ଆଜି ଲୋକସେବା ଭବନରେ ପ୍ରଦର୍ଶିତ ହେବ 'ଦମନ'
ଆଜି ଅପରାହ୍ନରେ ଲୋକସେବା ଭବନରେ ପ୍ରଦର୍ଶିତ ହେବ 'ଦମନ'
ଭୁବନେଶ୍ୱର: ବଢୁଛି ସିନେମା 'ଦମନ'ର ଚାହିଦା । ପ୍ରେକ୍ଷାଳୟରେ ଜମୁଛି ଦର୍ଶକଙ୍କ ଭିଡ଼ । ସାଉଁଟୁଛି ଦର୍ଶକଙ୍କ ପ୍ରଶଂସା । ଏପରିକି ସରକାରୀ ସ୍ତରରେ ମଧ୍ୟ ଚଳଚ୍ଚିତ୍ର 'ଦମନ'କୁ ମିଳୁଛି ପ୍ରୋତ୍ସାହନ । ନିକଟରେ ଏହି ସିନେମାକୁ ସମ୍ପୁର୍ଣ୍ଣ କରମୁକ୍ତ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏବେ ବାବୁସାନଙ୍କ ଫିଲ୍ମ 'ଦମନ'କୁ ନେଇ ଆଉ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଆଜି ଅପରାହ୍ନରେ ଲୋକସେବା ଭବନରେ ପ୍ରଦର୍ଶିତ ହେବ 'ଦମନ' । ସଚିବାଳୟ କନଭେନସନ ହଲରେ ସିନେମା ଦେଖିବେ ବରିଷ୍ଠ ସରକାରୀ ଅଧିକାରୀ । ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ସୂଚନା ଜାରି କରାଯାଇଛି ।

ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ ଚିଠି ଲେଖି ସମସ୍ତ ବିଭାଗକୁ ସୂଚନା ଦେଇଛନ୍ତି ଯେ, ନିକଟରେ ରିଲିଜ୍ ହୋଇଥିବା ଓଡ଼ିଆ ଫିଲ୍ମ 'ଦମନ' ବିଚ୍ଛିନ୍ନାଞ୍ଚରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଘନ ଅନ୍ଧାର ଭିତରେ ଆଶାର ଏକ ଆଲୋକ ସଞ୍ଚାର କରିଛି । ସିନେମାଟି ବାସ୍ତବଧର୍ମୀ କାହାଣୀ । ଫିଲ୍ମର କଥାବସ୍ତୁ, ଚିତ୍ରୟଣ, ପ୍ରତିଟି ଚରିତ୍ରର ଅଭିନୟ, ସଂପାଦନା ପ୍ରତିଟି ଦିଗରୁ ଅତି ସୁନ୍ଦର ହୋଇଛି । ଏହି ଚଳଚ୍ଚିତ୍ର ରାଜ୍ୟର ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଜନସେବା କ୍ଷେତ୍ରରେ ପ୍ରେରଣା ପ୍ରଦାନ କରୁଛି । ତେଣୁ ଏହି କ୍ରମରେ ଉକ୍ତ ସିନେମାକୁ ଆଜି ସନ୍ଧ୍ୟା ୫ଟାରୁ ସଚିବାଳୟ କନଭେନସନ ହଲରେ ପ୍ରଦର୍ଶନ କରାଯିବ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ ।












Click it and Unblock the Notifications