ୟୁଟ୍ୟୁବର ଏଲଭିଶ ଯାଦବଙ୍କୁ ବଡ଼ ଆଶ୍ଵସ୍ତି, ଏହି ମାମଲାରେ FIR ରଦ୍ଦ କଲେ ସୁପ୍ରିମକୋର୍ଟ
ଲୋକପ୍ରିୟ ୟୁଟ୍ୟୁବର ଏଲଭିଶ ଯାଦବଙ୍କୁ ବଡ଼ ଆଶ୍ଵସ୍ତି । ୨୦୨୩ ମସିହାରେ ତାଙ୍କ ବିରୋଧରେ ରୁଜୁ ହୋଇଥିବା ''ସାପ ବିଷ'' ବ୍ୟବହାର ମାମଲାରେ ସୁପ୍ରିମକୋର୍ଟ ଏଫଆଇଆରକୁ ରଦ୍ଦ କରିଛନ୍ତି । ଏହି ନିଷ୍ପତ୍ତି ପରେ ଏଲଭିଶଙ୍କୁ ଏକ ବଡ଼ ଆଇନଗତ ଆଶ୍ୱସ୍ତି ମିଳିବା ସହ ଦୀର୍ଘ ଦିନ ଧରି ଚାଲିଥିବା ବିବାଦର ଅନ୍ତ ଘଟିଛି ।
କୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ଏଲଭିଶଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ପ୍ରମାଣିତ କରିବା ପାଇଁ କୌଣସି ଠୋସ ପ୍ରମାଣ ରେକର୍ଡରେ ନାହିଁ । ପୋଲିସ ଦ୍ୱାରା ରୁଜୁ ହୋଇଥିବା ଏଫଆଇଆରରେ ପ୍ରକ୍ରିୟାଗତ ଓ ତଥ୍ୟଗତ ଗମ୍ଭୀର ତ୍ରୁଟି ରହିଛି। ଏହି ଆଧାରରେ କୋର୍ଟ ଏଲଭିଶଙ୍କ ବିରୋଧରେ ହୋଇଥିବା ସମସ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୨୩ରେ ଏକ ରେଭ୍ ପାର୍ଟିରେ ସାପ ବିଷକୁ ନିଶା ଭାବରେ ବ୍ୟବହାର କରାଯାଉଥିବା ''ପିପୁଲ୍ସ ଫର୍ ଆନିମଲ୍ସ'' ସଂଗଠନର ଅଧିକାରୀ ଗୌରବ ଗୁପ୍ତାଙ୍କ ଅଭିଯୋଗ କ୍ରମେ ଏଲଭିଶ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଏହି ମାମଲାରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଓ ଏନଡିପିଏସ୍ ଆଇନ ଅନୁଯାୟୀ ଏଲଭିଶଙ୍କୁ ପୋଲିସ ଗିରଫ ମଧ୍ୟ କରିଥିଲା । ୧୨୦୦ ପୃଷ୍ଠାର ଚାର୍ଜସିଟରେ ସାପ ଜାଲିଆତି କରୁଥିବା ବ୍ୟକ୍ତିଙ୍କ ସହ ଏଲଭିଶଙ୍କ ସମ୍ପର୍କ ଥିବା ଦର୍ଶାଯାଇଥିଲା। ତେବେ ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଏବେ ଏହି ସମସ୍ତ ଅଭିଯୋଗ ଏକ ପ୍ରକାର ମୂଲ୍ୟହୀନ ହୋଇଯାଇଛି ।












Click it and Unblock the Notifications