ଚାଲିଗଲେ 'ମହାଭାରତ'ର ଶକୁନି
ମୁମ୍ବାଇ: ମହାଭାରତରେ ଶକୁନି ଚରିତ୍ରରେ ଅଭିନୟ କରିଥିବା ଗୁଫୀ ପେଣ୍ଟଲଙ୍କ ଦେହାନ୍ତ । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ଅସୁସ୍ଥତା କାରଣ ଦୀର୍ଘ ଦିନ ଧରି ସେ ଡାକ୍ତରଖାନାରେ ଚିକିତ୍ସାଧିନ ଥିଲେ । ତାଙ୍କ ପରିବାର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ଗୁଫିଙ୍କ ଜନ୍ମ ୪ ଅକ୍ଟୋବର ୧୯୪୪ରେ ହୋଇଥିଲା । ସେ ଲୋକପ୍ରିୟ ଟେଲିଭିଜନ ଶୋ'ମହାଭାରତରେ 'ଶକୁନି' ଭୂମିକାରେ ଅଭିନୟ କରିଥିଲେ । ତାଙ୍କ ଅଭିନୟ ଦର୍ଶକଙ୍କର ମନ ଜିଣିଥିଲା । ଘରେ ଘରେ ସେ ଏକ ନୂଆ ପରିଚୟ ପାଇଥିଲେ । ଅଭନୟ କରିବା ପୂର୍ବରୁ ସେ ସେନାରେ ଥିଲେ ।

ସୂଚନାଅନୁସାରେ, ଆଜି ସକାଳ ପ୍ରାୟ ୯ଟା ବେଳେ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଥିଲା । ଶୋଇଥିବା ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କର ପୁରା ପରିବାର ତାଙ୍କ ପାଖରେ ଉପସ୍ଥିତ ଥିଲା । ଆଜି ଅପରାହ୍ନ ୪ଟା ବେଳେ ମୁମ୍ବାଇର ଅନ୍ଧେରୀ ଉପନଗରୀସ୍ଥିତି ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବା ନେଇ ସୂଚନା ରହିଛି ।
ଗୁଫୀ ଅନେକ ଟେଲିଭିଜନ ଧାରାବାହିକ ଓ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ମହାଭାରତ, କାନୁନ୍, ଓଁ ନମଃ ଶିବାୟ, ସିଆଇଡି ପରି ଟେଲିଭିଜନ ଶୋ'ରେ ତାଙ୍କ ସୁନ୍ଦର ଅଭିନୟ ଦର୍ଶକଙ୍କୁ ମତୁଆଲା କରିଥିଲା । ୧୯୭୫ ମସିହାରେ ସେ ହିନ୍ଦୀ ସିନେମା 'ରଫୁ ଚକ୍କର'ରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ।












Click it and Unblock the Notifications