Stock Market Crash: ୧୧ ଲକ୍ଷ କୋଟି ହରାଇଲେ ନିବେଶକ, ଏହି କାରଣ ପାଇଁ ହେଲା ମାର୍କେଟ କ୍ରାସ୍ !
Stock Market Crash: ଅକ୍ଟୋବର ୧ ରେ ଇସ୍ରାଏଲ ଉପରେ ଇରାନର ମିଶାଇଲ ମାଡ଼ ପରେ ଭାରତୀୟ ସେୟାର ବଜାରରୁ ମଧ୍ୟ ସମାନ ପ୍ରତିକ୍ରିୟା ଆଶା କରାଯାଉଥିଲା। ଗୁରୁବାର ଛୁଟି ପରେ ବଜାର ଖୋଲିବା ପରେ ସମାନ ପ୍ରତିକ୍ରିୟା ଗ୍ରହଣ ଦେଖିବାକୁ ମିଳିଥିଲା। ଅକ୍ଟୋବର ୨ ତାରିଖରେ ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ଅବସରରେ ବୁଧବାର ଦିନ ଷ୍ଟକ୍ ମାର୍କେଟ ବନ୍ଦ ରହିଥିଲା। ତେଣୁ ଗୁରୁବାର ଦିନ ବଜାର ଖୋଲିବା ପରେ ଉଭୟ ସେନସେକ୍ସ ଏବଂ ନିଫ୍ଟିର ପ୍ରତିକ୍ରିୟା ଦେଖିବାକୁ ପଡ଼ିଥିଲା।
ଏହି ଅବଧି ମଧ୍ୟରେ ସେନସେକ୍ସ ଏବଂ ନିଫ୍ଟି ଦୁଇ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ପଶ୍ଚିମ ଏସିଆରେ ତିକ୍ତତା ପରେ ନିବେଶକଙ୍କ ସତର୍କତା କାରଣରୁ ବଜାରରେ ଏହି ହ୍ରାସ ଘଟିଛି। ଘରୋଇ ଷ୍ଟକ୍ ବଜାର ଗୁରୁବାର ନିରୁତ୍ସାହଜନକ ରହିଛି। ଭାରତୀୟ ଶେୟାର ବଜାରର ପ୍ରମୁଖ ସୂଚକାଙ୍କ ସେନସେକ୍ସ, ନିଫ୍ଟି ୫୦ ଏବଂ ବ୍ୟାଙ୍କନିଫ୍ଟିରେ ବଡ଼ ଧରଣର ହ୍ରାସ ଘଟିଛି। ଯାହାଫଳରେ ନିବେଶକଙ୍କୁ ପ୍ରାୟ ୧୧ ଲକ୍ଷ କୋଟି ଟଙ୍କା ହରାଇବାକୁ ପଡ଼ିଛି । ଗୁରୁବାର ପ୍ରମୁଖ ସୂଚକାଙ୍କା ସେନ୍ସେକ୍ସ ୧୭୭୦ ପଏଣ୍ଟ ଖସିଆସି ୮୨୪୯୭ ପଏଣ୍ଟରେ ପହଞ୍ଚିଛି। ସେହିପରି ନିଫ୍ଟି ୫୦ ପ୍ରାୟ ୫୪୬ ପଏଣ୍ଟ ହ୍ରାସ ପାଇ ୨୫୨୫୦ ଏବଂ ବ୍ୟାଙ୍କ ନିଫ୍ଟି ୧୦୭୭ ପଏଣ୍ଟ ହ୍ରାସ ପାଇ ୫୧୮୪୫ରେ ପହଞ୍ଚିଛି।
ତେବେ ୫ଟି କାରଣ ଯୋଗୁ ଶେୟାର ବଜାରରେ ଏଭଳି ହ୍ରାସ ଦେଖିବାକୁ ମିଳିଥିବା ଅର୍ଥନୈତିକ ବିଶ୍ଳେଷକମାନେ କହିଛନ୍ତି। ଇରାନ-ଇସ୍ରାଏଲ ବିବାଦ, ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ(ସେବି)ର ନୂଆ ନିୟମ, ବିଦେଶୀ ନିବେଶକଙ୍କ ଅଂଶଧନ ବିକ୍ରି, ଅଶୋଧିତ ତୈଳ ଦର ବୃଦ୍ଧି ଏବଂ ବୈଶ୍ଵିକ ବଜାରରେ ମାନ୍ଦାବସ୍ଥା ଆଦି କାରଣ ଯୋଗୁ ଯୋଗୁ ଭାରତୀୟ ବଜାର ବହୁଳ ମାତ୍ରାରେ ପ୍ରଭାବିତ ହୋଇଥିବା କୁହାଯାଇଛି।

ମଧ୍ୟପ୍ରାଚ୍ୟରେ ବିବାଦ ବଢ଼ିବା ନେଇ ଚିନ୍ତାରେ ନିଫ୍ଟି ତୈଳ ଏବଂ ଗ୍ୟାସ ସୂଚକାଙ୍କ ପ୍ରାରମ୍ଭିକ କାରବାରରେ ୧.୨% ରୁ ଅଧିକ ହ୍ରାସ ପାଇଥିଲା। ଇଣ୍ଡେକ୍ସରେ ହିନ୍ଦୁସ୍ତାନ ପେଟ୍ରୋଲିୟମ, ଆଇଓସି ଏବଂ ଜିଏସପିଏଲ୍ ସବୁଠୁ ବଡ ପଛରେ ଥିଲା। ଏହି ସମୟରେ, ଭାରତ ଭିଆଏକ୍ସ ୮.୯% ରୁ ୧୩.୦୬%କୁ ବୃଦ୍ଧି ପାଇଥିଲା। ଘରୋଇ ଷ୍ଟକ୍ ବଜାରରେ ହ୍ରାସର ମୁଖ୍ୟ କାରଣ ମଧ୍ୟରେ ଇରାନ ଏବଂ ଇସ୍ରାଏଲ ବିବାଦ ରହିଛି। ପଶ୍ଚିମ ଏସିଆରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ତିକ୍ତତା ବିଶ୍ବବଜାର ପାଇଁ ଚିନ୍ତାର କାରଣ ପାଲଟିଛି। ଆଗାମୀ ଦିନରେ ଅଶୋଧିତ ତୈଳ ଉତ୍ପାଦନ ଉପରେ ପ୍ରଭାବ ପକାଇବାର ଆଶଙ୍କା ରହିଛି। ଏହା ସମଗ୍ର ବିଶ୍ୱ ବଜାରକୁ ପ୍ରଭାବିତ କରିବ ।












Click it and Unblock the Notifications