ସେୟାର ବଜାରରେ ଭୁସ୍ଖଳନ, ଗୋଟିଏ ଝଟକାରେ ନିବେଶକ ହରାଇଲେ ୧୧ ଲକ୍ଷ କୋଟି
ମୁମ୍ବାଇ: କେନ୍ଦ୍ରୀୟ ବଜେଟର ଅବ୍ୟବହିତ ପୂର୍ବରୁ ଭାରତୀୟ ସେୟାର ବଜାରରେ ନିବେଶକଙ୍କୁ ଲାଗିଛି ଜୋରଦାର ଝଟକା। ଆଜି ସପ୍ତାହର ପ୍ରଥମ କାର୍ଯ୍ୟଦିବସ ଅର୍ଥାତ ସୋମବାର ଉଭୟ ସେନସେକ୍ସ ଏବଂ ନିଫ୍ଟିରେ କାରବାର କ୍ରମାଗତ ୫ମ ଦିବସ ପାଇଁ ନିରାଶ କରିଛି ନିବେଶକଙ୍କୁ । ଆଜି ସେନସେକ୍ସ ୧୫୪୫ ଅଙ୍କ ହ୍ରାସ ପାଇଥିବା ବେଳେ ନିଫ୍ଟି ୪୫୦ ଅଙ୍କ ହ୍ରାସ ପାଇଁ ୧୭୧୫୧ରେ ପହଞ୍ଚିଛି । ସେୟାର ମାର୍କେଟର ଏହି ନିମ୍ନଗାମୀ ଗ୍ରାଫ ସିଧା ସଳଖ ପ୍ରଭାବ ପକାଇଛି ନିବେଶକଙ୍କ ପକେଟ ଉପରେ । ସୋମବାରର କାରବାର ଯୋଗୁ ନିବେଶକମାନେ ହରାଇଛନ୍ତି ପ୍ରାୟ ୧୧ ଲକ୍ଷ କୋଟି ଟଙ୍କା ।

ଗୋଟିଏ ଝଟକାରେ ବୁଡିଲା ୧୧ ଲକ୍ଷ କୋଟି ଟଙ୍କା:
ସୋମବାର ମଧ୍ୟାହ୍ନରେ ସେନସେକ୍ସ ୧୯୦୦ ପଏଣ୍ଟ ତଥା ନିଫ୍ଟି ୫୯୬ ପଏଣ୍ଟ ହ୍ରାସ ପାଇ କାରବାର କରୁଥିଲା। ସନ୍ଧ୍ଯା ସୁଦ୍ଧା ସେନସେକ୍ସ ୧୫୪୫ ପଏଣ୍ଟ ହ୍ରାସ ପାଇଁ ଅଟକି ଗଲା । ସେହିପରି ନିଫ୍ଟି ସନ୍ଧ୍ଯା ସୁଦ୍ଧା ୪୫୦ ପଏଣ୍ଟ ହ୍ରାସ ପାଇଁ ୧୭୧୫୦ରେ କାରବାର ବନ୍ଦ କରିଥିଲା । ଆଜି ସବୁଠାରୁ ଅଧିକ ସେୟାର ହ୍ରାସ ପାଇଛି ଆଇଟି କ୍ଷେତ୍ର, ରିୟାଲଟି ଏବଂ ମେଟାଲ ଅଂଶଧନରେ । ଦିନରେ ୩୩୦୦ ପଏଣ୍ଟ ହ୍ରାସ ଷ୍ଟକ୍ ମାର୍କେଟ ଗତ ପାଞ୍ଚ ଦିନ ପାଇଁ ହ୍ରାସ ପାଇବାରେ ଲାଗିଛି ।
ବଜାରରେ ମନ୍ଥର ତଥା ନିମ୍ନ ଗତି ଯୋଗୁ, ଗତ ୫ ଦିନ ମଧ୍ୟରେ ସେନସେକ୍ସରେ ସମୁଦାୟ ୩୩୦୦ ପଏଣ୍ଟ ହ୍ରାସ ଘଟିଛି। ସେହିପରି ନିଫ୍ଟି ୧୧୦୦ ପଏଣ୍ଟ ହ୍ରାସ ପାଇଛି। ଏଥିରେ ୫.୪ ପ୍ରତିଶତ ହ୍ରାସ ଘଟିଥିବାବେଳେ ୨୦ ଲକ୍ଷ କୋଟି ଟଙ୍କା ହରାଇଛନ୍ତି ନିବେଶକ। ଗତ ପାଞ୍ଚ ଦିନ ଧରି ଷ୍ଟକ୍ ମାର୍କେଟରେ କ୍ରମାଗତ ହ୍ରାସ ହେବାର ଅନେକ କାରଣ ଅଛି । ବିଦେଶୀ ନିବେଶକଙ୍କ କ୍ରମାଗତ ବିକ୍ରୟ ଯୋଗୁଁ ବଜାରରେ ଚାପ ସୃଷ୍ଟି ହୋଇଛି । ଏଥି ସହିତ, ଆମେରିକାର ଫେଡରାଲ ରିଜର୍ଭ ଦ୍ୱାରା ସୁଧ ହାର ବୃଦ୍ଧି ହେବାର ଭୟ ଥିବାରୁ ନିବେଶକଙ୍କ ମଧ୍ୟରେ ମଧ୍ୟ ଆତଙ୍କ ଖେଳିଯାଇଛି। ପେଟିଏମ୍, କାରଟ୍ରେଡ, ପିବି ଫିଣ୍ଟେକ୍ ଭଳି ଟେକ୍ ଷ୍ଟକରେ ବଡ ପତନ ମଧ୍ୟ ଏହାର ପ୍ରଭାବ ପକାଉଛି । ଏଥି ସହିତ, କରୋନା ଭୂତାଣୁ ସଂକ୍ରମଣର ୩ୟ ଲହର ଯୋଗୁ ନିବେଶକମାନଙ୍କ ମଧ୍ୟରେ ଆଶଙ୍କା ବଢିଯାଇଛି। କରୋନା ଜନିତ ସମ୍ଭାବ୍ୟ ମାନ୍ଦାବସ୍ଥାକୁ ଆଶଙ୍କା କରି ନିବେଶକ ପଛଘୁଞ୍ଚା ଦେଉଛନ୍ତି ରିସ୍କ ନେବାକୁ, ପ୍ରକାରାନ୍ତରେ ଏହା ମାନ୍ଦାବସ୍ଥାକୁ ଜୀବିତ ରଖିବାରେ ସହାୟକ ହେଉଛି ।












Click it and Unblock the Notifications