ଜୁନ ମାସରେ ୧.୬୧ ଲକ୍ଷ କୋଟି ଟଙ୍କାର ଜିଏସଟି ଆଦାୟ, ଓଡ଼ିଶାରୁ ୪୩୭୯ କୋଟି
ନୂଆଦିଲ୍ଲୀ: ଜୁନ୍ ମାସରେ ମଧ୍ୟରେ ଭରପୁର ଜିଏସଟି ଆଦାୟ ହୋଇଛି । କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ତରଫରୁ ୨୦୨୩ ଜୁନ ମାସରେ ଆଦାୟ ହୋଇଥିବା ଜିଏସଟିର ପରିମାଣ ଘୋଷଣା କରିଛି । ସରକାରୀ ତଥ୍ୟ ମୁତାବକ ଜୁନ ମାସରେ ସରକାର ଜିଏସଟି ବାବଦରେ ୧.୬୧ ଲକ୍ଷ କୋଟି ଟଙ୍କା ମିଳିଛି । ମେ ମାସରେ ଆଦାୟ ହୋଇଥିବା ଜିଏସଟି ତୁଳନାରେ ଜୁନ ମାସରେ ଅଧିକ ୧୨ ପ୍ରତିଶତ ଜିଏସଟି ଆଦାୟ ହୋଇଛି ।
ଅର୍ଥ ମନ୍ତ୍ରଣାଳୟ ଶନିବାର ଜୁନ ୨୦୨୩ ପାଇଁ ଟିକସ ସଂଗ୍ରହ ତଥ୍ୟ ଜାରି କରି କହିଛି ଯେ ଏହି ମାସରେ ମୋଟ ଜିଏସଟି ଆଦାୟ ୧,୬୧,୪୯୭୫ କୋଟି ଟଙ୍କା ଥିଲା । ଏଥିରେ ୩୧,୦୧୩ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସଟି (ସିଜିଏସଟି), ୩୮,୨୯୨ କୋଟି ଟଙ୍କାର ରାଜ୍ୟ ଜିଏସ୍ ଟି (ଏସଜିଏସଟି) ଏବଂ ୮୦,୨୯୨ କୋଟି ଟଙ୍କାର ସମନ୍ବିତ ଜିଏସଟି (ଆଇଜିଏସଟି) ସହ ୧୧,୯୦୦ କୋଟି ଟଙ୍କାର ସେସ୍ ଅନ୍ତର୍ଭୁକ୍ତ ।

୨୦୨୩ ମେ' ମାସରେ ଦେଶରେ ମୋଟ ୧.୫୭ ଲକ୍ଷ କୋଟି ଟଙ୍କା ଜିଏସଟି ଆଦାୟ ହୋଇଥିଲା । ହେଲେ ଏପ୍ରିଲମାସରେ ଜିଏସଟି ଆଦାୟ ସମସ୍ତ ରେକର୍ଡ ଭାଙ୍ଗିଥିଲା । ୨୦୨୩ ଏପ୍ରିଲ ମାସରେ ରେକର୍ଡ ସଂଖ୍ୟକ ୧.୮୭ ଲକ୍ଷ କୋଟି ଟଙ୍କା ଜିଏସଟି ଆଦାୟ ହୋଇଥିଲା ।
ଜୁନ ମାସରେ ମୋଟ ଆଦାୟ ହୋଇଥିବା ଜିଏସଟି ମଧ୍ୟରୁ ସେଣ୍ଟ୍ରାଲ ଜିଏସଟି ବାବଦରେ ୩୧,୦୧୩ କୋଟି ଟଙ୍କା, ଷ୍ଟେଟ ଜିଏସଟି ବାବଦକୁ ୩୮,୨୯୨ କୋଟି ଟଙ୍କା, ଇଣ୍ଟିଗ୍ରେଟେଡ ଜିଏସଟି ବାବଦରେ ୮୦,୨୯୨ କୋଟି ଟଙ୍କା ଆଦାୟ ହୋଇଛି । ସେଥିମଧ୍ୟରୁ ବସ୍ତୁ ଓ ସେବାକର ବାବଦରୁ ୩୯,୦୯୫ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ସେସ୍ ବାବଦକୁ ସରକାରଙ୍କୁ ୧୧,୯୦୦ କୋଟି ଟଙ୍କା ମିଳିଛି ।
ତେବେ ଜୁନ ମାସରେ ଓଡ଼ିଶାରେ ଜିଏସଟି ଆଦାୟ ୧୦ ପ୍ରତିଶତ ବୃଦ୍ଧି ପାଇ ୪୩୭୯ କୋଟି ଟଙ୍କାରେ ପହଞ୍ଚିଛି ବୋଲି ଅର୍ଥମନ୍ତ୍ରାଳୟ ତଥ୍ୟରୁ ଜଣାପଡ଼ିଛି । ଓଡ଼ିଶା ସରକାରଙ୍କ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଜୁନ ମାସରେ ରାଜ୍ୟ ଜିଏସଟି ଓ ଇଣ୍ଟିଗ୍ରେଟେଡ ଜିଏସଟିକୁ ମିଶାଇ ମୋଟ ୧୭୩୨.୪୯ କୋଟି ଟଙ୍କା ଆଦାୟ କରାଯାଇଛି, ଯାହାକି ଜୁନ ୨୦୨୨ ତୁଳନାରେ ୨୫ ପ୍ରତିଶତ ଅଧିକ ।












Click it and Unblock the Notifications