‘ଆଦିପୁରୁଷ’ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାମଲା: ହିନ୍ଦୁଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ
ଦିଲ୍ଲୀ: ପ୍ରଭାସ ଅଭିନୀତି ଫିଲ୍ମ ଆଦିପୁରୁଷ ଆଜି ସାରା ଦେଶରେ ରିଲିଜ ହୋଇଛି। ଫିଲ୍ମଟି ରିଲିଜ ହେବା କ୍ଷଣି ବିବାଦ ଆରମ୍ଭ ହୋଇ ଯାଇଛି । ହିନ୍ଦୁ ସେନା ପକ୍ଷରୁ ଏହି ଫିଲ୍ମର ବିରୋଧ କରାଯାଉଛି ।
ଏହି ଫିଲ୍ମ ହିନ୍ଦୁଙ୍କ ଭାବାବେଗକୁ ଆଘାତ କରିଛି । ରାମାୟଣକୁ ଏଥିରେ ପରିହାସ କରାଯାଇଛି । ଏଭଳି ଅଭିଯୋଗ ଆଣି ହିନ୍ଦୁ ସେନାର ଜାତୀୟ ସଭାପତି ବିଷ୍ଣୁ ଗୁପ୍ତା ଦିଲ୍ଲୀ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି । ଭଗବାନ ରାମ ଏବଂ ଆମ ସଂସ୍କୃତିକୁ ଏଥିରେ ଉପହାସ କରାଯାଇଥିବାରୁ ହିନ୍ଦୁମାନଙ୍କ ଭାବାବେଗକୁ ଏହା ଆଘାତ କରିଛି ।

ହିନ୍ଦୁ ସେନା ପକ୍ଷରୁ ଦାୟର ପିଟିସନରେ କୁହାଯାଇଛି କି, ଫିଲ୍ମରେ ରାମାୟଣ ଭଗବାନ ରାମ ଓ ଆମର ସଂସ୍କୃତିର ମଜାକ କରାଯାଇଛି । ଏହା ବ୍ୟତୀତ ଏହି ପିଟିସନରେ ହିନ୍ଦୁ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦିଲ୍ଲୀ କୋର୍ଟରେ ଆଦିପୁରୁଷରେ ରାବଣ , ଭଗବାନ ରାମ , ମାତା ସୀତା ଓ ହନୁମାନଙ୍କ ସଂପର୍କିତ ଆପତ୍ତିଜନକ ଦୃଶ୍ୟକୁ ହଟେଇବାକୁ ଦାବି କରିଛନ୍ତି । ତାଙ୍କର କହିବା ହେଲା କି ଫିଲ୍ମର ଦୃଶ୍ୟରେ ରାମାୟଣରେ ଥିବା ଧାର୍ମିକ ଚରିତ୍ର ଚିତ୍ରଣର ବିପରୀତ ।
ସୈଫ ଅଲ୍ଲୀ ଖାନ୍ ରାବଣ ଚରିତ୍ରରେ ଦେଖିବାକୁ ମିଳିଛନ୍ତି। କିନ୍ତୁ ତାଙ୍କର ଦାଢ଼ି ଥିବା ଦୃଶ୍ୟ ଉପରେ ଆପତ୍ତି ଉଠାଯାଇଛି। ତାଙ୍କ ମୁଖମଣ୍ଡଳ ଅତ୍ୟନ୍ତ ଖରାପ ଦେଖାଯାଉଛି। ହିନ୍ଦୁ ବ୍ରାହ୍ମଣ ରାବଣଙ୍କ ଏଭଳି ଚିତ୍ରଣ ହିନ୍ଦୁ ସଭ୍ୟତା ପ୍ରତି ଅପମାନ। ରାବଣଙ୍କୁ ନେଇ ପ୍ରସ୍ତୁତ ଦୃଶ୍ୟଗୁଡ଼ିକରେ ତଥ୍ୟକୁ ବିକୃତ କରାଯାଇଛି ବୋଲି ଆବେଦନରେ କୁହାଯାଇଛି ।

ମିଡ଼ିଆ ରିପୋର୍ଟ ଅନୁସାରେ, ଆଦିପୁରୁଷର ପାଖାପାଖି ୧୦ ଲକ୍ଷ ଟିକେଟ ଆଡଭାନ୍ସରେ ହିଁ ବୁକ୍ ହୋଇ ସାରିଥିଲା । ଏଥିରେ ଅନୁମାନ କରାଯାଉଛି କି ୮୦ କୋଟି ଟଙ୍କାର ଓପନିଂ କରିପାରେ । ଫିଲ୍ମର ବଜେଟ ୫୦୦କୋଟି ଟଙ୍କା ଥିବାର କୁହାଯାଉଛି ।












Click it and Unblock the Notifications