୩୦ ଡଲାରକୁ ଖସିବ ଅଶୋଧିତ ତୈଳ; ଜେପି ମର୍ଗାନ
୨୦୨୭ ମଧ୍ୟ ଭାଗ ସୁଦ୍ଧା ଅଶୋଧିତ ତୈଳର ବ୍ୟାରେଲ୍ ପିଛା ମୂଲ୍ୟ ୩୦ ଡଲାର ପର୍ଯ୍ୟନ୍ତ ହ୍ରାସ ପାଇବାକୁ ଯାଉଛି। ବିଶ୍ବସ୍ତରୀୟ ଇନଭେଷ୍ଟ୍ମେଣ୍ଟ୍ ବ୍ୟାଙ୍କ ଜେପି ମର୍ଗାନ ଏଭଳି ଆକଳନ କରିଛି। ଏହା କହିଛି ଯେ ତେଲର ଚାହିଦା ଯେତିକି ନଥିବ, ତା'ଠାରୁ ଯଥେଷ୍ଟ ଅଧିକ ଯୋଗାଣ ହେବ। ଫଳରେ ଅତିକମ୍ ଦାମ୍ରେ ସେହି ତେଲ ବିକ୍ରି ହେବ। ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ତୈଳ ଚାହିଦା ପ୍ରାୟ ସ୍ଥିର ରହିବ। ୨୦୨୫ ଓ ୨୦୨୬ରେ ଚାହିଦାଠାରୁ ଯୋଗାଣ ତିନିଗୁଣା ଅଧିକ ରହିବ। ୨୦୨୭ ବେଳକୁ ଯୋଗାଣ କମିବ।

ଯେହେତୁ ତେଲ ଉତ୍ପାଦନ କରୁଥିବା ଦେଶଗୁଡ଼ିକ ଦରଦାମ୍କୁ ନେଇ ଅତ୍ୟନ୍ତ ସମ୍ବେଦନଶୀଳ, ତେଣୁ ସେମାନେ ନିଜ ବଜାର ଅଂଶ ବଜାୟ ରଖିବା ଲାଗି ଯେକୌଣସି ଦାମ୍ରେ ତାହାକୁ ବିକ୍ରି କରିବାକୁ ସେମାନେ ପଛାଇବେ ନାହିଁ। ବଜାରକୁ ବିପୁଳ ପରିମାଣର ଖଣିଜ ତୈଳ ଆସୁଛି ଯାହା ଓପେକ୍ ରାଷ୍ଟ୍ର ଓ ଅନ୍ୟମାନେ ଉତ୍ପାଦନ କରୁଛନ୍ତି। ଏହା ବ୍ୟତୀତ ଆମେରିକାରେ ସେଲ୍ ତୈଳର ଉତ୍ପାଦନ ବଢ଼ୁଛି। ଏଥି ସହିତ ଆର୍ଜେଣ୍ଟିନାର ଭାକା ମୁଏର୍ତା ତୈଳ ମଧ୍ୟ ଏକ ଉତ୍ତମ ବିକଳ୍ପ ଭାବେ ଉଭା ହେଉଛି।
ଏହି ସବୁ ତୈଳ ବଜାରରେ ଉପଲବ୍ଧ ହେଲେ ତୈଳର ବ୍ୟାରେଲ୍ ପିଛା ଦାମ୍ ୨୦୨୬ ବେଳକୁ ୫୦ ଡଲାର ପର୍ଯ୍ୟନ୍ତ ଓ ୨୦୨୭ ସୁଦ୍ଧା ୩୦ ଡଲାର ପର୍ଯ୍ୟନ୍ତ କମିଯିବ। ତୈଳ ବଜାର ପାଇଁ ଆଉ ଏକ ବଡ଼ ସମସ୍ୟା ହେଉଛି ଗଚ୍ଛିତ ରହୁଥିବା ତେଲ। ସମୁଦ୍ର ପଥରେ ଜାହାଜରେ ଭର୍ତ୍ତି ବିପୁଳ ପରିମାଣର ତେଲ ରହିଥିବା ବେଳେ ଚୀନ୍ ମଧ୍ୟ ବହୁ ପରିମାଣର ଷ୍ଟକ୍ ରଖୁଛି। ଜେପି ମର୍ଗାନ ଆକଳନ କରିଛି ଯେ ବିପୁଳ ପରିମାଣର ତୈଳ ବଜାରରେ ଉପଲବ୍ଧ ହେବା ପରେ ବିଶ୍ବର ଲୋକପ୍ରିୟ ଅଶୋଧିତ ତୈଳ ବ୍ରେଣ୍ଟ୍ କ୍ରୁଡ୍ର ବ୍ୟାରେଲ୍ ପିଛା ଦାମ୍ ୨୦୨୬ ବେଳକୁ ୬୦ ଡଲାର ତଳକୁ ଖସିଯିବ।












Click it and Unblock the Notifications