ଓସ୍କାରରେ ଭାରତର ଜଲୱା, ‘ଦି ଏଲିଫ୍ୟାଣ୍ଟ୍ ୱିସ୍ପରର୍ସ୍' ଏବଂ ‘ନାଟୁ-ନାଟୁ' କୁ ପୁରସ୍କାର
ଦକ୍ଷିଣ ଚଳଚ୍ଚିତ୍ର RRR ର ‘ନାଟୁ ନାଟୁ' ଗୀତକୁ ବେଷ୍ଟ ଅରିଜିନାଲ୍ ସଙ୍ଗ୍ ପୁରସ୍କାର ମିଳିଛି । ଏଥିସହିତ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚତ୍ର ‘ଦି ଏଲିଫ୍ୟାଣ୍ଟ୍ ୱିସ୍ପରର୍ସ୍' କୁ ବେଷ୍ଟ୍ ଡକ୍ୟୁମେଣ୍ଟାରୀ ସର୍ଟ ବର୍ଗରେ ମିଳିଛି ପୁରସ୍କାର ।

ନୂଆଦିଲ୍ଲୀ: ଚଳଚ୍ଚିତ୍ର ଜଗତ ପାଇଁ ଖୁସି ଖବର । ଓସ୍କାର ପୁରସ୍କାର ପାଇଁ ମନୋନୀତ ହୋଇ ସମ୍ମାନତ ହୋଇଛି ଦୁଇଟି ଚଳଚ୍ଚିତ୍ର । ଗୋଟିଏ ପଟେ ଦକ୍ଷିଣ ଚଳଚ୍ଚିତ୍ର RRR ର 'ନାଟୁ ନାଟୁ' ଗୀତକୁ ବେଷ୍ଟ ଅରିଜିନାଲ୍ ସଙ୍ଗ୍ ପୁରସ୍କାର ମିଳିଛି । ଏଥିସହିତ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚତ୍ର 'ଦି ଏଲିଫ୍ୟାଣ୍ଟ୍ ୱିସ୍ପରର୍ସ୍' କୁ ବେଷ୍ଟ୍ ଡକ୍ୟୁମେଣ୍ଟାରୀ ସର୍ଟ ବର୍ଗରେ ମିଳିଛି ପୁରସ୍କାର । ଯାହାକି ଭାରତୀୟ ସିନେପ୍ରେମୀଙ୍କ ମହଲରେ ଆନନ୍ଦ ଖେଳାଇ ଦେଇଛି ।
କାର୍ତିକି ଗନ୍ସାଲ୍ଭେସ୍ ଏବଂ ଗୁନୀତ୍ ମୋଙ୍ଗାଙ୍କ 'ନେଟ୍ଫ୍ଲିକ୍ସ୍' କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚତ୍ର 'ଦି ଏଲିଫ୍ୟାଣ୍ଟ୍ ୱିସ୍ପରର୍ସ୍' 95ତମ 'ଏକାଡେମି ଆୱାର୍ଡସ୍'ରେ 'ବେଷ୍ଟ୍ ଡକ୍ୟୁମେଣ୍ଟାରି ସର୍ଟ' ବର୍ଗରେ 'ଓସ୍କାର୍' ବିଜୟୀ ହୋଇଛି । ଏହି ଭାରତୀୟ ପ୍ରାମାଣିକ ଚଳଚ୍ଚିତ୍ରଟି 'ହାଓଲ୍ଆଉଟ୍', 'ହାଓ ଡୁ ୟୁ ମେଜର୍ ଏ ଇୟର୍?', 'ଦି ମାର୍ଥା ମିସେଲ୍ ଇଫେକ୍ଟ୍' ଏବଂ 'ଷ୍ଟ୍ରେଞ୍ଜର୍ ଆଟ୍ ଦି ଗେଟ୍' ଚଳଚ୍ଚିତ୍ରଗୁଡ଼ିକ ସହିତ ପ୍ରତିଦ୍ୱନ୍ଦିତା କରିଥିଲା । ନିର୍ଦ୍ଦେଶକ ଗନ୍ସାଲ୍ଭେସ୍ ଏହି 'ଓସ୍କାର୍' ପୁରସ୍କାରକୁ 'ମାତୃଭୂମି ଭାରତ'କୁ ଉତ୍ସର୍ଗ କରିଛନ୍ତି ।
ଅଚିନ୍ ଜୈନ୍ ଏବଂ ଗୁନୀତ୍ ମୋଙ୍ଗାଙ୍କ ଦ୍ୱାରା ପ୍ରଯୋଜିତ ଓ କାର୍ତିକି ଗନ୍ସାଲ୍ଭେସ୍ଙ୍କ ଦ୍ୱାରା ନିର୍ଦ୍ଦେଶିତ 41 ମିନିଟ୍ର ଏହି ଡକ୍ୟୁମେଣ୍ଟାରୀ ତାମିଲନାଡୁର ମୁଦୁମଲାଇ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳର ଏକ ପରିବାର ଉପରେ ପର୍ଯ୍ୟବସିତ । ଏହି ପରିବାର ଦୁଇଟି ବାପାମାଆ ଛେଉଣ୍ଡ ହାତୀଛୁଆଙ୍କୁ ପୋଷ୍ୟ କରି ବିରଳ ଉଦାହରଣ ସୃଷ୍ଟି କରିଥିଲେ ।
ସୂଚନାଯୋଗ୍ୟ, ଚଳିତ ବର୍ଷ 'ଓସ୍କାର୍ସ'ରେ ଭାରତ ସମୁଦାୟ 3 ଟି 'ଓସ୍କାର୍' 'ନୋମିନେସନ୍' ମିଳିଛି । 'ବେଷ୍ଟ୍ ଅରିଜିନାଲ୍ ସଙ୍ଗ୍' (ନାଟୁ ନାଟୁ), 'ବେଷ୍ଟ୍ ଡକ୍ୟୁମେଣ୍ଟାରି ଫିଚର୍ ଫିଲ୍ମ' (ସୌନକ୍ ସେନ୍ଙ୍କ 'ଅଲ୍ ଦ୍ୟାଟ୍ ବ୍ରିଦ୍ସ୍) ଏବଂ 'ବେଷ୍ଟ୍ ଡକ୍ୟୁମେଣ୍ଟାରି ସର୍ଟ' (କାର୍ତିକି ଗନ୍ସାଲ୍ଭେସ୍ଙ୍କ ଦ୍ୱାରା ନିର୍ଦ୍ଦେଶିତ 'ଦି ଏଲିଫ୍ୟାଣ୍ଟ୍ ୱିସ୍ପରର୍ସ୍')।












Click it and Unblock the Notifications