ଅନୁଭବଙ୍କ ବିରୋଧରେ ଏତଲା ଦେଲେ ବର୍ଷା: କହିଲେ, ମନଗଢ଼ା କାହାଣୀ କହି କରୁଛନ୍ତି ଆକ୍ଷେପ, ହାନି ହେଉଛି ସମ୍ମାନ
ଅନୁଭବଙ୍କ ଦୁଇଟି ପାର୍ଟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଆଜି କଟକ ପୁରୀଘାଟ ଥାନାରେ ସ୍ବାମୀଙ୍କ ବିରୋଧରେ ଏତଲା ଦେଇଛନ୍ତି ପତ୍ନୀ ବର୍ଷା।
ଭୁବନେଶ୍ୱର: ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ କମିବା ବଦଳରେ ବଢିବାରେ ଲାଗିଛି । ଅନୁଭବଙ୍କ ଦୁଇଟି ପାର୍ଟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଆଜି କଟକ ପୁରୀଘାଟ ଥାନାରେ ସ୍ବାମୀଙ୍କ ବିରୋଧରେ ଏତଲା ଦେଇଛନ୍ତି ପତ୍ନୀ ବର୍ଷା।

ଏତଲାରେ ବର୍ଷା ଅଭିଯୋଗ କରି ଲେଖିଛନ୍ତି, ଅନୁଭବ ମନଗଢ଼ା ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଯେଉଁଥିରେ ତାଙ୍କୁ ଆକ୍ଷେପ କରି ଅନେକ କିଛି କହିଛନ୍ତି । ତାଙ୍କ ନାରୀତ୍ୱକୁ ଅପମାନ କରିଛନ୍ତି । ମିଡିଆ ମାଧ୍ୟମରେ ଚରିତ୍ର ସଂହାର କରି ବିରୋଧରେ ଷଡଯନ୍ତ୍ର କରୁଛନ୍ତି । ଭିତିହୀନ କାହାଣୀ ସଜେଇ ସମାଜର ମର୍ଯ୍ୟାଦାର ସହିତ ବଂଚିବାର ଅଧିକାରୀ ଛଡାଇ ନେଉଛନ୍ତି ।
ବର୍ଷା ଆହୁରି ଲେଖିଛନ୍ତି, କୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ଭିଡିଓ କରୁଛନ୍ତି। ଭିଡିଓ କରି ମୋ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଉଛନ୍ତି। ମୋତେ ଅପମାନିତ କରିବା ଭଳି ଭିଡିଓ ଅପଲୋଡ କରୁଛନ୍ତି। ମୋର ମାନହାନି ସହ ଅନୁଭବ ଚରିତ୍ରହାନି କରୁଛନ୍ତି। ଏପରି କରି ମୋତେ ମାନସିକ ଭାବେ ନିର୍ଯାତନା ଦେଉଛନ୍ତି ବୋଲି ବର୍ଷା ଲେଖିଛନ୍ତି।

ଏତଲାରେ ବର୍ଷା କହିଛନ୍ତି, ୨୦୨୦ ମସିହାରେ ଅନୁଭବ ଯେତେବେଳେ ତାଙ୍କୁ ଡିଭୋର୍ସ ଦେବାକୁ ବାଧ୍ୟ କରିଥିଲେ, ସେତବେଳେ ସେ ରାଜି ନହେବାରୁ ସେ ତାଙ୍କୁ ଡରାଇଥିଲେ । ଯଦି ବର୍ଷା ତାଙ୍କୁ ଭଲରେ ଭଲରେ ୩ ଦିନ ଭିତରେ ଡିଭୋର୍ସ ନଦିଅନ୍ତି, ତେବେ ସେ ତାଙ୍କୁ ସମାଜରେ ବାଟ ଚଲେଇ ଦେବେନି ବୋଲି କହିଥିଲେ । ବର୍ଷା ତାଙ୍କ ଗୋଡ ହାତ ଧରିକି କାନ୍ଦିବା ସହିତ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ହେଲେ ବର୍ଷା ତାଙ୍କ ବୈବାହିକ ସମ୍ପର୍କକୁ ଭାଙ୍ଗିବାକୁ ଚାହୁଁନଥିଲେ ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି । ଆଉ ଶେଷରେ ଅନୁଭବଙ୍କର ଦୁଇଟି ଯାକ ଭିଡିଓକୁ ଅନୁଧ୍ୟାନ କରି ଆଇନ୍ ଅନୁସାରେ ଦୋଷୀକୁ ଉପଯୁକ୍ତ ଦଣ୍ଡବିଧାନ କରିବାକୁ ବର୍ଷା ଅନୁରୋଧ କରିଛନ୍ତି ।












Click it and Unblock the Notifications