E20 ପେଟ୍ରୋଲରେ କମୁଛି ମାଇଲେଜ. ଜାଣନ୍ତୁ ବିଶେଷଜ୍ଞଙ୍କ ଦ୍ୱାରା କୁହାଯାଇଥିବା ଗୁରୁତ୍ୱପୂର୍ଣ୍ଣ କଥା
ଇଥାନଲ୍ ମିଶାଯାଉଥିବା ପେଟ୍ରୋଲ୍ ଗାଡ଼ିର ମାଇଲେଜ୍ ହ୍ରାସ କରୁଥିବା ଦାବି କରାଯାଉଛି। ଅଟୋମୋବାଇଲ୍ ଶିଳ୍ପର ବିଶେଷଜ୍ଞ କହିଛନ୍ତି ଯେ 'ଇ୨୦' (୨୦% ଇଥାନଲ ମିଶିଥିବା ପେଟ୍ରୋଲ୍) ପକାଇଲେ ଗାଡ଼ିର ମାଇଲେଜ୍ ୨-୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଉଛି। ବିଶେଷ କରି ପୁରୁଣା ଗାଡ଼ିଗୁଡ଼ିକୁ ତାହା ଅଧିକ ପ୍ରଭାବିତ କରିବା ଆଶଙ୍କା ରହିଛି।

ସେହି ଗାଡ଼ିଗୁଡ଼ିକର ଗ୍ୟାସ୍କେଟ୍, ଇନ୍ଧନ ରବର ହୋସ୍ ଓ ପାଇପ୍କୁ ତାହା ନଷ୍ଟ କରିବା ଆଶଙ୍କା ରହିଛି। ପେଟ୍ରୋଲ୍ ତୁଳନାରେ ଇଥାନଲ୍ର କ୍ୟାଲୋରିଫିକ୍ ଭ୍ୟାଲୁ କମ୍ ରହୁଥିବାରୁ ତାହା ଗାଡ଼ିର ଯନ୍ତ୍ରାଂଶକୁ କ୍ଷତି ପହଞ୍ଚାଉଛି। 'ଇ୨୦' ପେଟ୍ରୋଲ୍ରେ ମାଇଲେଜ୍ କମ୍ ରହୁଥିବା ନେଇ ସୋସିଆଲ୍ ମିଡିଆରେ ବ୍ୟାପକ ଚର୍ଚ୍ଚା ହେଉଥିବା ବେଳେ ଚଳିତ ମାସରେ ତୈଳ ମନ୍ତ୍ରଣାଳୟ ପକ୍ଷରୁ ତାହା ଉପରେ ସ୍ପଷ୍ଟୀକରଣ ଦିଆଯାଇଥିଲା। ଯଦିଓ ମାଇଲେଜ୍କୁ ତାହା ସାମାନ୍ୟ ପ୍ରଭାବିତ କରୁଥିବା ମନ୍ତ୍ରଣାଳୟ ସ୍ବୀକାର କରିଥିଲା, କିନ୍ତୁ କେତେ ଶତାଂଶ କମ୍ ହେଉଛି ତାହା ଜଣାଇନଥିଲା।
'ଇ୨୦'କୁ ନେଇ ମିଥ୍ୟା ପ୍ରଚାର କରୁଥିବା ପେଟ୍ରୋଲ ଲବିକୁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀଗତ ଶୁକ୍ରବାର କଡ଼ା ସମାଲୋଚନା କରିଥିଲେ। ଇ୨୦ ଇନ୍ଧନ ଗାଡ଼ିର ଇଞ୍ଜିନକୁ କ୍ଷତି ପହଞ୍ଚାଉଥିବା ନେଇ ହେଉଥିବା ଦାବିକୁ ସେ ଖଣ୍ଡନ କରିଥିଲେ। ସେ କହିଥିଲେ, ଆମେ ପୁରୁଣା ଗାଡ଼ିରେ ପରୀକ୍ଷଣ କରିଛୁ। ବ୍ରାଜିଲରେ ୨୭% ଇଥାନଲ୍ ମିଶୁଛି। ସେଠାରେ କିଛି ଅଭିଯୋଗ ନାହିଁ। ବୈଷୟିକ ଦୃଷ୍ଟିରୁ ଆମେ ସବୁ ପ୍ରକାର ପରୀକ୍ଷଣ କରିଛୁ ବୋଲି ଗଡ଼କରୀ କହିଥିଲେ।












Click it and Unblock the Notifications