ଲିଭର ଦେବା ପାଇଁ ମିଳୁ ନାହାନ୍ତି ଡୋନର, ଦିଲ୍ଲୀରୁ ହାଇଦ୍ରାବାଦ ସ୍ଥାନାନ୍ତର ହେଲେ ପିଣ୍ଟୁ ନନ୍ଦ
ଅସୁସ୍ଥ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର । ଦିଲ୍ଲୀର ଏକ ଘରୋଇ ମେଡିକାଲରୁ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି ।

ଭୁବନେଶ୍ୱର: ଅସୁସ୍ଥ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର । ଦିଲ୍ଲୀର ଏକ ଘରୋଇ ମେଡିକାଲରୁ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି । ଅଧିକ ଚିକିତ୍ସା ପାଇଁ ପିଣ୍ଟୁ ନନ୍ଦ ଦିଲ୍ଲୀରୁ ହାଇଦ୍ରାବାଦ ସ୍ଥାନାନ୍ତର । ଗତ ୭ ତାରିଖରେ ସେ ଦିଲ୍ଲୀ ସ୍ଥିତ ILBS ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମାତ୍ର ନିଜ ପରିବାର ସଦସ୍ୟଙ୍କ ବ୍ଲଡ ଗ୍ରୁପ ମ୍ୟାଚ ନ କରିବାରୁ ଆଜି ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି ।
ସୂଚନାଯୋଗ୍ୟ ଯେ, ଲିଭର ସିରୋସିସ୍ ରୋଗରେ ପୀଡିତ ଅଛନ୍ତି ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ଆବଶ୍ୟକ ପଡ଼ିଲା। ଏଥି ନିମନ୍ତେ ଓଡ଼ିଶାରେ ବ୍ୟବସ୍ଥା ନଥିବା ବେଳେ ପିଣ୍ଟୁଙ୍କୁ ଦିଲ୍ଲୀ ସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ୍ ବିଲିଆରି ସାଇନସେସ (ILBS) ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଏବେ ପରିବାରର କାହା ସହିତ ପିଣ୍ଟୁଙ୍କର ଲିଭର ମ୍ୟାଚ୍ କରୁନାହିଁ । ଯାହା ଫଳରେ ତାଙ୍କୁ କାଡ୍ଭ୍ରାରିକ୍ ଟ୍ରିଟ୍ମେଣ୍ଟ ପାଇଁ ହାଇଦ୍ରାବାଦ ସ୍ଥାନାନ୍ତରିତ କରାଯାଇଛି । ପିଣ୍ଟୁ ନନ୍ଦଙ୍କ ଅବସ୍ଥା ଏବେ ସ୍ଥିର ଥିବା ବେଳେ ଖୁବଶୀଘ୍ର ଡୋନର ଯୋଗାଡ଼ ପ୍ରକ୍ରିୟା ଆରମ୍ଭ ହୋଇଛି। ଡୋନର ମିଳିଲେ ତାହା ତାଙ୍କ ଶରୀରରେ ଟ୍ରାନ୍ସପ୍ଲାଣ୍ଟ କରାଯିବାର ବ୍ୟବସ୍ଥା କରାଯିବ ବୋଲି ଓଡ଼ିଶା ସିନେ ଆର୍ଟିଷ୍ଟ ସମ୍ପାଦକ ଶ୍ରୀତମ ଦାସ କହିଛନ୍ତି ।
ସୂଚନାଯୋଗ୍ୟ, ୪୫ ବର୍ଷ ବୟସ୍କ ପିଣ୍ଟୁଙ୍କ ଲିଭର୍ ଟ୍ରାନ୍ସପ୍ଲାଣ୍ଟ ପାଇଁ ୫୦ ଲକ୍ଷରୁ ଅଧିକ ଟଙ୍କା ଆବଶ୍ୟକ ରହିଛିା ତେବେ ଓଡ଼ିଶା ସିନେ ଆର୍ଟିଷ୍ଟ ସଂଘ ସହ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ପିଣ୍ଟୁଙ୍କ ପାଇଁ ଆର୍ଥିକ ସହାୟତା ରାଶି ମିଳିବାରେ ଲାଗିଛି । ପିଣ୍ଟୁ ନନ୍ଦ ବହୁ ବର୍ଷ ହେବ ଓଡିଆ ସିନେମା ଜଗତରେ ସକ୍ରିୟ ଅଛନ୍ତି । ଦର୍ଶକ ପିଣ୍ଟୁ ନନ୍ଦଙ୍କୁ କେତେବେଳେ ଖଳନାୟକ, କେତେବେଳେ ସହନାୟକ ପୁଣି କେତେବେଳେ କମେଡିଆନ୍ ଚରିତ୍ରରେ ଦେଖିଛନ୍ତି । ପିଣ୍ଟୁ ବିଭିନ୍ନ ସମୟରେ ନାୟକ, ନାୟିକାଙ୍କ ଭାଇ, ଦାଦା ଭଳି ଚରିତ୍ରରେ ବି ନଜର ଆସିଛନ୍ତି । ପିଣ୍ଟୁ ନନ୍ଦ ଓଲିଉଡରେ ୩୦ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ 'ରାଣ୍ତି ପୁଅ ଅନନ୍ତା' ଦର୍ଶକଙ୍କ ମନକୁ ଛୁଇଁଥିଲା। ସେହିପରି ଅନ୍ୟ ସିନେମା ଗୁଡିକ ହେଲା 'ଜୟ ଜଗନ୍ନାଥ', 'ବାହୁଡିବେ ମୋ ଜଗା ବଳିଆ', 'ଆଇ ଲଭ ମାଇଁ ଇଣ୍ତିଆ',' ସାଥୀରେ', 'ପ୍ରେମ ପାଇଁ ମହାଭାରତ', 'କଥାଦେଲି ମଥା ଛୁଇଁ', 'ଦୋସ୍ତି','ପ୍ରେମ ଋତୁ ଆସିଲାରେ','ହାତଧରି ଚାଲୁଥା','ରଙ୍ଗ ନମ୍ବର'ଏବଂ 'ଲଭ ଏକ୍ସପ୍ରେସ' ଆଦି ଫିଲ୍ମରେ ଦମଦାର ଅଭିନୟ କରିଛନ୍ତି । ସେ ୧୯୯୬ରେ 'କୋଇଲି 'କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । କେବଳ ଫିଲ୍ମ ନୁହେଁ ଅନେକ ଆଲବମରେ ମଧ୍ୟ ସେ ଅଭିନୟ କରିଛନ୍ତି ।












Click it and Unblock the Notifications