କଣ୍ଠଶିଳ୍ପୀ ତପୁ ମିଶ୍ର ଗୁରୁତର : ଡାକ୍ତର କହିଲେ ତୁରନ୍ତ ଦରକାର ଏକମୋ ଚିକିତ୍ସା
ଓଲିଉଡ କଣ୍ଠଶିଳ୍ପୀ ତପୁ ମିଶ୍ର ଗୁରୁତର
ଭୁବନେଶ୍ୱର: ଓଲିଉଡ୍ କଣ୍ଠଶିଳ୍ପୀ ତପୁ ମିଶ୍ର ଗୁରୁତର । କରୋନା ପଜିଟିଭ ହେବା ପରେ ଗତ 26 ଦିନ ହେବ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଏବେ ଅନ୍ୟ ଏକ କୋଭିଡ ହସ୍ପିଟାଲରେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ଶରୀରରେ ଅକ୍ସିଜେନ୍ ସ୍ତର ହ୍ରାସ ପାଉଥିବାରୁ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡିଥିବା ଜଣାପଡିଛି ।
ଏଠାରେ ସୂଚନାଥାଉକି, ଗତ ମେ 19 ତାରିଖରେ କରୋନା ପଜିଟିଭ ଚିହ୍ନଟ ହେବାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।

ବୁଧବାର ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହୋଇ ପଡିଥିବା ବେଳେ ଅବସ୍ଥାରେ କୌଣସି ଉନ୍ନତି ଆସୁନଥିବା ମିଡିଆ ରିପୋର୍ଟ କହିଛି । ତପୁଙ୍କୁ ତୁରନ୍ତ ଏକମୋ ଚିକିତ୍ସା ଦିଆଗଲେ ସେ ସୁସ୍ଥ ହୋଇଯିବେ ବୋଲି ଡାକ୍ତର କହିଥିବା 'ସମାଜ' ଖବରକାଗଜ ତାର ଏକ ରିପୋର୍ଟରେ ପ୍ରକାଶ କରିଛି । ଆହୁରି ମଧ୍ୟ ତପୁଙ୍କୁ ଏଜାବତ୍ ଏକମୋ ଚିକିତ୍ସା ଦିଆଯାଇ ନାହିଁ । ଏପର୍ଯ୍ୟନ୍ତ ତପୁଙ୍କ ଚିକିତ୍ସାରେ 10 ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ସରିଲାଣି ।
ଅପରପକ୍ଷରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେଉଥିବାରୁ ଆତ୍ମୀୟ, ସହକର୍ମୀ ସାରା ଓଡ଼ିଶାବାସୀ ପ୍ରିୟ କଣ୍ଠଶିଳ୍ପୀଙ୍କ ଆରୋଗ୍ୟ କାମନା କରିଛନ୍ତି । ବରିଷ୍ଠ ଅଭିନେତ୍ରୀ ମହେଶ୍ୱତା ରାୟ ନିଜ ଫେସବୁକ୍ ଆକାଉଣ୍ଟରେ ତପୁଙ୍କ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ ନିବେଦନ କରିଛନ୍ତି। ଅଭିନେତା ବୁଦ୍ଧାଦିତ୍ୟ, ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ, କଣ୍ଠଶିଳ୍ପୀ ସତ୍ୟଜିତ ପ୍ରଧାନଙ୍କ ସମେତ ବହୁ କଳାକାର ତପୁ ମିଶ୍ରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।












Click it and Unblock the Notifications