ବଲିଉଡ ଉପରେ ଭାରି ପଡିଲା ସାଉଥ୍, ଫିକା ପଡିଲା ଅଜୟଙ୍କ ଜଲୱା

ମୁମ୍ବାଇ: ମାର୍ଚ୍ଚ ୩୦ ଗୁରୁବାର ଦିନ ବକ୍ସ ଅଫିସରେ ସାଉଥ ବନାମ ବଲିଉଡର ଏକ ଜବରଦସ୍ତ ସଂଘର୍ଷ ଦେଖିବା ପାଇଁ ମିଳିଥିଲା । ଗୋଟିଏ ପଟେ ହିନ୍ଦୀ ସିନେମାର ସୁପରଷ୍ଟାର ଅଜୟ ଦେବଗନଙ୍କ 'ଭୋଲା' ସିନେମା ହଲରେ ମୁକ୍ତିଲାଭ କରିଥିବାବେଳେ ଅନ୍ୟ ପଟେ ସାଉଥ ସୁପରଷ୍ଟାର ନାନୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଦସାରା' ମଧ୍ୟ ରିଲିଜ୍ ହୋଇଥିଲା । ଚାଲନ୍ତୁ ନଜର ପକାଇବା ଆୟ ତୁଳନାରେ କେଉଁ ସିନେମା ରହିଛି ଆଗରେ ।
ରିଲିଜ୍ ପୂର୍ବରୁ ହିଁ ବଲିଉଡ ସୁପରଷ୍ଟାର ଅଜୟ ଦେବଗନଙ୍କ ସିନେମା 'ଭୋଲା'କୁ ନେଇ ଚର୍ଚ୍ଚା ଲାଗି ରହିଛି । ଫିଲ୍ମ 'ଭୋଲା'ର ପ୍ରଥମ ଦିନର ଆୟକୁ ଦେଖି ଆଶା କରାଯାଉଥିଲା ଯେ ଫିଲ୍ମଟି ଆଗକୁ ମଧ୍ୟ ବେଶ୍ ଭଲ ବ୍ୟବସାୟ କରିବ । ହେଲେ ଦ୍ୱିତୀୟ ଦିନରେ ଅଜୟଙ୍କ ଫିଲ୍ମ ବକ୍ସଅଫିସରେ କିଛି ଖାସ୍ ବ୍ୟବସାୟ କରିପାରି ନଥିଲା ।
ପ୍ରସିଦ୍ଧ ବାଣିଜ୍ୟ ବିଶ୍ଳେଷକ ତରନ ଆଦର୍ଶ ଶନିବାର ଦିନ ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମରେ ଭୋଲାର ଆୟ ବିଷୟରେ ସୂଚନା ଦେଇଥିଲେ । ତରନଙ୍କ ସୂଚନା ଅନୁସାରେ, ଓପନିଂ ଦିନରେ ଭୋଲା ୧୧.୨୦ କୋଟି ଟଙ୍କାର ବ୍ୟବସାୟ କରିଥିଲା ହେଲେ ଦ୍ୱିତୀୟ ଦିନରେ ମାତ୍ର ୭.୮୦ କୋଟିର ବ୍ୟବସାୟ କରିଛି । ଯାହା ପରେ ଫିଲ୍ମର ମୋଟ ଆୟ ଦୁଇ ଦିନରେ ୧୮.୬୦ କୋଟିରେ ପହଞ୍ଚିଛି ।
ଅନ୍ୟପଟେ ସୁପରଷ୍ଟାର ନାନୀଙ୍କ ଫିଲ୍ମ 'Dasara' ରିଲିଜ ହେବାର ପ୍ରଥମ ଦିନରେ ଜବରଦସ୍ତ ଆୟ କରିଥିଲା । ରିପୋର୍ଟ ଅନୁସାରେ ସାଉଥ୍ ଚଳଚ୍ଚିତ୍ର 'Dasara' ସମସ୍ତ ଭାଷାରେ ଓପିନିଂ ଡେ'ରେ ୨୩.୨ କୋଟି ଟଙ୍କା ରୋଜଗାର କରିଛି । ହେଲେ ଭୋଲା ପରି ଏହି ଫିଲ୍ମର ଦ୍ୱିତୀୟ ଦିନର ଆୟ ମଧ୍ୟ ଖୁବ କମିଯାଇଥିଲା । ଦ୍ୱିତୀୟ ଦିନରେ 'Dasara' ୯.୭୫ କୋଟିର ବ୍ୟବସାୟ କରିଛି । ଯାହା ପରେ 'Dasara'ମୋଟ୍ ଆୟ ୩୨.୯୫ କୋଟିରେ ପହଞ୍ଚିଛି । ଯାହା ପରେ ଏହା ସ୍ପଷ୍ଟ ଯେ, 'Dasara'ଅଜୟଙ୍କ ଫିଲ୍ମ 'ଭୋଲା' ଆୟ ତୁଳନାରେ ଆଗରେ ରହିଛି ।












Click it and Unblock the Notifications