ଇତିହାସ ରଚିଲା ‘କେଜିଏଫ୍-୨’, ଓଡିଶାରେ ବି ଖଚାଖଚ୍ ଭିଡ଼
‘କେଜିଏଫ୍-୨’ ବକ୍ସ ଅଫିସରେ ଜବରଦସ୍ତ ଶୁଭାରମ୍ଭ କରି ଇତିହାସ ରଚିଛି । ଫିଲ୍ମକୁ ସମୀକ୍ଷକ ଓ ଦର୍ଶକ ଭୂରି ଭୂରି ପ୍ରଶଂସା କରିଛନ୍ତି ।
ମୁମ୍ବାଇ: ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ 'କେଜିଏଫ୍-୨' (KGF-2) । ଗୁରୁବାର ଫିଲ୍ମଟି ରିଲିଜ ହୋଇ ଥିବାବେଳେ ୫ଟି ଭାଷା ହିନ୍ଦୀ, କନ୍ନଡ, ତାମିଲ୍, ତେଲୁଗୁ ଓ ମାଲାୟାଲମ୍ ଭାଷାରେ ରିଲିଜ୍ ହୋଇଛି । KGF-1 ର ସସପେନ୍ସକୁ ନେଇ KGF-2 ଫିଲ୍ମ ଦେଖିବାକୁ ଲୋକଙ୍କ ମଧ୍ୟରେ ଦେଖାଦେଇଛି ବେଶ ଉତ୍ସାହ । ରିଲିଜ ପୂର୍ବରୁ ହିଁ ଆଡଭାନ୍ସ ବୁକିଂରେ ନୂଆ ରେକର୍ଡ କରିସାରିଛି ଏହି ଫିଲ୍ମ ।

ତେବେ 'କେଜିଏଫ୍-୨' ବକ୍ସ ଅଫିସରେ ଜବରଦସ୍ତ ଶୁଭାରମ୍ଭ କରି ଇତିହାସ ରଚିଛି । ଫିଲ୍ମକୁ ସମୀକ୍ଷକ ଓ ଦର୍ଶକ ଭୂରି ଭୂରି ପ୍ରଶଂସା କରିଛନ୍ତି । ଫିଲ୍ମଟି ହିନ୍ଦୀରେ ସବୁଠୁ ବଡ଼ ଅପନିଂ କରିଥିବା ଫିଲ୍ମ ମଧ୍ୟ ହୋଇଯାଇଛି । ଫିଲ୍ମଟି ପ୍ରଥମ ଦିନରେ ୫୩.୯୬ କୋଟି ଟଙ୍କା ବ୍ୟବସାୟ କରିଥିବା ଜରାପଡ଼ିଛି । ଏଥିସହିତ ସମଗ୍ର ଭାରତରେ ଫିଲ୍ମଟି ପ୍ରଥମ ଦିନରେ ୧୩୪. ୫ କୋଟି ଟଙ୍କା ରୋଜଗାର କରି କୀର୍ତ୍ତିମାନ ସ୍ଥାପିତ କରିଛି ।
ସେପଟେ ଭୁବନେଶ୍ବରର ବିଭିନ୍ନ ହଲରେ ମଧ୍ୟ ସମାନ ଚିତ୍ର ଦୃଶ୍ୟମାନ ହୋଇଛି । ଆଡଭାନ୍ସ ବୁକିଂରେ କୋଟି କୋଟି ଟଙ୍କା ଆୟ କରିଛି ଏହି ସିନେମା । ଭୁବନେଶ୍ବରର ପ୍ରାୟ ହଲ୍ରେ କିଛି ଦିନ ପାଇଁ ଟିକେଟ ବୁକ୍ ହୋଇସାରିଛି । ଏହି କ୍ରେଜକୁ ନେଇ ହଲ୍ଗୁଡିକ ହାଉସଫୁଲ୍ ରହୁଛି ।
ତେବେ ବୁଧବାର ରାତି ୨ଟା ୫୦ରେ ରିଲିଜ୍ ହୋଇଥିବା ବେଳେ ମହାରାଜା ହଲ୍ ଆଗରେ ଏମିତି ରାତିଅଧିଆ ଭିଡ଼ ଜମିଥିବା ଦେଖାଯାଇଥିଲା। ଏହି ସିନେମାର ପ୍ରଥମ ସୋ' ରାତି ୨ଟା.୫୦ରୁ ହୋଇ ୫ଟାରେ ସରିଥିଲା। ରାଜଧାନୀ ଇତିହାସରେ ଏହା ଏକ ନୂଆ ଘଟଣା। ଆଗରୁ ଏପରି କେବେ ଦେଖିବାକୁ ମିଳିନଥିଲା।
ମହାରାଜା ସହ ରାଜଧାନୀରେ ଥିବା ଶ୍ରୀୟା, ସ୍ତୁତି, ଆଇନକ୍ସ, ସିନେପଲିସ୍, କେଶରୀ ହଲ୍, ଆଇନକ୍ସ, ସିମ୍ଫୋନି ମଲ୍ରେ ଆଜି ଏହି ଚଳଚ୍ଚିତ୍ର ରିଲିଜ୍ ହୋଇଥିବା ବେଳେ ସବୁ ସୋ' ହାଉସ୍ଫୁଲ୍ ଥିଲା। ସକାଳ ସାଢ଼େ ୬ଟାରୁ ରାତି ୧୦.୧୫ ପର୍ଯ୍ୟନ୍ତ ସବୁ ହଲ୍ ଆଗରେ ଭିଡ଼ ଜମିଥିବା ଦେଖାଯାଇଥିଲା। ଏପରିକି ଆସନ୍ତା ୩ ଦିନ ପାଇଁ ବି ସବୁ ସିଟ୍ ବୁକ୍ ହୋଇସାରିଥିବା ଜଣାପଡ଼ିଛି।












Click it and Unblock the Notifications