ପୋଲିସ ଆଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ସୁରକ୍ଷାକର୍ମୀ
ଭୁବନେଶ୍ବର: ନିଜ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ସିକ୍ୟୁରିଟି ଗାର୍ଡ (ସୁରକ୍ଷାକର୍ମୀ) । ଭୁବନେଶ୍ବର ଏୟାରପୋର୍ଟ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗଙ୍ଗନଗର ଅଞ୍ଚଳରେ ଜଣେ ସିକ୍ୟୁରିଟି ଗାର୍ଡ ଏମିତି ଆତ୍ମହତ୍ୟା କରିଥିବା କୁହାଯାଉଛି । ସିକ୍ୟୁରିଟି ଗାର୍ଡ ଜଣକ ଏଭଳି କାହିଁକି କଲେ ତାହା ସ୍ପଷ୍ଟ ହୋଇନାହିଁ । ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ହେଲେ କୃଷ୍ଣଚନ୍ଦ୍ର ଦାସ । ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି ପୋଲିସ ।
ଏନେଇ ମୃତ ସିକ୍ୟୁରିଟି ଗାର୍ଡଙ୍କ ପତ୍ନୀ କହିଛନ୍ତି, "କିଛି ଲୋକ ମୋ ସ୍ୱାମୀଙ୍କୁ ମାଡ଼ ମାରିଥିଲେ । ଏହି କାରଣରୁ ସେ ନିଜକୁ ନିଜେ ଗୁଳି କରିବାକୁ ଉଦ୍ୟମ କରିଥିଲେ। ଘର ମଧ୍ୟରେ ପୁଅ, ଝିଅ ଓ ମୁଁ ପ୍ରାୟ ୨ ଘଣ୍ଟା ତାଙ୍କୁ ଏଥିରୁ ଓହରିବାକୁ ବୁଝାଇଥିଲୁ। ପିସିଆର ଭ୍ୟାନ୍କୁ ବି ଖବର ଦେଇଥିଲୁ। ମାତ୍ର ପରେ ସେ ଘର ବାହାରକୁ ଚାଲିଯାଇ ହଠାତ୍ ପିସିଆର ଭ୍ୟାନ୍ ସମ୍ମୁଖରେ ନିଜ ମୁଣ୍ଡକୁ ଗୁଳି କରିଥିଲେ।"