୨୦୨୬ ଓସ୍କାର ପାଇଁ ଫିଲ୍ମ 'ହୋମ୍ବାଉଣ୍ଡ' କରିବ ଭାରତ ପକ୍ଷରୁ ପ୍ରତିନିଧିତ୍ବ
ଫିଲ୍ମ ଫେଡେରେଶନ ଅଫ୍ ଇଣ୍ଡିଆ (ଏଫ୍ଏଫ୍ଆଇ) ଦ୍ୱାରା କୋଲକାତାରେ ଆୟୋଜିତ ଏକ ପ୍ରେସ କନଫରେନ୍ସରେ ୯୮ତମ ଓସ୍କାର ପୁରସ୍କାର ପାଇଁ ଅନ୍ତର୍ଜାତୀୟ ଫିଚର ଫିଲ୍ମ ବିଭାଗରେ ଭାରତର ଅଫିସିଆଲ ଏଣ୍ଟ୍ରୀ ଭାବେ ନୀରଜ ଘୟୱାନଙ୍କ ଚଳଚ୍ଚିତ୍ର 'ହୋମବାଉଣ୍ଡ'କୁ ଚୟନ କରାଯାଇଛି। ଏହା ଭାରତୀୟ ସିନେମା ପାଇଁ ବିଶ୍ୱ ମଞ୍ଚରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ହେବ।
କୋଲକାତାର ପ୍ରତିଷ୍ଠିତ ଗ୍ଲୋବ ସିନେମାରେ ଅନୁଷ୍ଠିତ ଏହି ପ୍ରେସ କନଫରେନ୍ସରେ ୧୪ ଜଣ ଜୁରୀ ସଦସ୍ୟ ଉପସ୍ଥିତ ଥିଲେ। ଏହି ଜୁରୀ ପ୍ୟାନେଲରେ ଏନ ଚନ୍ଦ୍ରା (ଅଧ୍ୟକ୍ଷ), ରଣବୀର ପୁଷ୍ପ ଏବଂ ଏଞ୍ଜେଲିକା ମୋନିକା ଆଦି ସାମିଲ ଥିଲେ। ଦେଶବ୍ୟାପୀ ବିଭିନ୍ନ ଚଳଚ୍ଚିତ୍ର ମଧ୍ୟରୁ ୨୪ଟି ଫିଲ୍ମକୁ ସର୍ଟଲିଷ୍ଟ କରାଯାଇ ଅନ୍ତିମ ଭାବେ 'ହୋମବାଉଣ୍ଡ'କୁ ଓସ୍କାର ପାଇଁ ଚୟନ କରାଗଲା।

ଏହି ଫିଲ୍ମ ପୂର୍ବରୁ ଆନ୍ତର୍ଜାତୀୟ ପ୍ରଶଂସା ପାଇସାରିଛି। ଏହା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଏକ ଜବରଦସ୍ତ ପ୍ରତିକ୍ରିୟା ପାଇଥିଲା ଏବଂ ଟୋରଣ୍ଟୋ ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ (TIFF 2025) ରେ ପିପୁଲ୍ସ ଚଏସ୍ ଆୱାର୍ଡ ପାଇଁ ଦ୍ୱିତୀୟ ରନର୍ସ-ଅପ୍ ଥିଲା। ଏବେ ଓସ୍କାର ଯାତ୍ରା ଆରମ୍ଭ ହେଉଛି। ଏକାଡେମୀ ଡିସେମ୍ବର ୧୬, ୨୦୨୫ ରେ ଅନ୍ତର୍ଜାତୀୟ ଫିଚର ଫିଲ୍ମ ପାଇଁ ସଂକ୍ଷିପ୍ତ ତାଲିକା ପ୍ରକାଶ କରିବ। ୨୨ ଜାନୁଆରୀ ୨୦୨୬ ରେ ଚୂଡ଼ାନ୍ତ ପାଞ୍ଚଟି ମନୋନୀତ ଚଳଚ୍ଚିତ୍ର ଘୋଷଣା କରାଯିବ। ୯୮ତମ ଓସ୍କାର ସମାରୋହ ୧୫ ମାର୍ଚ୍ଚ ୨୦୨୬ ରେ ଲସ୍ ଆଞ୍ଜେଲସର ଡଲବି ଥିଏଟରରେ ଅନୁଷ୍ଠିତ ହେବ।
ଭାରତ ୧୯୫୭ ମସିହାରୁ ଓସ୍କାର ପାଇଁ ଚଳଚ୍ଚିତ୍ର ଦାଖଲ କରିଆସୁଛି। ଗତ ବର୍ଷ, କିରଣ ରାଓଙ୍କ "ମିସିଂ ଲେଡିଜ୍"କୁ ଚୟନ କରାଯାଇଥିଲା। ଯଦିଓ ଏହା ଶ୍ରେଷ୍ଠ ୧୫ ତାଲିକାରେ ସ୍ଥାନ ପାଇନଥିଲା, ତଥାପି ଏହା ଯଥେଷ୍ଟ ଅନ୍ତର୍ଜାତୀୟ ପ୍ରଶଂସା ପାଇଥିଲା। ଏବେ, ସମସ୍ତଙ୍କ ନଜର "ହୋମବାଉଣ୍ଡ" ଉପରେ ରହିଛି। ଆଶା କରାଯାଉଛି ଯେ ଏହି ଚଳଚ୍ଚିତ୍ର କେବଳ ଭାରତକୁ ପ୍ରତିନିଧିତ୍ୱ କରିବ ନାହିଁ ବରଂ ଓସ୍କାର ପାଇଁ ମନୋନୀତ ହୋଇ ଦେଶ ପାଇଁ ଗୌରବ ଆଣିବ |












Click it and Unblock the Notifications