ଆସନ୍ତାକାଲି ଠାରୁ ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ
ରବିବାରଠାରୁ ଆରମ୍ଭ ହେବ ସପ୍ତଦଶ ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ । ସ୍ୱତନ୍ତ୍ର ଭାବେ ପ୍ରାମାଣିତ ଚିତ୍ର, କ୍ଷୁଦ୍ର ଚଳଚ୍ଚିତ୍ର ଓ ଆନିମେସନ ଫିଲ୍ମ ପାଇଁ ଏହି ଉତ୍ସବ ଟି ଉଦ୍ଦିଷ୍ଟ ।
ମୁମ୍ବାଇ : ରବିବାରଠାରୁ ଆରମ୍ଭ ହେବ ସପ୍ତଦଶ ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ । ସ୍ୱତନ୍ତ୍ର ଭାବେ ପ୍ରାମାଣିତ ଚିତ୍ର, କ୍ଷୁଦ୍ର ଚଳଚ୍ଚିତ୍ର ଓ ଆନିମେସନ ଫିଲ୍ମ ପାଇଁ ଏହି ଉତ୍ସବ ଟି ଉଦ୍ଦିଷ୍ଟ । ଏନେଇ ମୁମ୍ବାଇର ଫିଲ୍ମ ଡିଭିଜନ କମ୍ପେ୍ଲକ୍ସ ପରିସରକୁ ପ୍ରସ୍ତୁତ କରାଯାଇଛି । ପ୍ରାୟ ଗୋଟିଏ ସପ୍ତାହ ଏହି ଉତ୍ସବଟି ଚାଲିବ ।

ଉତ୍ସବର ଉଦ୍ଘାଟନ କାର୍ଯ୍ୟକ୍ରମ ୱର୍ଲିସ୍ଥିତ ନେହେରୁ ସେଣ୍ଟରରେ ଅନୁଷ୍ଠିତ ହେବ । ଚଳଚ୍ଚିତ୍ର ଉତ୍ସବ କିନ୍ତୁ ଫିଲ୍ମ ଡିଭିଜନ କମ୍ପେ୍ଲକ୍ସରେ ଆୟୋଜିତ ହେବ ଏବଂ ସେଠାରେ ଥିବା ଆଧୁନିକ ପ୍ରେକ୍ଷାଳୟ ସମୂହରେ ଚିତ୍ରଗୁଡିକୁ ପ୍ରଦର୍ଶିତ କରାଯିବ। ଏଥର ମୁମ୍ବାଇ ଆର୍ନ୍ତଜାତିକ ଚଳଚ୍ଚିତ୍ର ଉତ୍ସବ ପାଇଁ ସମଗ୍ର ବିଶ୍ୱରୁ ବେଶ୍ ଭଲ ପ୍ରତିନିଧିତ୍ୱ ମିଳିଛି । ମୋଟ 30ଟି ଦେଶରୁ ପ୍ରାୟ 808ଫିଲ୍ମ ପ୍ରତିଯୋଗିତା ବର୍ଗରେ ପ୍ରଦର୍ଶିତ ହେବ । ସେଥିରୁ 35ଟି ଆନ୍ତର୍ଜାତିକ ପ୍ରତିଯୋଗିତା ଓ 67ଟି ଜାତୀୟ ପ୍ରତିଯୋଗିତା ବର୍ଗରେ ସ୍ଥାନିତ ହୋଇଛି। ଏହା ଛଡା 18ଟି ଫିଲ୍ମକୁ 'ଏମ୍ଆଇଏଫ୍ଏଫ୍ ପ୍ରିଜମ' ବର୍ଗରେ ପ୍ରଦର୍ଶନ କରାଯିବ।
ଉତ୍ସବରେ ଶ୍ରେଷ୍ଠ ବିବେଚିତ ଚଳଚ୍ଚିତ୍ରକୁ ଗୋଲଡେଡନ କଞ୍ଚ ଓ ନଗଦ 10ଲକ୍ଷ ଅର୍ଥ ରାଶି ସହ ପୁରୁସ୍କୃତ କରାଯିବ । ସେହିଭଳି ଅନ୍ୟାନ୍ୟ ପୁରସ୍କାର ବାବଦରେ ରୌପ୍ୟ ଶଂଖ (ସିଲଭର୍ କଞ୍ଚ) ସମେତ 5 ଲକ୍ଷରୁ 1ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ପୁରସ୍କାର, ମାନପତ୍ର ଓ ଟ୍ରଫି ପ୍ରଦାନ କରାଯିବ । ବିଦ୍ୟାର୍ଥୀ ବର୍ଗର ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ଆଇଡିପିଏ ପୁରସ୍କାର ଏବଂ ପ୍ରଥମଥର ନିର୍ଦ୍ଦେଶନା ଦେଇଥିବା ଶ୍ରେଷ୍ଠ ନିର୍ଦ୍ଦେଶକଙ୍କୁ ଦାଦା ସାହେବ ଫାଲ୍କେ ଚିତ୍ର ନଗରୀ ପୁରସ୍କାର ଉତ୍ସବର ସମାପନ ଦିବସରେ ପ୍ରଦାନ କରାଯିବ।
ସମ୍ମାନଜନକ ଡକ୍ଟର ଭି ଶାନ୍ତାରାମ ଜୀବନବ୍ୟାପୀ ଉପଲବ୍ଧି ପୁରସ୍କାର ବାବଦରେ ଶ୍ରେଷ୍ଠ ଚଳଚ୍ଚିତ୍ରକୁ ସୁବର୍ଣ୍ଣ ଶଙ୍ଖ, ୧୦ଲକ୍ଷ ଟଙ୍କା ଓ ପ୍ରଶଂସାପତ୍ର ବୃତ୍ତଚିତ୍ର ବର୍ଗରେ ଶ୍ରେଷ୍ଠତ୍ୱ ପାଇଁ ଜଣେ ପ୍ରତିଷ୍ଠିତ ଚିତ୍ର ନିର୍ମାତାକୁ ପ୍ରଦାନ କରାଯିବ । ଅତୀତରେ ପ୍ରସିଦ୍ଧ ଚିତ୍ର ନିର୍ମାତା ଏସ୍ କୃଷ୍ଣସ୍ୱାମୀ, ଶ୍ୟାମ ବେନେଗାଲ, ନରେଶ ବେଦୀ, ବିଜୟା ସୁଲୟ ପ୍ରମୁଖଙ୍କୁ ଏହି ପୁରସ୍କାର ମିଳିଛି । ପ୍ରଖ୍ୟାତ ଚିତ୍ର ନିର୍ମାତା ଭି. ଶାନ୍ତାରାମଙ୍କ ସ୍ମୃତିରେ ଏହି ପୁରସ୍କାର ପ୍ରଦାନ କରାଯାଉଛି ।
ଏଥର 'କଣ୍ଟ୍ରି ଫୋକସ' ବର୍ଗରେ ଏହି ଚଳଚ୍ଚିତ୍ର ଉତ୍ସବରେ ବାଂଲାଦେଶ ସ୍ଥାନ ପାଇଛି । ବାଂଲାଦେଶ ତାହାର ସ୍ୱାଧୀନତାର 50ବର୍ଷ ପୂର୍ତ୍ତି ପାଳନ କରୁଥିବାରୁ ସେ ଦେଶର 11ଟି ଚିତ୍ରକୁ ସ୍ୱତନ୍ତ୍ର ପ୍ୟାକେଜରେ ପ୍ରଦର୍ଶିତ କରାଯିବ । ସେଥି ମଧ୍ୟରେ ରହିଛି ବହୁଚର୍ଚ୍ଚିତ ଫିଲ୍ମ "ହସିନା ଏ ଡଟର୍ସ ଟେଲ" । ଏହାଛଡା ନେଟଫ୍ଲିକ୍ସ ଅରିଜିନନାଲ ସିରିଜ୍ର 'ମାଇଟି ଲିଟଲ ଭୀମ: ଆଇ ଲଭ୍ ତାଜମହଲ" ଏପିସୋଡ ମଧ୍ୟ ଏଥିରେ ବିଶ୍ୱ ଦର୍ଶକଙ୍କ ପାଇଁ ପ୍ରଥମ ପ୍ରଦର୍ଶିତ ହେବ। ଭାରତ ଓ ଜାପାନ ଦ୍ୱାରା ମିଳିତଭାବେ ପ୍ରସ୍ତୁତ ପ୍ରଥମ ଆନିମେସନ ଫିଲ୍ମ -ରାମାୟଣ: ଦି ଲିଜେଣ୍ଡ ଅଫ ପ୍ରିନ୍ସ ରାମ'କୁ ମଧ୍ୟ ଏଥିରେ ସ୍ୱତନ୍ତ୍ରଭାବେ ପ୍ରଦର୍ଶିତ କରାଯିବ ।












Click it and Unblock the Notifications