ସୁନାରେ ନିବେଶ କରିବାକୁ ଚାହୁଁଛନ୍ତି କି? ୩୦ ଅଗଷ୍ଟରୁ ମିଳୁଛି ଏହି ଅଫର୍
ନୂଆଦିଲ୍ଲୀ: ଆପଣ ଯଦି ସୁନାରେ ନିବେଶ କରିବାକୁ ଚାହୁଁଛନ୍ତି ତା'ହେଲେ ଆପଣଙ୍କ ପାଇଁ ଏକ ଖୁସି ଖବର । ସୁନାରେ ନିବେଶ କରିବା ପାଇଁ ସୋଭରେନ୍ ଗୋଲଡ୍ ବଣ୍ଡ୍ ଯୋଜନାରେ ପୁଣି ଥରେ ସୁଯୋଗ ମିଳିବ ୩୦ ଅଗଷ୍ଟରୁ । ଆପଣମାନେ ଅଗଷ୍ଟ ୩୦ ତାରିଖ ଠାରୁ ସୁନାରେ ନିବେଶ କରି ପାରିବେ, କାରଣ ଭାରତ ସରକାରଙ୍କ ଏହି ଯୋଜନାର ନୂଆ ସିରିଜ୍ ସୋମବାର ଠାରୁ ଆରମ୍ଭ ହେବ ।

ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ସୋଭରେନ୍ ଗୋଲଡ୍ ବଣ୍ଡ୍ କିଣିଲେ ଆପଣଙ୍କୁ ମିଳିବ ଅଧିକ ୫ଶହ ଟଙ୍କାର ରିହାତି । ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏହି ନୂଆ ଗୋଲ୍ଡ୍ ବଣ୍ଡ୍ ସିରିଜରେ ବେସ୍ ପ୍ରାଇସ୍ ଗ୍ରାମ୍ ପିଛା ୪୭୩୨ ଟଙ୍କା ନିର୍ଦ୍ଧାରିତ କରାଯାଇଛି । ଆପଣ ଯଦି ଅନଲାଇନ୍ ମାଧ୍ୟମରେ ଏହି ବଣ୍ଡ୍ କିଣିବେ ତା'ହେଲେ ଗ୍ରାମ୍ ପିଛା ମିଳିବ ୫୦ଟଙ୍କାର ସ୍ୱତନ୍ତ୍ର ରିହାତି । ଅର୍ଥାତ ଅନଲାଇନରେ ପଇଠ କଲେ ଆପଣଙ୍କୁ ଗ୍ରାମ ପିଛା ୪୭୩୨ ବଦଳରେ ଦେବାକୁ ପଡିବ ୪୬୮୨ ଟଙ୍କା । ଏହିଭଳି ୧୦ ଗ୍ରାମ୍ ବଣ୍ଡ୍ ପାଇଁ ଆପଣ ସିଧା ୫ଶହ ଟଙ୍କାର ଫାଇଦା ପାଇପାରିବେ ।
୩ ସେପ୍ଟେମ୍ବର ପର୍ଯ୍ୟନ୍ତ ରହିବ ଅଫର

ଏଥିପାଇଁ ଆପଣଙ୍କୁ ସହାୟତା ନେବାକୁ ପଡ଼ିବ ଏସବିଆଇ ନେଟ୍ ବ୍ୟାଙ୍କିଙ୍ଗରେ । ଇ-ସର୍ଭିସେସ୍ ଲିଙ୍କରେ କ୍ଲିକ୍ କରି ଆପଣ କିଣି ପାରିବେ ସୋଭରେନ୍ ଗୋଲ୍ଡ ବଣ୍ଡ୍ । ଅନଲାଇନ ବଣ୍ଡ୍ କ୍ରୟ କରିବା ସମୟରେ କେତେ ଗ୍ରାମ୍ର ସୁନା/ୟୁନିଟ୍ କ୍ରୟ କରିବାକୁ ଚାହୁଁଛନ୍ତି ସେନେଇ ଏଥିରେ ଆପଣଙ୍କୁ ପ୍ରଥମେ ବାଛିବାକୁ ପଡ଼ିବ । ନେଟ୍ ବ୍ୟାଙ୍କିଙ୍ଗ୍ ଜରିଆରେ ପେମେଂଟ୍ କରିବା ପରେ ଆପଣଙ୍କ ପଞ୍ଜିକୃତ ଇମେଲ୍ ଆକାଉଂଟ୍କୁ ବଣ୍ଡ୍ କ୍ରୟ କରିବା ସମ୍ବନ୍ଧୀୟ ସମସ୍ତ ତଥ୍ୟ ମିଳିଯିବ
ସୋଭରେନ୍ ଗୋଲ୍ଡ ବଣ୍ଡ୍ କ'ଣ?
ସୂଚନା ଯୋଗ୍ୟ ଯେ, ସୋଭରେନ୍ ଗୋଲ୍ଡ ବଣ୍ଡ୍ ସୁନାରେ ନିବେଶ କରିବା ପାଇଁ ଏକ ପ୍ରକୃଷ୍ଟ ମାଧ୍ୟମ । ଏଥିରେ ସୁନାର ବଜାର ମୂଲ୍ୟ ଅନୁସାରେ ଆରବିଆଇ ଦ୍ୱାରା ନିର୍ଦ୍ଧାରିତ ଦରରେ ଭାରତ ସରକାରଙ୍କ ପକ୍ଷରୁ ଜାରି କରାଯାଇଥାଏ । ଏହାର ସବୁଠାର ବଡ ଫାଇଦା ହେଉଛି ଫିଜିକାଲ୍ ଗୋଲ୍ଡ ତୁଳନାରେ ରହିଥିବା ସୁରକ୍ଷିତ ବ୍ୟବସ୍ଥା । ଫିଜିକାଲ୍ ଗୋଲ୍ଡ ହୋଇ ନଥିବା ଯୋଗୁ ଚୋରିର କୌଣସି ସମ୍ଭାବନା ନଥାଏ । ସେହିପରି ବଣ୍ଡ୍ ମ୍ୟାଚୁରିଟି ହେବା ସମୟରେ ସୁନାର ବଜାର ମୂଲ୍ୟ ଅନୁସାରେ ନିବେଶକଙ୍କୁ ରିଟର୍ଣ୍ଣ ମିଳିଥାଏ । ସୁନା ଅଳଙ୍କାର କିମ୍ବା ଗୋଲ୍ଡ ବାର୍ ତଥା କଏନରେ ନିବେଶ କଲେ ଏହାର ଗଢ଼ା ମୂଲ୍ୟ ପ୍ରଦାନ କରିବାକୁ ପଡ଼ୁଥିବା ବେଳେ ଗୋଲ୍ଡ ବଣ୍ଡ୍ ଯୋଗୁ ଏହିସବୁ ଦେୟରୁ ଗ୍ରାହକଙ୍କୁ ମିଳିଥାଏ ଛୁଟ୍କାରା । ସୋଭରେନ୍ ଗୋଲ୍ଡ ବଣ୍ଡ୍ କ୍ରୟ ସଂକ୍ରାନ୍ତ ରେକର୍ଡ ରିଜର୍ଭ ବ୍ୟାଙ୍କ ରେକର୍ଡ ଅଥବା ଡିମାଟ୍ ଫର୍ମାଟ୍ରେ ରହିଥାଏ ଯାହାର ଏହାର ସୁରକ୍ଷା ପ୍ରତି ଅଧିକ ଯତ୍ନଶୀଳ ପଦକ୍ଷେପ ଭାବରେ ଗ୍ରହଣ କରାଯାଏ । ସୋଭରେନ୍ ଗୋଲ୍ଡ ବଣ୍ଡରେ ବାର୍ଷିକ ୨.୫ ପ୍ରତିଶତ ସୁଧ ମିଳିଥାଏ । ସୁନାରେ ନିବେଶ ପାଇଁ ସୋଭରେନ୍ ଗୋଲ୍ଡ ବଣ୍ଡ୍ ଏକ ଲାଭଦାୟକ ମାଧ୍ୟମ ହୋଇପାରେ ।












Click it and Unblock the Notifications