ସୁସ୍ଥ ହେଲେ ରଜନୀକାନ୍ତ, ବିଶ୍ରାମ ନେବାକୁ ଡାକ୍ତରଙ୍କ ପରାମର୍ଶ
ହାଇଦ୍ରାବାଦ: ସୁସ୍ଥ ହୋଇ ଘରକୁ ଫେରିଲେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ। ହାଇଦ୍ରାବାଦସ୍ଥିତ ଅପୋଲୋ ହସ୍ପିଟାଲରୁ ସେ ଡିସ୍ଚାର୍ଜ ହୋଇ ଘରକୁ ଫେରିଛନ୍ତି । ଉଚ୍ଚରକ୍ତଚାପ ସହିତ ଅସନ୍ତୁଳନ ରକ୍ତ ସଂଚାଳନ ସମସ୍ୟା ଯୋଗୁ ଗତ ଡିସେମ୍ବର ୨୫ ତାରିଖରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଆଜି ରଜନୀଙ୍କ ସୁସ୍ଥ ହେବା ନେଇ ଆପୋଲୋର ଡାକ୍ତରି ଟିମ୍ ଘୋଷଣା କରିଛନ୍ତି।

ଏଥିସହିତ ଅଧିକ ପରିଶ୍ରମଯୁକ୍ତ କାର୍ଯ୍ୟ ନ କରି ରେଷ୍ଟ ନେବା ପାଇଁ ପରାମର୍ଶ ଡାକ୍ତରମାନେ ରଜନୀଙ୍କୁ ପରାମର୍ଶ ଦେଇଛନ୍ତି। ଡିସଚାର୍ଜ ପୂର୍ବରୁ ହସ୍ପିଟାଲ ପକ୍ଷରୁ କୁହାଯାଇଛି- ରଜନୀକାନ୍ତଙ୍କ ମେଡିକାଲ ଯାଞ୍ଚ ରିପୋର୍ଟ କିଛି ବି ଚିନ୍ତାଜନକ ନୁହେଁ । ରକ୍ତ ଚାପ ବଢ଼ିବା ଓ କମିବା ନେଇ ଚିକିତ୍ସା ଜାରି ରହିଛି ।
ସେ ଗତ ୧୦ ଦିନ ହେବ ହାଇଦ୍ରାବାଦରେ ଫିଲ୍ମ ସୁଟିଂ କରୁଥିଲେ । ସୁଟିଂ ସେଟରେ ଥିବା ଲୋକଙ୍କ ରିପୋର୍ଟ କୋଭିଡ୍ ପଜିଟିଭ୍ ଆସିଥିଲା । ଯାହାପରେ ରଜନୀକାନ୍ତ ଡିସେମ୍ବର ୨୨ରେ ନିଜ କରୋନା ଟେଷ୍ଟ କରିଥିଲେ । ତେବେ, ତାଙ୍କ ରିପୋର୍ଟ କୋଭିଡ୍ ନେଗେଟିଭ୍ ଆସିଥିଲା । ଏହାପରେ ରଜନୀକାନ୍ତ ଆଇସୋଲେସନରେ ଥିଲେ । ତାଙ୍କଠାରେ କରୋନାର କୌଣସି ଲକ୍ଷଣ ନଥିଲା ।