ବଢିଲା ଶାହରୁଖ ଖାନଙ୍କ ଅଡୁଆ, ଘର ଆଗରେ ବିକ୍ଷୋଭ
ମୁମ୍ବାଇ: ଖୁବଶୀଘ୍ର ଆସୁଛି ଶାହରୁଖ ଖାନଙ୍କ ଫିଲ୍ମ 'ଜବାନ' । ସେପ୍ଟେମ୍ବର ୭ ତାରିଖରେ ବଲିଉଡ୍ କିଙ୍ଗ୍ ଖାନଙ୍କ ଏହି ମୁଭି ମୁକ୍ତିଲାଭ କରିବାକୁ ଯାଉଛି । ଇତି ମଧ୍ୟରେ ଶାହରୁଖଙ୍କ ବଙ୍ଗଳା 'ମନ୍ନତ' ସମ୍ମୁଖରେ ଏକ ସଂଗଠନ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି ।
ଅନଲାଇନ୍ ଜୁଆ ଏବଂ ଗେମିଂ ଆପ୍ ପାଇଁ ବିଜ୍ଞାପନ କରିବା ପ୍ରତିବାଦରେ ଶାହରୁଖଙ୍କ ବଙ୍ଗଳା ଆଗରେ ଏକ ଘରୋଇ ସଂସ୍ଥା 'ଅନଟଚ୍ ୟୁଥ୍ ଇଣ୍ଡିଆ ଫାଉଣ୍ଡେସନ୍' ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହା ପରେ ମୁମ୍ବାଇ ପୋଲିସ ତାଙ୍କ ଘର ବାହାରେ ସୁରକ୍ଷା ବଢ଼ାଇଛି ।

ବିକ୍ଷୋଭକାରୀମାନେ କହିଛନ୍ତି ଯେ, ଏପରି ଜିନିଷର ପ୍ରଚାର କରି ଯୁବପିଢ଼ିଙ୍କୁ ଭୁଲ୍ ବାର୍ତ୍ତା ଦେଉଛନ୍ତି ଶାହରୁଖ । ସେଥିପାଇଁ ଶାହରୁଖ ଖାନଙ୍କ ଘର ଆଗରେ ଫିଲ୍ମକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗତକାଲି ବା ଶନିବାର ଦିନ ଏକ ଘରୋଇ ସଂସ୍ଥା ଅନ୍ଟଚ୍ ୟୁଥ୍ ପାଉଣ୍ଡେସନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଅଭିଯୋଗ ଅଣାଯାଇଥିଲା । ଅଭିଯୋଗରେ କୁହାଯାଇଥିଲା ଯେ, ଶାହରୁଖ ଏହି ଫିଲ୍ମ ମାଧ୍ୟମରେ ଜୁଆ ଖେଳର ପ୍ରଚାର କରୁଛନ୍ତି ।
ଏନେଇ ପୋଲିସ ସୂଚନା ପାଇବା ପରେ ଶାହରୁଖ୍ଙ୍କ ଘର ଆଗରେ ପହଞ୍ଚିଥିଲା । ବିକ୍ଷୋଭକାରୀମାନଙ୍କ ସହ ଆଲୋଚନା କରି ପରିସ୍ଥିତିକୁ ଆୟତ୍ତକୁ ନେଇଥିଲା । ପରେ ଶାହରୁଖ୍ ଖାନ୍ଙ୍କ ଘର ଆଗରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇଥିଲା ପୋଲିସ ।
ତେବେ ଅନ୍ୟ ଅଭିନେତାମାନେ ମଧ୍ୟ ଏଭଳି ବିଜ୍ଞାପନ କରୁଥିବା ବେଳେ କେବଳ ଶାହାରୁଖ ଖାନଙ୍କ ଘର ବାହାରେ କାହିଁକି ଏପରି ପ୍ରଦର୍ଶନ କରାଯାଉଛି ? ଏହି ପ୍ରଶ୍ନର ଉତ୍ତରରେ କୃଷ୍ଣାନନ୍ଦ କହିଛନ୍ତି, ଶାହାରୁଖ ଖାନ ଫିଲ୍ମ ଜଗତର ଜଣେ ବଡ଼ ଷ୍ଟାର । ଯେତେବେଳେ ସେ ଏଭଳି କମ୍ପାନୀଙ୍କୁ ପ୍ରମୋଟ୍ କରିବା ବନ୍ଦ କରିଦେବେ ଅନ୍ୟ ଷ୍ଟାରମାନେ ମଧ୍ୟ ତାଙ୍କୁ ଅନୁକରଣ କରି ଆଗକୁ ବଢିବେ ।
ଉଲ୍ଲେଖଯୋଗ୍ୟ, ଶାହାରୁଖ ଖାନଙ୍କ ଫିଲ୍ମ 'ପଠାନ' ରିଲିଜ ସମୟରେ ତାଙ୍କୁ ଓ ଏହି ଫିଲ୍ମକୁ କିଛି ହିନ୍ଦୁ ସଂଗଠନ ତରଫରୁ ତୀବ୍ର ବିରୋଧ କରାଯାଇଥିଲା । ଏବେ ତାଙ୍କ ଆଉ ଏକ ଚଳଚ୍ଚିତ୍ର 'ଯବାନ' ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଥିବା ବେଳେ ପୁଣି ଏହି ଅଭିନେତାଙ୍କ ବିରୋଧରେ ଏପରି ପ୍ରଦର୍ଶନ ଖବର ସାମ୍ନାକୁ ଆସିବାରେ ଲାଗିଛି ।












Click it and Unblock the Notifications