କମିଲା ୩୭ଟି ଅତ୍ୟାବଶ୍ୟକ ଔଷଧର ଦର
ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ (ଏନପିପିଏ) ପାରାସିଟାମଲ୍, ଆଟୋରଭାଷ୍ଟାଟିନ୍, ଆମୋକ୍ସିସିଲିନ୍ ସମେତ ୩୭ଟି ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ହ୍ରାସ କରିଛି। କେନ୍ଦ୍ର ରାସାୟନ ଏବଂ ସାର ମନ୍ତ୍ରଣାଳୟ ଔଷଧ (ମୂଲ୍ୟ ନିୟନ୍ତ୍ରଣ), ୨୦୧୩ ଅନୁଯାୟୀ ଔଷଧ ମୁଖ୍ୟ ହ୍ରାସ ସମ୍ପର୍କିତ ବିଜ୍ଞପ୍ତି ଜାରି କରିଛି। ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ ଦ୍ୱାରା ଜାରି କରାଯାଇଥିବା ସୂଚନା ଅନୁଯାୟୀ, ମୂଲ୍ୟ ହ୍ରାସ କରାଯାଇଥିବା ଔଷଧ ଗୁଡ଼ିକ ସଂକ୍ରମଣ, ହୃଦରୋଗଠାରୁ ଆରମ୍ଭ କରି ମଧୁମେହ ଏବଂ ଭିଟାମିନ୍ ଅଭାବ ପର୍ଯ୍ୟନ୍ତ ବିଭିନ୍ନ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୋଇଥାଏ।

ମୂଲ୍ୟ ନିର୍ଧାରଣ କରାଯାଇଥିବା ମିଶ୍ରଣଗୁଡ଼ିକ ମଧ୍ୟରେ ଆସେଲୋଫେନାକ୍, ପାରାସିଟାମଲ୍ ଓ ଟ୍ରାଏସ୍ପିନ୍ ଚାଏମୋଟ୍ରାଏସ୍ପିନ୍ ରହିଛି। ଡକ୍ଟର ରେଡିଜ୍ ଲାବୋରେଟୋରି ପ୍ରସ୍ତତ କରୁଥିବା ଏହି ମିଶ୍ରଣର ଔଷଧ ଦାମ ୧୩ ଟଙ୍କା ଓ କ୍ୟାଡିଲା ଫାର୍ମାସ୍ୟୁଟିକାଲ୍ସ ପାଇଁ ୧୫.୦୧ ଟଙ୍କା ରଖାଯାଇଛି। ସାଧାରଣ ଜ୍ବର ଓ ଜ୍ବଳନ ଆଦି ପାଇଁ ଏହା ବ୍ୟବହାର କରାଯାଇଥାଏ। ସେହିପରି ହୃଦରୋଗୀମାନଙ୍କ ଲାଗି ଆଟୋରଭାଷ୍ଟିନ୍ ୪୦ ଏମ୍ଜି ଓ କ୍ଲୋପିଡୋଗ୍ରେଲ୍ ୭୫ ଏମ୍ଜି ମିଶ୍ରଣରେ ପ୍ରସ୍ତୁତ ଟାବଲେଟ୍ ପିଛା ଦାମ୍ ୨୫ ଟଙ୍କା ୬୧ ପଇସା ଧାର୍ଯ୍ୟ କରାଯାଇଛି। ପିଲାମାନଙ୍କୁ ଦିଆଯାଉଥିବା ସେଫିକ୍ସାଇମ୍ ଓ ପାରାସିଟାମଲ୍ ମିଶ୍ରଣର ଦାମ୍ ମଧ୍ୟ ଧାର୍ଯ୍ୟ କରାଯାଇଛି। ଭିଟାମିନ୍ ଡି ପାଇଁ କୋଲେକାଲ୍ସିଫେରଲ୍ ଡ୍ରପ୍ ଓ ଡାଇକ୍ଲୋଫେନାକ୍ ଇଞ୍ଜେକ୍ସନ ଦାମ୍ ମିଲିଲିଟର ପିଛା ୩୧ ଟଙ୍କା ୭୭ ପଇସା ଧାର୍ଯ୍ୟ କରାଯାଇଛି।
ଟାଇପ୍-୨ ଡାଇବେଟିସ୍ରେ ପୀଡ଼ିତ ରୋଗୀମାନେ ବ୍ୟବହାର କରୁଥିବା ଏମ୍ପାଗ୍ଲିଫ୍ଲୋଜିନ୍, ସିଟାଗ୍ଲିପ୍ଟିନ୍ ଓ ମେଟାଫୋର୍ମିନ୍ ହାଇଡ୍ରୋକ୍ଲୋରାଇଡ୍ ମିଶ୍ରଣର ଦାମ୍ ଏବେ ଟାବଲେଟ୍ ପିଛା ୧୬ ଟଙ୍କା ୫୦ ପଇସା କରାଯାଇଛି। ଏହି ତାଲିକାରେ କୋଲେଷ୍ଟ୍ରଲ୍ ପରିଚାଳନା ପାଇଁ ଆଟୋରଭାଷ୍ଟିନ୍-ଏଜେଟିମାଇବ୍ ଏବଂ ଆଲର୍ଜି ଓ ଶ୍ବାସରୋଗ ପାଇଁ ବ୍ୟବହୃତ ବିଲାଷ୍ଟାଇନ୍-ମଣ୍ଟେଲୁକାଷ୍ଟ୍ ମିଶ୍ରଣକୁ ମଧ୍ୟ ସାମିଲ କରାଯାଇଛି। ଔଷଧଗୁଡ଼ିକର ନୂଆ ଦରକୁ ପ୍ରଦର୍ଶିତ କରିବା ଲାଗି ରିଟେଲର୍ ଓ ଡିଲର୍ମାନଙ୍କୁ କୁହାଯାଇଛି। ନୂଆ ଦର ଲାଗୁ ନ କଲେ ଡିପିସିଓ ୨୦୧୩ ନିୟମ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ନିୟମ ୧୯୫୫ ଆଧାରରେ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି। ପୂର୍ବରୁ ଥିବା ସବୁ ବିଜ୍ଞପ୍ତି ଉପରେ ଏହି ନୂଆ ବିଜ୍ଞପ୍ତି ଲାଗୁ ହେବ।












Click it and Unblock the Notifications