ପରିଣୀତା ନିର୍ଦ୍ଦେଶକ ପ୍ରଦୀପ ସରକାରଙ୍କ ପରଲୋକ, ଦୀର୍ଘଦିନ ଧରି ଥିଲେ ଅସୁସ୍ଥ

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ପ୍ରଦୀପ ସରକାରଙ୍କ ପରଲୋକ ହୋଇଛି । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତ୍ରୀ ୩ ଟା ୩୦ରେ ପ୍ରଦୀପ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଦୀର୍ଘଦିନ ହେବ କିଡନୀ ଜନିତ ରୋଗରେ ପିଡିତ ଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଛି ।
ଗତକାଲି ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିଯାଇଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଘରୋଇ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଥିଲା । ଅଭିନେତ୍ରୀ ନିତୁ ଚନ୍ଦ୍ରା ଏବଂ ପ୍ରଦୀପଙ୍କ ଭଉଣୀ ମାଧୁରୀ ଟ୍ୱିଟ୍ କରି ନିର୍ଦ୍ଦେଶକଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି । ଅଭିନେତ୍ରୀ ନିତୁ ଚନ୍ଦ୍ରା ଟ୍ୱିଟ୍ କରି ଲେଖିଛନ୍ତି, ପ୍ରଦୀପ ଦାଦା ଆଉ ନାହାଁନ୍ତି । ମୋ କ୍ୟାରିୟର ତାଙ୍କ ସହ ହୋଇଥିଲା ।
ପରିଣୀତା, ଲଗା ଚୁନେରି ମେଁ ଦାଗ, ମରଦାନୀ ଏବଂ ହେଲିକପ୍ଟର ଏଲା, ଭଳି ଲୋକପ୍ରିୟ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ପ୍ରଦୀପ ସରକାର । ପ୍ରଦୀପଙ୍କ ଦେହାନ୍ତ ଖବର ପ୍ରକାଶ ପାଇବା ପରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି । ବଲିଉଡ ଅଭିନେତା ଅଜୟ ଦେବଗନ୍, ମନୋଜ ବାଜପେୟୀଙ୍କ ପରି ଅନେକ କଳାକାର ଶୋକ ପ୍ରକାଶ କରିଛନ୍ତି ।
ସୂଚନାଥାଉ ଯେ, ବିନୋଦ ପ୍ରଡକ୍ସନ ହାଉସରେ ପ୍ରଦୀପ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ୧୭ ବର୍ଷ କ୍ରିଏଟିଭ୍ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବା ପରେ ସେ ଆଡ୍ ଫିଲ୍ମରେ କାମ ଆରମ୍ଭ କରିଥିଲେ । ହେଲେ ତାଙ୍କୁ ଏକ ନୂଆ ପରିଚୟ ଦେଇଥିଲା ଫିଲ୍ମ ପରିଣୀତା ଯେଉଁଥିପାଇଁ ପ୍ରଦୀପଙ୍କୁ ଜାତୀୟ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା ।












Click it and Unblock the Notifications