ଦର୍ଶନଙ୍କ ଜାମିନ ରଦ୍ଦ, ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
ରେଣୁକାସ୍ୱାମୀ ନାମକ ନିଜର ଜଣେ ଫ୍ୟାନଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇ ଜାମିନରେ ଖଲାସ ହୋଇଥିବା କନ୍ନଡ ଅଭିନେତା ଦର୍ଶନଙ୍କୁ ଲାଗିଛି ସୁପ୍ରିମ ଝଟକା। ଆଜି ସୁପ୍ରିମକୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ଏଥିସହ ତୁରନ୍ତ ତାଙ୍କୁ ହେପାଜତକୁ ନେବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ଜଷ୍ଟିସ ଜେବି ପାର୍ଡିୱାଲ ଓ ଜଷ୍ଟିସ ଆର ମହାଦେବନଙ୍କ ଖଣ୍ଡପୀଠ ପୂର୍ବରୁ କର୍ଣ୍ଣାଟକା ହାଇକୋର୍ଟ ଅଭିନେତା ଦର୍ଶନଙ୍କୁ ଦେଇଥିବା ଜାମିନ ନିର୍ଦ୍ଦେଶକୁ ରଦ୍ଦ କରି ତୁରନ୍ତ ଗିରଫଦାରୀ ପାଇଁ କହିଛନ୍ତି। ରାୟ ଦେବା ବେଳେ ସର୍ବୋଚ୍ଚ ଅଦାଲତ ହାଇକୋର୍ଟଙ୍କ ଦ୍ୱାରା ପୂର୍ବ ପରୀକ୍ଷଣ(ପ୍ରି-ଟ୍ରାଏଲ) ପ୍ରକ୍ରିୟାକୁ ସମାଲୋଚନା କରିଛନ୍ତି।

କର୍ଣ୍ଣାଟକ ସରକାର, କର୍ଣ୍ଣାଟକ ହାଇକୋର୍ଟର ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ରେଣୁକାସ୍ୱାମୀ ହତ୍ୟା ମାମଲାରେ ଅଭିନେତା ଦର୍ଶନ ଏବଂ ଅନ୍ୟମାନଙ୍କ ଜାମିନ ମଞ୍ଜୁର କରିଥିଲେ କର୍ଣ୍ଣାଟକ ହାଇକୋର୍ଟ, ଯାହାକୁ ଆଜି ବାତିଲ୍ କରିଛନ୍ତି ସୁପ୍ରିମକୋର୍ଟ। ଜାମିନ୍ ବାତିଲ୍ କରିବା ସହ ତୁରନ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ କୁହାଯାଇଛି।
ଜୁଲାଇ ୨୪ରେ ଶୁଣାଣି ବେଳେ କର୍ଣ୍ଣାଟକ ହାଇକୋର୍ଟର ଜାମିନ୍ ଦେବା ରାୟ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ଖଣ୍ଡପୀଠ। ଏହା ଇଚ୍ଛାଧୀନ କ୍ଷମତାର ଅପବ୍ୟବହାର ବୋଲି କହିଥିଲେ ଖଣ୍ଡପୀଠ। ରେଣୁକାସ୍ୱାମୀ ହତ୍ୟା ମାମଲାରେ ଅଭିନେତା ଦର୍ଶନ ଏବଂ ଅନ୍ୟ ଅଭିଯୁକ୍ତଙ୍କ ଜାମିନ ବାତିଲ କରିବା ପାଇଁ କର୍ଣ୍ଣାଟକ ସରକାର ସୁପ୍ରିମକୋର୍ଟରେ ଲିଖିତ ଯୁକ୍ତି ଦାଖଲ କରିବା ପରେ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି।
ଜଷ୍ଟିସ ମହାଦେବନ କହିଛନ୍ତି, "ଆମେ ଜାମିନ ପ୍ରଦାନ ଓ ରଦ୍ଦ ଉପରେ ବିଚାର କରିଛୁ। ହାଇକୋର୍ଟ ଅତ୍ୟଧିକ କ୍ଷମତା ପ୍ରୟୋଗ କରି ଜାମିନ ଦେଇଥିବା ସ୍ପଷ୍ଟ ହୋଇଛି। ଜାମିନ ପ୍ରଦାନ ଦ୍ୱାରା ଶୁଣାଣି ଓ ସାକ୍ଷୀମାନେ ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ରହିଛି।"
ସାଥୀ ଜଷ୍ଟିସ ମହାଦେବନଙ୍କ ରାୟକୁ ପ୍ରଶଂସା କରି ଜଷ୍ଟିସ ପାର୍ଡିୱାଲା କହିଛନ୍ତି ଯେ "ଜଷ୍ଟିସ ମହାଦେବନ ଅତ୍ୟନ୍ତ ବିଦ୍ୱାନପୂର୍ଣ୍ଣ ରାୟ ଦେଇଛନ୍ତି। ଏହାକୁ ଶବ୍ଦରେ ବୟାନ କରାଯାଇ ପାରିବ ନାହିଁ। ଅଭିଯୁକ୍ତ ଯେତେ ବଡ଼ ହୋଇଥିଲେ ହେଁ ଆଇନ ଠାରୁ ଉପରେ ନୁହନ୍ତି ବୋଲି ଏହି ରାୟ ସ୍ପଷ୍ଟ ବାର୍ତ୍ତା ଦେଇଛି।"
ଜାମିନ ଆବେଦନ ଖାରଜ କରିବା ପରେ ଦର୍ଶନଙ୍କୁ ଜେଲରେ ଭିଆଇପି ସୁବିଧା ପ୍ରଦାନ ସମ୍ପର୍କରେ କୋର୍ଟ ସତର୍କ କରାଇଛନ୍ତି। ବେଙ୍ଗାଲୁରୁ ଜେଲରେ ଦର୍ଶନ ବନ୍ଦୀ ଥିବା ବେଳେ ତାଙ୍କୁ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦିଆଯାଉଥିବାର ଫଟୋ ସାମ୍ନାକୁ ଆସିଥିଲା। ସେ ଜେଲର ବଗିଚାରରେ ହାତରେ ଚା କପ ଓ ସିଗାରେଟ ଧରି ବସିଥିବାର ଫଟୋ ବେଶ ଭାଇରାଲ ହୋଇଥିଲା।












Click it and Unblock the Notifications