିଳିଥିଲା । ସେ ଅଭିନେତ୍ରୀ ରାଜଶ୍ରୀଙ୍କ ପାଇଁ ଅନେକ ଗୀତ ଗାଇଥିଲେ ।

ଏକ ତାମିଲ ପରିବାରରେ ଜନ୍ମଗ୍ରହଣ କରିଥିବା ଶାରଦାଙ୍କର ସମ୍ପୂର୍ଣ୍ଣ ନାମ ଥିଲା ଶାରଦା ରାଜନ ଆୟାଙ୍ଗର୍। ରାଜ କପୁର ଶାରଦାଙ୍କୁ ତାଙ୍କ ଚଳଚ୍ଚିତ୍ର 'ସୁରଜ୍'ରେ ଗୀତ ଗାଇବାର ସୁଯୋଗ ଦେଇଥିଲେ। ଏହା ପରେ ଶାରଦାଙ୍କ କ୍ୟାରିୟର ଗାଡି ମାଡି ଚାଲିଥିଲା। ତାଙ୍କର ସୁମଧୁର ଏବଂ ଝଲସି ଉଠୁଥିବା ସ୍ୱର ସହିତ ଶାରଦା ପ୍ରାୟ ୪ ଦଶନ୍ଧି ଧରି ବଲିଉଡ ଚଳଚ୍ଚିତ୍ରରେ ରାଜ କରିଥିଲେ। ଶାରଦାଙ୍କ ମୃତ୍ୟୁରେ ବଲିଉଡ୍ ତାରକାମାନେ ମଧ୍ୟ ତାଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ତାଙ୍କର ଡେବ୍ୟୁ ଫିଲ୍ମ ପାଇଁ ତାଙ୍କୁ ମହମ୍ମଦ ରଫିଙ୍କ ସହ ଫିଲ୍ମଫେୟାର ପୁରସ୍କାର ମଧ୍ୟ ମିଳିଥିଲା। ଲତା ମଙ୍ଗେଶକର ଏବଂ ଆଶା ଭୋସଲେ ସେହି ସମୟର ଅଧିକାଂଶ ଚଳଚ୍ଚିତ୍ରରେ ଗୀତ ଗାଉଥିଲେ। ଏହି ସମୟରେ ଶାରଦାଜୀଙ୍କର ସ୍ବର ଏକ ବଡ଼ ପରିବର୍ତ୍ତନ ଆଣିଥିଲା । ଲୋକମାନେ ତାଙ୍କ ସ୍ୱରକୁ ଭଲପାଇବା ଦେଇଥିଲେ।
'ଆନ୍ ଇଭନିଙ୍ଗ ଇନ୍ ପ୍ୟାରିସ୍', 'ଆରାଉଣ୍ଡ ୱାର୍ଲ୍ଡ', 'ଗୁମନାମ୍', 'ସପ୍ନୋ କା ସୌଦାଗର', 'କଲ ଆଜ ଔର କଲ' ଭଳି ଚଳଚ୍ଚିତ୍ର ପାଇଁ ମଧ୍ୟ ସେ ଗୀତ ଗାଇଥିଲେ। ସେହି ସମୟରେ ସେ ବୈଜନ୍ତୀମାଲା, ମୁମତାଜ, ରେଖା, ଶର୍ମିଲା ଟାଗୋର, ହେମା ମାଲିନିଙ୍କ ପରି ଅଭିନେତ୍ରୀମାନଙ୍କ ପାଇଁ ସ୍ୱର ଦେଉଥିଲେ।












Click it and Unblock the Notifications