ବିଶ୍ବର ନମ୍ବର ଓ୍ବାନ ଧନୀ ମସ୍କ, ୭୫୦ ବିଲିୟନ ଡଲାର ସମ୍ପତ୍ତିର ମାଲିକ
ଟେସ୍ଲାର ମୁଖ୍ୟ ଏଲନ୍ ମସ୍କ ଦୁନିଆର ମହାଧନୀ ଭାବେ ଉଭା ହୋଇଛନ୍ତି। ତାଙ୍କ ପାଖରେ ଯେତିକି ସମ୍ପତ୍ତି ଅଛି ତାହା ଅନ୍ୟ କାହା ପାଖରେ ନାହିଁ। ସେ ଦୁନିଆର ପ୍ରଥମ ବ୍ୟକ୍ତି ଯାହାଙ୍କ ପାଖରେ ୭୫୦ ବିଲିୟନ ଡଲାରରୁ ଅଧିକ ସମ୍ପତ୍ତି ରହିଛି। ଭାରତୀୟ ମୁଦ୍ରାରେ ମସ୍କଙ୍କ ସମ୍ପତ୍ତି ପରିମାଣ ହେଉଛି ୬୭.୧୮ ଲକ୍ଷ କୋଟି ଟଙ୍କା। ଗତ ୪ ଦିନରେ ତାଙ୍କ ସମ୍ପତ୍ତିରେ ୧୩.୪୬ ଲକ୍ଷ କୋଟି ଟଙ୍କାର ବୃଦ୍ଧି ଘଟିଛି। ମସ୍କଙ୍କ ସମ୍ପତ୍ତି ପାକିସ୍ତାନ, ଶ୍ରୀଲଙ୍କା ଓ ନେପାଳା ମିଳିତ ଅର୍ଥନୀତିଠାରୁ ମଧ୍ୟ ଅଧିକ। ଏହି ତିନି ଦେଶର ଜିଡିପି ୫୫୫ ବିଲିୟନ ଡଲାର ହୋଇଥିବା ବେଳେ ମସ୍କ ସେମାନଙ୍କଠାରୁ ଯଥେଷ୍ଟ ଆଗରେ ୭୫୦ ବିଲିୟନ ଡଲାରରେ ରହିଛନ୍ତି।

ଚଳିତ ମାସ ୧୬ରେ ମସ୍କଙ୍କ ସମ୍ପତ୍ତି ୬୦୦ ବିଲିୟନ ଡଲାର (୫୪ ଲକ୍ଷ କୋଟି ଟଙ୍କା)ରୁ ଅଧିକ ହୋଇଥିଲା। ଏହି ମାଇଲଖୁଣ୍ଟକୁ ଆଜି ପର୍ଯ୍ୟନ୍ତ ତାଙ୍କ ବ୍ୟତୀତ ଅନ୍ୟ କେହି ଛୁଇଁପାରିନାହାନ୍ତି। ଆମେରିକାର ଡେଲାୱାର କୋର୍ଟଙ୍କ ଏକ ରାୟ ପ୍ରଭାବରେ ମସ୍କଙ୍କ ସମ୍ପତ୍ତିରେ ଏଭଳି ଦ୍ରୁତ ବୃଦ୍ଧି ଘଟିଛି। ଟେସ୍ଲାରୁ ତାଙ୍କୁ ମିଳୁଥିବା ପ୍ରାପ୍ୟକୁ କୋର୍ଟ ୫୬ ବିଲିୟନ ଡଲାରରୁ ବଢ଼ାଇ ୧୩୯ ବିଲିୟନ ଡଲାର କରିଛନ୍ତି।
ଫୋର୍ବସ୍ ବିଲିଓନେୟାର ସୂଚୀ ଅନୁସାରେ ମସ୍କଙ୍କ ସମ୍ପତ୍ତି ପରିମାଣ ୬୪୯ ବିଲିୟନ ଡଲାର ଦେଖାଉଛି। ଭାରତର ସବୁଠୁ ବଡ଼ ୪୦ ଜଣ ଧନୀଙ୍କ ମୋଟ୍ ସମ୍ପତ୍ତିଠାରୁ ମଧ୍ୟ ତାଙ୍କ ସମ୍ପତ୍ତି ଅଧିକ। ଭାରତର ଚାରି ବଡ଼ କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଏଚ୍ଡିଏଫ୍ସି ବ୍ୟାଙ୍କ, ଭାରତୀ ଏୟାରଟେଲ୍ ଓ ଟିସିଏସ୍ର ମିଳିତ ବଜାର ପୁଞ୍ଜିଠାରୁ ମଧ୍ୟ ମସ୍କଙ୍କ ସମ୍ପତ୍ତି ଅଧିକ।












Click it and Unblock the Notifications