ବେିଦଶୀ ମୁଦ୍ରା ଭଣ୍ଡାର ହ୍ରାସ ,କିନ୍ତୁ ସୁନା କଲା ରେକର୍ଡ
ସୁନା ଏବେ ଏକ ଆକର୍ଷଣୀୟ ସମ୍ପତ୍ତିରେ ପରିଣତ ହୋଇଛି। ସାଧାରଣ ପରିବାରଠାରୁ ଆରମ୍ଭ କରି ଭାରତୀୟ ରିଜର୍ଭ ବ୍ୟାଙ୍କ ପର୍ଯ୍ୟନ୍ତ ସବୁ ବର୍ଗ ଏହାକୁ ମହଜୁଦ ରଖିବା ଉପରେ ଜୋର ଦେଉଛନ୍ତି। ଦରବୃଦ୍ଧି ପରେ ରିଜର୍ଭ ବ୍ୟାଙ୍କରେ ଥିବା ସୁନାର ମୂଲ୍ୟ ପ୍ରଥମ ଥର ପାଇଁ ୧୦୦ ବିଲିୟନ ଡଲାରରୁ ଅଧିକ ହୋଇଛି। ଭାରତୀୟ ମୁଦ୍ରାରେ ତାହାର ମୂଲ୍ୟ ପ୍ରାୟ ୯ ଲକ୍ଷ କୋଟି ଟଙ୍କା।
ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁସାର ଭଣ୍ଡାରରେ ଥିବା ସୁନାର ମୂଲ୍ୟ ୧୦୨.୩୬୫ ବିଲିୟନ ଡଲାରକୁ ବୃଦ୍ଧି ପାଇଛି ଏବଂ ବୈଦେଶିକ ମୁଦ୍ରା ପରିମାଣ ୨୧୮ କୋଟି ଡଲାର ହ୍ରାସ ପାଇ ୬୯୭.୭୮୪ କୋଟି ଡଲାରକୁ ଖସିଆସିଛି। ବୈଦେଶିକ ମୁଦ୍ରା ଭଣ୍ଡାରରେ ସୁନାର ଭାଗ ୧୪.୭ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ୧୯୯୬-୯୭ ପରେ ସର୍ବାଧିକ କୁହାଯାଉଛି।

ଦଶନ୍ଧି ପୂର୍ବେ ଭଣ୍ଡାରରେ ସୁନାର ଭାଗ ୭ ପ୍ରତିଶତରୁ କମ୍ ଥିଲା। ଇତି ମଧ୍ୟରେ ତାହା ଦ୍ବିଗୁଣିତ ହୋଇଯାଇଛି। ଚଳିତ ବର୍ଷ ରିଜର୍ଭ ବ୍ୟାଙ୍କ ଅଳ୍ପ ସୁନା କିଣିବା ସତ୍ତ୍ବେ ଭଣ୍ଡାରରେ ଥିବା ସୁନା ମୂଲ୍ୟ ୧୦୨ ବିଲିୟନ ଡଲାରର ରେକର୍ଡ ସ୍ତରକୁ ବୃଦ୍ଧି ପାଇଛି। ବିଶ୍ବ ସୁନା ପରିଷଦ (ଡବ୍ଲ୍ୟୁଜିସି) ତଥ୍ୟ ଅନୁସାରେ ୨୦୨୪ରେ ରିଜର୍ଭ ବ୍ୟାଙ୍କ ପ୍ରାୟ ପ୍ରତିବର୍ଷ ସୁନା କିଣିଥିଲା। କିନ୍ତୁ ୨୦୨୫ର ୯ ମାସ ମଧ୍ୟରୁ ମାତ୍ର ଚାରିଟି ମାସରେ ଏହା ସୁନା କିଣିଛି। ଚଳିତ ବର୍ଷର ଜାନୁଆରିରୁ ସେପ୍ଟେମ୍ବର ମଧ୍ୟରେ ରିଜର୍ଭ ବ୍ୟାଙ୍କ ମାତ୍ର ୪ ଟନ୍ ସୁନା କିଣିଛି।
ଗତବର୍ଷ ସେହି ସମୟରେ କିନ୍ତୁ ୫୦ ଟନ୍ ସୁନା କିଣିଥିଲା। ଆମେରିକୀୟ ଡଲାରର ପ୍ରଭାବକୁ କମ୍ କରିବା ଲାଗି ବିଶ୍ବବ୍ୟାପୀ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସେମାନଙ୍କ ଭଣ୍ଡାରରେ ଅଧିକରୁ ଅଧିକ ସୁନା ଭର୍ତ୍ତି କରୁଛନ୍ତି। ବିଭିନ୍ନ ପ୍ରକାର ବାଣିଜ୍ୟ କଟକଣା, ଡଲାରର ଅଭାବ ଏବଂ ଭୂରାଜନୈତିକ ସଙ୍କଟ ଭଳି ସମୟରେ ସୁନା ହିଁ ଆମଦାନୀ ଆବଶ୍ୟକତା ପୂରଣ କରିବାରେ ସହାୟକ ହୋଇପାରିବ। କାରଣ ତାହା ସବୁ ଦେଶରେ ସହଜରେ ଗ୍ରହଣୀୟ ହୋଇଥାଏ।












Click it and Unblock the Notifications