୨୫ରେ GDP ଅଭିବୃଦ୍ଧି ୪ ବର୍ଷରେ ସର୍ବନିମ୍ନସ୍ତରରେ ପହଞ୍ଚିବ! ଏବର୍ଷ ୬.୪%କୁ ଖସିବ
ଆର୍ଥିକ ବର୍ଷ ୨୦୨୪-୨୫ରେ କମିବ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO) ମଙ୍ଗଳବାର ଦିନ ପ୍ରଥମ ଆକଳନରେ ଏହା କହିଛି। ପୂର୍ବ ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଜିଡିପି ୮.୨ ପ୍ରତିଶତ ଥିଲା। ଯାହା ୨୦୨୫ ମାର୍ଚ୍ଚରେ ଶେଷ ହେବାକୁ ଯାଉଥିବା ଆର୍ଥିକ ବର୍ଷରେ ୬.୪ ପ୍ରତିଶତକୁ ଖସିବ ବୋଲି ଆକଳନ କରାଯାଇଛି। ଭାରତର ଜିଡିପି ଅଭିବୃଦ୍ଧି ଗତ ୪ ବର୍ଷରେ ସର୍ବନିମ୍ନ ସ୍ତର ଛୁଇଁପାରେ ବୋଲି ଆକଳନ କରିଛି ଏନଏସଓ ।
୨୦୨୩-୨୪ରେ ଭାରତର ଜିଡିପି ଅଭିବୃଦ୍ଧି ହାର ୮.୨ ପ୍ରତିଶତ, ୨୦୨୨-୨୩ରେ ୭ ପ୍ରତିଶତ ଏବଂ ୨୦୨୧-୨୨ରେ ୯.୭ ପ୍ରତିଶତ ରହିଥିଲା। ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଭାରତର ଜିଡିପି ଅଭିବୃଦ୍ଧି ୬.୬ ପ୍ରତିଶତ ରହିବ ବୋଲି ପୂର୍ବାନୁମାନ କରାଯାଇଥିଲା। ସରକାରଙ୍କ ଆଜିର ପୂର୍ବାନୁମାନରେ ଏହାକୁ ଆହୁରି କମାଇ ଦିଆଯାଇଛି।
ଚଳିତ ଆର୍ଥିକବର୍ଷର ଦ୍ବିତୀୟ ତ୍ରୟମାସ ଅର୍ଥାତ୍ ଜୁଲାଇ-ସେପ୍ଟେମ୍ବର ମଧ୍ୟରେ ଭାରତର ଜିଡିପି ଅଭିବୃଦ୍ଧି ୫.୪ ପ୍ରତିଶତକୁ ଖସିଆସିଛି। ଏହା ଉଭୟ ଅର୍ଥନୀତିଜ୍ଞ ଏବଂ ବିଶେଷଜ୍ଞମାନଙ୍କୁ ଚକିତ କରିଛି। ଦ୍ବିତୀୟ ତ୍ରୟମାସର ଜିଡିପି ଅଭିବୃଦ୍ଧିରେ ଘଟିଥିବା ଏହି ଅପ୍ରତ୍ୟାଶିତ ହ୍ରାସ କାରଣରୁ ରିଜର୍ଭ ବ୍ୟାଙ୍କ ସଂପୂର୍ଣ୍ଣ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧିକୁ କମାଇଥିଲା। ଭାରତର ଅର୍ଥନୈତିକ ଅଭିବୃଦ୍ଧି ୭.୨ ପ୍ରତିଶତ ରହିବ ବୋଲି ରିଜର୍ଭ ବ୍ୟାଙ୍କ ପୂର୍ବରୁ ଆକଳନ କରିଥିବାବେଳେ ପରେ ଏହାକୁ ୬.୬ ପ୍ରତିଶତକୁ କମାଇ ଦେଇଛି।

କେନ୍ଦ୍ର ସରକାର ୨୦୨୫-୨୬ ଆର୍ଥିକବର୍ଷ ପାଇଁ ଆସନ୍ତାମାସରେ ବଜେଟ୍ ଉପସ୍ଥାପନ କରିବେ। ଏହା ପୂର୍ବରୁ ଆଜି ପ୍ରକାଶ ପାଇଥିବା ଜିଡିପି ଅଭିବୃଦ୍ଧିର ପ୍ରଥମ ଅଗ୍ରିମ ଆକଳନ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଆଗାମୀ ଦିନରେ ଅର୍ଥନୀତି କିଭଳି ଅଧିକ ଗତିଶୀଳ ହୋଇ ଆଗକୁ ବଢ଼ିବ ସେଥିପାଇଁ ଅର୍ଥମନ୍ତ୍ରୀ ବଜେଟ୍ରେ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି।
ଦେଶର ବାସ୍ତବ ଜିଡିପି ବା ସ୍ଥିର ମୂଲ୍ୟରେ ଜିଡିପି ୨୦୨୪-୨୫ ଆର୍ଥିକବର୍ଷରେ ୧୮୪.୮୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ। ୨୦୨୩-୨୪ର ବାସ୍ତବ ଜିଡିପି ୧୭୩.୮୨ ଲକ୍ଷ କୋଟି ଟଙ୍କା ରହିଥିଲା ବୋଲି କୁହାଯାଇଛି। କିନ୍ତୁ ବର୍ତ୍ତମାନ ମୂଲ୍ୟରେ ଜିଡିପି ବା ନମିନାଲ ଜିଡିପି ୨୦୨୪-୨୫ ଆର୍ଥିକବର୍ଷରେ ୩୨୪.୧୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବା ନେଇ ଆଶାବ୍ୟକ୍ତ କରାଯାଇଛି। ୨୦୨୩-୨୪ରେ ଏହା ୨୯୫.୩୬ ଲକ୍ଷ କୋଟି ଟଙ୍କା ରହିଥିଲା।












Click it and Unblock the Notifications