ସରିଲା ଆଥିଆ-କେ.ଏଲ୍ ରାହୁଲଙ୍କ ବିବାହ, ଆଇପିଏଲ ପରେ ହେବ ଭୋଜି
ଅଭିନେତ୍ରୀ ଆଥିଆ ସେଟ୍ଟୀ ଏବଂ କ୍ରିକେଟର କେ.ଏଲ୍ ରାହୁଲ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଆଜି ଆଥିଆଙ୍କ ପିତା ସୁନୀଲ ସେଟ୍ଟୀଙ୍କ ଖଣ୍ଡାଲା ଫାର୍ମହାଉସରେ ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ମୁମ୍ବାଇ: ଦୀର୍ଘ ଦିନ ଧରି ଡେଟ୍ କରିବା ଏବଂ ନିଜ ସମ୍ପର୍କକୁ ବେଶ୍ ସୁନ୍ଦର ଭାବେ ଲୁଚାଇ ରଖିବା ପରେ ଅଭିନେତ୍ରୀ ଆଥିଆ ସେଟ୍ଟୀ ଏବଂ କ୍ରିକେଟର କେ.ଏଲ୍ ରାହୁଲ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସୋମବାର ଅର୍ଥାତ୍ ଆଜି ଆଥିଆଙ୍କ ପିତା ସୁନୀଲ ସେଟ୍ଟୀଙ୍କ ଖଣ୍ଡାଲା ଫାର୍ମହାଉସରେ ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଏବଂ ଦୁହେଁ ବିବାହ କରିଥିଲେ । କିଛି ବଲିଉଡ କଳାକାର ଓ କ୍ରିକେଟର ଏହି ବିବାହରେ ନଜର ଆସିଥିଲେ ।
ଶନିବାର ଦିନ ବିବାହ ଉତ୍ସବ ଆରମ୍ଭ ହୋଇଥିଲା, ଫାର୍ମହାଉସରେ ସାଜସଜ୍ଜାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ରବିବାର ରାତିରେ ପରିବାର ସଦସ୍ୟଙ୍କ ପାଇଁ ଏକ କକଟେଲ ନାଇଟ୍ ସହ ସଂଗୀତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯେଉଁଥିରେ ପରିବାର ସଦସ୍ୟ ଏବଂ କିଛି ଘନିଷ୍ଠ ବନ୍ଧୁମାନେ ଯୋଗ ଦେଇଥିଲେ । ବିବାହରେ ଅନୁପମ ଖେର୍, କ୍ରିଷ୍ଣା ଶ୍ରଫ୍, ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଲାଙ୍କୁ ଦେଖିବା ପାଇଁ ମିଳିଥିଲା । ତେବେ ବିବାହରେ ଯୋଗ ଦେଇଥିବା ଅତିଥିଙ୍କ ଫୋନରେ ଷ୍ଟିକର ଲଗାଯାଇ ତାଙ୍କୁ ଭିତରକୁ ଛଡାଯାଉଥିଲା ।
ବିବାହ ପରେ ସୁନୀଲ ସେଟ୍ଟୀ ଗଣମାଧ୍ୟମ ସହିତ କଥାବାର୍ତ୍ତା କରି କହିଥିଲେ ଯେ, ଆଥିଆ ଏବଂ ରାହୁଲଙ୍କ ବିବାହ ଶେଷ ହୋଇଛି । ଯେତେବେଳେ ସୁନୀଲ ସେଟ୍ଟୀଙ୍କୁ ପଚରାଯାଇଥିଲା ଯେ, ରିସେପସନ୍ କେବେ ହେବ? ଏହାର ଜବାବରେ ସୁନୀଲ ସେଟ୍ଟୀ କହିଛନ୍ତି ଯେ, ଏହା ଆଇପିଏଲ ପରେ ବିବାହ ଭୋଜି ରଖାଯିବ । ସେହିପରି ଅନେକ ସେଲିବ୍ରିଟି ଟ୍ୱିଟ୍ କରି ଏହି ଷ୍ଟାର୍ କପଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।












Click it and Unblock the Notifications