ସର୍ବନିମ୍ନ ସ୍ତରରେ ଜିଡିପି , ତ୍ରୈମାସରେ ଅଭିବୃଦ୍ଧି ହାର ୫.୪%କୁ ହ୍ରାସ
ନୂଆଦିଲ୍ଲୀ: ଅର୍ଥନୀତି କ୍ଷେତ୍ରରୁ ସରକାରଙ୍କ ପାଇଁ ଏକ ନିରାଶଜନକ ଖବର ଆସିଛି । ଉତ୍ପାଦନ କ୍ଷେତ୍ରରେ ଖରାପ ପ୍ରଦର୍ଶନ ଯୋଗୁଁ ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ୫.୪ ପ୍ରତିଶତକୁ ଖସି ଆସିଛି, ଯାହା କି ପାଖାପାଖି ଦୁଇ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତର। ଶୁକ୍ରବାର ପ୍ରକାଶିତ ସରକାରୀ ତଥ୍ୟରେ ଏହି ସୂଚନା ଦିଆଯାଇଛି। ଗତବର୍ଷ ସମାନ ତ୍ରୟମାସରେ ଅର୍ଥନୈତିକ ଅଭିବୃଦ୍ଧି ହାର ୮.୧ ପ୍ରତିଶତ ଥିଲା। ସେପ୍ଟେମ୍ୱର ତ୍ରୈମାସର ଅଭିବୃଦ୍ଧି ହାର ବିଗତ ସାତ ତ୍ରୈମାସିକରେ ସବୁଠୁ କମ ରହିଛି ।
ଏହା ପୂର୍ବରୁ ୨୦୨୨-୨୩ ଅକ୍ଟୋବର-ଡିସେମ୍ୱର ତ୍ରୈମାସରେ ଜିଡିପି ଅଭିବୃଦ୍ଧି ଦେଶରେ ସବୁଠୁ କମ ରହିଥିଲା । ଆଲୋଚ୍ୟ ତ୍ରୈମାସରେ ଜିଡିପି ହାର ୪.୩ ପ୍ରତିଶତ ଥିଲା । ଏହାପରେ ବି ଦୁନିଆର ସବୁଠୁ ଦ୍ରୁତ ଅର୍ଥନୀତି ମଧ୍ୟରେ ଭାରତ ସର୍ବାଗ୍ରେ ରହିଛି । ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଜୁଲାଇ-ସେପ୍ଟେମ୍ୱର ତ୍ରୈମାସରେ ଚୀନର ଜିଡିପି ବୃଦ୍ଧି ୪.୬ ପ୍ରତିଶତ ।
ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍ଏସ୍ଓ)ର ତଥ୍ୟ ଅନୁଯାୟୀ ୨୦୨୪-୨୫ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ କୃଷି କ୍ଷେତ୍ରର ଅଭିବୃଦ୍ଧି ୩.୫ ପ୍ରତିଶତ ରହିଛି, ଯାହା ପୂର୍ବବର୍ଷ ସମାନ ଅବଧିରେ ୧.୭ ପ୍ରତିଶତ ଥିଲା। ଗତ ତ୍ରୟମାସରେ ମାନୁଫାକ୍ଚରିଂ ସେକ୍ଟରର ଅଭିବୃଦ୍ଧି ହାର ୨.୨ ପ୍ରତିଶତକୁ ଖସି ଆସିଥିବା ବେଳେ ବର୍ଷକ ପୂର୍ବରୁ ଏହା ୧୪.୩ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରିଥିଲା।

ଆର୍ଥତ୍କ କାରବାର, ରିଅଲ ଇଷ୍ଟେଟ୍ ଏବଂ ପେସାଦାର ସେବା ଜିଭିଏ ୬.୭ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ପୂର୍ବବର୍ଷ ଏହି ସମୟରେ ୬.୨ ପ୍ରତିଶତ ଥିଲା। ବିଦ୍ୟୁତ୍, ଗ୍ୟାସ୍, ପାଣି ଯୋଗାଣ ଓ ଅନ୍ୟାନ୍ୟ ସେବା୩.୩ ପ୍ରତିଶତ ରହିଛି, ଯାହାକି ବର୍ଷେ ପୂର୍ବରୁ ୧୦.୫ ପ୍ରତିଶତ ରହିଥିଲା। ଦ୍ୱିତୀୟ ତ୍ରୈମାସିକରେ ନିର୍ମାଣ କ୍ଷେତ୍ରରେ ଅଭିବୃଦ୍ଧି ହାର ୭.୭ ପ୍ରତିଶତକୁ ହ୍ରାସ ପାଇଛି, ଯାହା ବର୍ଷେ ପୂର୍ବରୁ ୧୩.୬ ପ୍ରତିଶତ ଥିଲା।
ଏପ୍ରିଲ-ଜୁଲାଇ ତ୍ରୈମାସିକରେ ଦେଶର ଆର୍ଥତ୍କ ଅଭିବୃଦ୍ଧି ୬.୭ ପ୍ରତିଶତ ରହିଥିଲା। ଦ୍ୱିତୀୟ ତ୍ରୈମାସିକରେ ପ୍ରକୃତ ଜିଡିପ ବା ସ୍ଥିର ମୂଲ୍ୟରେ ଜିଡିପି ୪୪.୧୦ ଲକ୍ଷ କୋଟି ଟଙ୍କା ରହିଥିବା ଆକଳନ କରାଯାଇଛି। ୨୦୨୩-୨୪ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ରିଅଲ ଜିଡିପି ୪୧.୮୬ ଲକ୍ଷ କୋଟି ଟଙ୍କା ରହିଥିଲା। ଏଥିରୁ ଅଭିବୃଦ୍ଧି ହାର ୫.୪ ପ୍ରତିଶତ ଆକଳନ କରାଯାଇଥିବା ଏନ୍ଏସ୍ଓ କହିଛି। ଅନ୍ୟପକ୍ଷରେ ନୋମିନାଲ ଜିଡିପି ବା ବର୍ତ୍ତମାନର ବଜାର ମୂଲ୍ୟରେ ଜିଡିପି ଦ୍ୱିତୀୟ ତ୍ରୈମାସିକରେ ୭୬.୬୦ ଲକ୍ଷ କୋଟି ଟଙ୍କା ରହିଛି, ଯାହାକି ଗତବର୍ଷ ଦ୍ୱିତୀୟ ତ୍ରୈମାସିକରେ ୭୦.୯୦ ଲକ୍ଷ କୋଟି ଟଙ୍କା ଥିଲା।
ନୋମିନାଲ ଜିଡିପି ଅନୁଯାୟୀ ଅଭିବୃଦ୍ଧି ହାର ୮ ପ୍ରତିଶତ। ପ୍ରଥମ ଅର୍ଦ୍ଧବାର୍ଷିକ ଆଧାରରେ ଆକଳନ କଲେ ଏପ୍ରିଲ-ସେପ୍ଟେମ୍ବର ରିଅଲ ଜିଡିପି ୮୭.୭୪ ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଛି, ଯାହାକି ପୂର୍ବବର୍ଷ ପ୍ରଥମ ଅର୍ଦ୍ଧବାର୍ଷିକରେ ୮୨.୭୭ ଲକ୍ଷ କୋଟି ଟଙ୍କା ଥିଲା। ତଦନୁଯାୟୀ ଦେଖିଲେ ଅଭିବୃଦ୍ଧି ୬ ପ୍ରତିଶତ ରହିଛି। ନୋମିନାଲ ଜିଡିପି ବା ବର୍ତ୍ତମାନର ବଜାର ମୂଲ୍ୟ ଅନୁଯାୟୀ ପ୍ରଥମ ଅର୍ଦ୍ଧବାର୍ଷିକର ଜିଡିପି ୧୫୩.୯୧ ଲକ୍ଷ କୋଟି ଟଙ୍କା, ଯାହାକି ପୂର୍ବବର୍ଷ ଏହି ସମୟରେ ୧୪୧.୪୦ ଲକ୍ଷ କୋଟି ଟଙ୍କା ଥିଲା। ଅର୍ଥାତ୍ ଅଭିବୃଦ୍ଧି ହାର ୮.୯ ପ୍ରତିଶତ ବୋଲି ରିପୋର୍ଟରେ କୁହାଯାଇଛି।












Click it and Unblock the Notifications