ଆପଲ୍ ପରେ ସାମସଙ୍ଗକୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ଯଦି.....
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ଦେଶରେ ଫୋନ୍ ଉତ୍ପାଦନ ବଢ଼ାଇବା ଲାଗି ଜୋରସୋର ଉଦ୍ୟମ କରୁଛନ୍ତି। ଆମେରିକା ବାହାରେ ଯେଉଁ କମ୍ପାନିଗୁଡ଼ିକ ଫୋନ୍ ତିଆରି କରୁଛନ୍ତି, ସେମାନଙ୍କୁ ସେ ଧମକାଇବା ସହ ଚଢ଼ା ଶୁଳ୍କ ଲଗାଇବା ଚେତାବନୀ ଦେଉଛନ୍ତି। ପ୍ରଥମେ ସେ ନିଜ ଦେଶର ସଂସ୍ଥା ଆପଲ୍କୁ ବିଦେଶରେ ଆଇଫୋନ୍ ନିର୍ମାଣ ନ କରିବାକୁ କହିଥିଲେ। ସେ ଆପଲ୍ ସିଇଓ ଟିମ୍ କୁକ୍ଙ୍କ ସହ କଥା ହୋଇ ଭାରତରେ ଆଇଫୋନ୍ ଉତ୍ପାଦନ ନ ବଢ଼ାଇବାକୁ ରୋକଠୋକ୍ ଶୁଣାଇଥିଲେ। ଏହାପରେ ତାଙ୍କ ଟାର୍ଗେଟ୍କୁ ଆସିଛି ଦକ୍ଷିଣ କୋରିଆର ସ୍ମାର୍ଟଫୋନ ନିର୍ମାତା ସାମସଙ୍ଗ।
ଆମେରିକାରେ ଫୋନ୍ ତିଆରି ନ କଲେ ୨୫ ପ୍ରତିଶତ ଶୁଳ୍କ ଗଣିବାକୁ ପ୍ରସ୍ତୁତ ରହିବାକୁ ସେ ସାମସଙ୍ଗ୍କୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଯେଉଁ କମ୍ପାନି ଆମେରିକାରେ ଫୋନ୍ ତିଆରି କରିବେ, ସେମାନଙ୍କ ଉପରେ କୌଣସି ଶୁଳ୍କ ଲାଗିବ ନାହିଁ। ଟ୍ରମ୍ପ ପୂର୍ବରୁ କହିଥିଲେ ଯେ ଆମେରିକାରେ ବିକ୍ରି ହେବାକୁ ଥିବା ଆଇଫୋନ୍ ଆମେରିକାରେ ତିଆରି ହେଉ।

ଭାରତ କିମ୍ବା ଅନ୍ୟ କୌଣସି ଦେଶରେ ତିଆରି ନ ହେଉ। ଯଦି କମ୍ପାନି ସେଭଳି ନ କରିବ, ତେବେ ତାହାକୁ ଆମେରିକା ସରକାରଙ୍କୁ ୨୫ ପ୍ରତିଶତ ଶୁଳ୍କ ଗଣିବାକୁ ପଡ଼ିବ। ଟ୍ରମ୍ପଙ୍କ ଧମକ ପରେ ଆପଲ୍ ସେୟାର ମୂଲ୍ୟ ୨.୬ ପ୍ରତିଶତ ଖସିବାରୁ ଏହାର ବଜାର ପୁଞ୍ଜି ୭୦୦୦ କୋଟି ଡଲାର ହ୍ରାସ ପାଇଥିଲା।
ଆପଲ୍ ଏହାର ପ୍ରାୟ ୯୦ ପ୍ରତିଶତ ସ୍ମାର୍ଟଫୋନ୍ ଚୀନ୍ରେ ତିଆରି କରୁଥିଲା। ମାତ୍ର ଅତୀତରେ ଆମେରିକା ଓ ଚୀନ୍ ମଧ୍ୟରେ ବାଣିଜ୍ୟ ଲଢ଼େଇ ଜୋରଦାର ହେବା ପରେ ନିଜ ଯୋଗାଣ ଶୃଙ୍ଖଳରେ ବିବିଧତା ଆଣିବା ଲାଗି ଏହା ଭାରତରେ ଫୋନ୍ ତିଆରି କରିବା ଆରମ୍ଭ କରିଥିଲା। କିନ୍ତୁ ସାମସଙ୍ଗ ଚୀନ୍ ଉପରେ ନିର୍ଭରଶୀଳ ନାହିଁ। ଏହାର ଫୋନ୍ଗୁଡ଼ିକ ଭାରତ, ଦକ୍ଷିଣ କୋରିଆ, ଭିଏତନାମ୍ ଓ ବ୍ରାଜିଲ୍ରେ ତିଆରି ହେଉଛି। ୨୦୧୯ରେ କମ୍ପାନି ଏହାର ଚୀନ୍ କାରଖାନାକୁ ବନ୍ଦ କରିଦେଇଥିଲା।












Click it and Unblock the Notifications