୧୨ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଟିସିଏସ୍
ବିଶ୍ବ ସୂଚନା ପ୍ରଯୁକ୍ତି ଦୁନିଆରେ ଛଟେଇ ଏକ ସ୍ବାଭାବିକ ଘଟଣାରେ ପରିଣତ ହୋଇଥିଲା। ଭାରତରେ କିଛି ଷ୍ଟାର୍ଟଅପ୍ ସଂସ୍ଥା ମଧ୍ୟରେ ସୀମିତ ଥିବା ଛଟେଇ ସମସ୍ୟା ଏବେ ପ୍ରମୁଖ ଆଇଟି କମ୍ପାନିରେ ପହଞ୍ଚିଛି। ଦେଶର ଅନ୍ୟତମ ବଡ଼ ଆଇଟି କମ୍ପାନି ଟିସିଏସ୍ ଏହାର ୨ ପ୍ରତିଶତ କର୍ମଚାରୀ କମ୍ କରିବା ଉପରେ ବିଚାର କରୁଛି, ଯାହାର ସଂଖ୍ୟା ୧୨ ହଜାର ପାଖାପାଖି ହେବ ବୋଲି ଆକଳନ କରାଯାଇଛି।

ଭାରତର ସବୁଠୁ ବଡ଼ ଆଇଟି କମ୍ପାନୀ ଟାଟା କନ୍ସଲଟାନ୍ସି ସର୍ଭିସେସ୍ (ଟିସିଏସ୍) ଆର୍ଥିକ ବର୍ଷ ୨୦୨୬ରେ ନିଜର ୨% କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ଟିସିଏସ୍ ସିଇଓ କେ. କ୍ରିତିବାସନ୍ ଏହି ସଙ୍କେତ ଦେଇଛନ୍ତି। ଏପରି ହେଲେ ଟିସିଏସ୍ର ପ୍ରାୟ ୧୨,୨୦୦ କର୍ମଚାରୀ ଚାକିରି ହରାଇବେ। କମ୍ପାନୀର ମିଡିଲ ଏବଂ ସିନିୟର ଲେଭଲ ମ୍ୟାନେଜମେଣ୍ଟ ଏହି ଛଟେଇ ପ୍ରକ୍ରିୟାରେ ସର୍ବାଧିକ ପ୍ରଭାବିତ ହେବ। ଟିସିଏସ୍ ଏଆଇକୁ ଆପଣାଇବା ସହ ଅପରେଟିଂ ମଡେଲରେ ପରିବର୍ତ୍ତନ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି। କାମ କରିବା ଶୈଳୀ ବଦଳୁଛି। ତେଣୁ ଭବିଷ୍ୟତ ପାଇଁ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ସମ୍ପ୍ରତି କମ୍ପାନୀ ପକ୍ଷରୁ ଏଆଇର ବ୍ୟାପକ ବ୍ୟବହାର କରାଯାଉଛି ।












Click it and Unblock the Notifications