ଏଣିକି UAEରେ ମଧ୍ୟ ଚାଲିବ UPI: ୟୁପିଆଇ ମାଧ୍ୟମରେ ଦୁବାଇ ପଠାଇ ହେବ ଟଙ୍କା
ଆବୁଧାବି: ସ୍ଥାନୀୟ କରେନ୍ସି (ମୁଦ୍ରା)ରେ କାରବାର ପାଇଁ ଭାରତ ଏବଂ ମିଳିତ ଆରବ ଏମିରାତ୍(ୟୁଏଇ) ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ଶେଷକରି ଶନିବାର ୟୁଏଇରେ ପହଞ୍ଚିବା ପରେ ଏନେଇ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି ।
ଦ୍ୱିପାକ୍ଷିକ କାରବାର ଲାଗି ନିଜ ନିଜ ସ୍ଥାନୀୟ ମୁଦ୍ରାର ବ୍ୟବହାର ଉପରେ ଢାଞ୍ଚା ପ୍ରସ୍ତୁତ କରିବାକୁ ଭାରତ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ଶନିବାର ଏମ୍ଓୟୁ ସ୍ବାକ୍ଷର କରିଛନ୍ତି । ୟୁଏଇ ଇନ୍ଷ୍ଟାଣ୍ଟ ପେମେଣ୍ଟ ପ୍ଲାଟଫର୍ମ(ଆଇଆଇପି) ସହ ଭାରତର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍(ୟୁପିଆଇ) ସଂଯୋଗ ଉପରେ ଉଭୟ ଦେଶ ସହମତ ହୋଇଛନ୍ତି ।

ତେବେ ୟୁଏଇର ରାଷ୍ଟ୍ରପତି ମହମ୍ମଦ ବିନ ଜାଏଦ ଅଲ ନାହାନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଭାରତ ଏବଂ ୟୁଏଇ ମଧ୍ୟରେ ଏହି ଏମଓୟୁ ସ୍ବାକ୍ଷରିତ ହୋଇଛି । ଏହା ଦ୍ବାରା ଉଭୟ ରାଷ୍ଟ୍ର ମଧ୍ୟରେ ସହଜରେ କାରବାର କରାଯାଇ ପାରିବ ଏବଂ ଦୁଇ ଦେଶ ମଧ୍ୟରେ ରହିଥିବା ଅର୍ଥନୈତିକ ସହଯୋଗକୁ ଆହୁରି ସୁଦୃଢ କରାଯାଇ ପାରିବ ।
ଏହି ଚୁକ୍ତିନାମାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ଏବଂ ୟୁଏଇର ସେଣ୍ଟ୍ରାଲ ବ୍ୟାଙ୍କ (ସିବିୟୁଏଏ)ର ଗଭର୍ଣ୍ଣର ଖାଲିଦ ମହମ୍ମଦ ବାଲାମା ସ୍ବାକ୍ଷର କରିଛନ୍ତି । ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (UPI) ର ବ୍ୟବହାର ଆରମ୍ଭ କରିବା ଉପରେ ସହମତି ପ୍ରକାଶ ପାଇବା ପରେୁ ୟୁଏଇରେ ମଧ୍ୟ ବ୍ୟବହାର ଉପରେ ସହମତି ପ୍ରକାଶ ପାଇଛି । ପେମେଣ୍ଟ ମେସେଜିଂ ସିଷ୍ଟମକୁ ଲିଙ୍କ କରିବାକୁ ଆରବିଆଇ ଏବଂ ସିବିୟୁଏଇ ରାଜି ହୋଇଛନ୍ତି ।
ଏହାଦ୍ବାରା କରେଣ୍ଟ ଆକାଉଣ୍ଟ ଟ୍ରାନଜାକ୍ସନ ଏବଂ ଅନୁମୋଦିତ କ୍ୟାପିଟାଲ ଆକାଉଣ୍ଟ ଟ୍ରାନଜାକ୍ସନ ସହଜରେ କରାଯାଇପାରିବ। ଏହା ଫଳରେ ଅନ୍ତର୍ଜାତୀୟ ମୁଦ୍ରା ବିନିମୟ ବଜାରରେ ଭାରତୀୟ ଟଙ୍କା ଓ ୟୁଏଇ ମୁଦ୍ରା ଦିରହାମ(ଏଇଡି)ସ୍ଥିତି ଆହୁରି ସୁଦୃଢ ହୋଇପାରିବ ବୋଲି କୁହାଯାଇଛି । ଏହାବ୍ୟତୀତ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଉଭୟ ଦେଶ ମଧ୍ୟରେ ହେଉଥିବା ଅର୍ଥ କାରବାର ପାଇଁ ବ୍ୟୟ ହାର କମ ରହିବ । ସେହିପରି ଯେଉଁ ଭାରତୀୟମାନେ ୟୁଏଇ ରୁ ଭାରତକୁ ଅର୍ଥ ପଠାଉଛନ୍ତି ସେମାନଙ୍କ ପାଇଁ ମଧ୍ୟ ବିନିମୟ ଖର୍ଚ୍ଚ ହ୍ରାସ ପାଇବ । ଦ୍ବିତୀୟ ବୁଝାମଣାପତ୍ର ଅନୁସାରେ ଭାରତର ୟୁପିଆଇ ବ୍ୟବସ୍ଥାକୁ ୟୁଏଇର ପେମେଣ୍ଟ ସିଷ୍ଟମ ସହ ଯୋଡ଼ାଯିବ । ଏହା ଫଳରେ ଲୋକମାନେ ୟୁପିଆଇ ମାଧ୍ୟମରେ ଦୁବାଇ ସମେତ ୟୁଏଇର ବିଭିନ୍ନ ସହରକୁ ଅର୍ଥ ପ୍ରେରଣ କରିପାରିବେ କିମ୍ବା ସେଠାରୁ ଭାରତକୁ ପଠାଇପାରିବେ ।
ସୂଚନାଥାଉ କି, ଚଳିତ ବର୍ଷ ଜାନୁଆରି ସରକାର ଘୋଷଣା କରିଥିଲେ ଯେ ୧୦ଟି ଦେଶରେ ବାସ କରୁଥିବା ଭାରତୀୟମାନେ ୟୁପିଆଇ ବ୍ୟବହାର କରିପାରିବେ । ସେହି ତାଲିକାରେ ସିଙ୍ଗାପୁର, ଅଷ୍ଟ୍ରେଲିଆ, କାନାଡା, ହଂକଂ, ଓମାନ, କତାର, ଆମେରିକା, ସାଉଦି ଆରବ, ୟୁଏଇ ଓ ବ୍ରିଟେନ୍ ନାମ ଥିଲା । ୨୦୨୧ ଜୁଲାଇରେ ପ୍ରଥମ ବିଦେଶ ରାଷ୍ଟ୍ର ଭାବେ ଭୁଟାନରେ ୟୁପିଆଇ କାରବାର ଆରମ୍ଭ ହୋଇଥିଲା। ୟୁପିଆଇ ୨୦୨୨ ମାର୍ଚ୍ଚରେ ନେପାଳ ଓ ଅକ୍ଟୋବରରେ ଓମାନ ଯାତ୍ରା କରିଥିଲା । ମାଲେସିଆରେ ୟୁପିଆଇ ପ୍ରଚଳନ ପାଇଁ ସେଠାକାର ସଂସ୍ଥା ଲିକ୍ବିଡ୍ ଗ୍ରୁପ୍ ସହ ବୁଝାମଣା ହୋଇଥିଲା ।












Click it and Unblock the Notifications