ପରଲୋକରେ ବାପି ଲାହିରି
ଆଖି ବୁଜିଛନ୍ତି ବଲିଉଡର ଡିସ୍କୋ କିଙ୍ଗ୍ ଭାବେ ପରିଚିତ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରି। ୬୯ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଗତକାଲି ବିଳମ୍ବିତ ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।
ମୁମ୍ବାଇ: ଆଉ ନାହାନ୍ତି ବାପି ଲାହିରି । ଆଖି ବୁଜିଛନ୍ତି ବଲିଉଡର ଡିସ୍କୋ କିଙ୍ଗ୍ ଭାବେ ପରିଚିତ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରି। ୬୯ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଗତକାଲି ବିଳମ୍ବିତ ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

ଅସୁସ୍ଥତା ହେତୁ ଗତ କିଛି ମାସ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବାପି ଲାହିରି। ଗତ ସୋମବାର ଘରକୁ ଫେରିଥିଲେ। କିନ୍ତୁ ଗତକାଲି (ମଙ୍ଗଳବାର) ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଗତକାଲି ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ହୋଇଥିଲା।
୨୭ ନଭେମ୍ବର ୧୯୫୨ରେ କୋଲକାତାରେ ଜନ୍ମ ହୋଇଥିବା ବାପି ଲାହିରିଙ୍କ ଅସଲି ନାଁ ଥିଲା ଆଲୋକେଶ ଲାହିରି। ତାଙ୍କର ଭିନ୍ନ ଶୈଳୀ ହେତୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ତଥା ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେ ଲୋକମାନଙ୍କ ମଧ୍ୟରେ ତାଙ୍କ ସ୍ୱର୍ଣ୍ଣ ଅଳଙ୍କାରରେ ଭରପୂର ସଂଗୀତଜ୍ଞ ଭାବରେ ବେଶ୍ ପରିଚିତ। ସେ ତାଙ୍କ ସମୟରେ ଅନେକ ହିଟ୍ ଗୀତ ଗାଇଛନ୍ତି ।
ମୁଖ୍ୟତଃ ୮୦ ଓ ୯୦ ଦଶକରେ ବଲିଉଡରେ ରାଜ୍ କରିଥିଲେ ବାପି ଦା'। ସୁପରହିଟ୍ ଫିଲ୍ମ 'ଚଲତେ ଚଲତେ', 'ଡିସ୍କୋ ଡ୍ୟାନ୍ସର', 'ଶରାବୀ' ଓ 'ନମକ ହଲାଲ' ଭଳି ଫିଲ୍ମରେ ମ୍ୟୁଜିକ ଦେଇ ବେଶ୍ ଲୋକପ୍ରିୟତା ସାଉଣ୍ଟିଥିଲେ ବାପି ଦା'। ଶେଷ ଥର ପାଇଁ ବିଗ୍ ବସ୍-୧୫ରେ ସଲଖାନ ଖାଁଙ୍କ ସହ ତାଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ।
୨୦୧୪ରେ ବାପି ଦା' ରାଜନୀତିରେ ବି ପାଦ ଥାପି ଥିଲେ। ସେ ବିଜେପି ଟିକେଟ୍ରେ ଶ୍ରେରମପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ତେବେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ କଲ୍ୟାଣ ବାନାର୍ଜୀଙ୍କ ଠାରୁ ସେ ପରାସ୍ତ ହୋଇଯାଇଥିଲେ।
୧୯୮୪ରେ ରିଲିଜ୍ ହୋଇଥିବା ଫିଲ୍ମ 'ଶରାବି' ପାଇଁ ବାପି ଦା'ଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଫିଲ୍ମ ଫେୟାର ଆୱାର୍ଡ ପ୍ରଦାନ କରାଯାଇଥିଲା। ସେହିପରି ୨୦୧୮ରେ ତାଙ୍କୁ ଜୀବନ ବ୍ୟାପୀ ସାଧନା ପାଇଁ ଫିଲ୍ମ ଫେୟାର ଆୱାର୍ଡ ପ୍ରଦାନ କରାଯାଇଥିଲା।












Click it and Unblock the Notifications