ଆମେରିକା ଲାଗୁ କଲାଚୀନ୍ ଉତ୍ପାଦ ଉପରେ ୧୨୫% ଶୁଳ୍କ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ବିଭିନ୍ନ ଦେଶ ଉପରେ ଲଗାଇଥିବା ପାଲଟା ଶୁଳ୍କକୁ ୯୦ ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ସେ ଭାରତ ଉପରେ ୨୬ ପ୍ରତିଶତ ଶୁଳ୍କ ଲଗାଇଥିଲେ। ବୁଧବାରଠାରୁ ତାହା ଲାଗୁ ହେବାର ଥିଲା। ବିଶ୍ବର ୭୫ରୁ ଅଧିକ ଦେଶ ଆମେରିକା ସହ ବାଣିଜ୍ୟ ଆଲୋଚନା କରିବାକୁ ଆଗ୍ରହ ଦେଖାଇଥିବାରୁ ପାଲଟା ଶୁଳ୍କକୁ କିଛି ଦିନ ପାଇଁ ଟାଳି ଦିଆଯାଇଛି।
ତେବେ ଏହି ସମୟ ଭିତରେ ସର୍ବନିମ୍ନ ଶୁଳ୍କ ୧୦ ପ୍ରତିଶତ ରହିବ। ତାହା ତତ୍କାଳ ଲାଗୁ କରାଯାଇଥିବା ଟ୍ରମ୍ପ କହିଛନ୍ତି। ତେବେ ଚୀନ୍ ଉପରେ ଆମେରିକା ଶୁଳ୍କକୁ ୧୨୫ ପ୍ରତିଶତକୁ ବୃଦ୍ଧି କରିଛି। ବିଶ୍ବ ବଜାର ପ୍ରତି ଚୀନ୍ ସମ୍ମାନ ଦେଖାଉ ନ ଥିବା ଦର୍ଶାଇ ଆମେରିକା ଏହା ବିରୋଧରେ ଶୁଳ୍ପ ଆହୁରି ବଢ଼ାଇ ଚୀନ୍ ଉପରେ ଅତିରିକ୍ତ ଚାପ ସୃଷ୍ଟି କରିବାକୁ ଉଦ୍ୟମ କରିଛି। ନିଜ ସୋସିଆଲ୍ ମିଡିଆ 'ଟ୍ରୁଥ୍' ଜରିଆରେ ଟ୍ରମ୍ପ ଏହି ସୂଚନା ଦେଇଛନ୍ତି।

ଆମେରିକା ବାଣିଜ୍ୟ ସଚିବ ହାୱାର୍ଡ ଲୁଟ୍କିନ୍ ଜଣାଇଛନ୍ତି ଯେ ବିଶ୍ବ ବାଣିଜ୍ୟରେ ସୁଧାର ଆଣିବା ଲାଗି ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ସାରା ବିଶ୍ବ କାର୍ଯ୍ୟ କରିବାକୁ ଆଗେଇ ଆସିଛନ୍ତି। କିନ୍ତୁ ଚୀନ୍ ବିପରୀତ ପଥ ଚୟନ କରିଛି। କିଛି ଦିନ ପରେ ଚୀନ୍ ବୁଝିଯିବ ଯେ ଆମେରିକା କିମ୍ବା ଅନ୍ୟ ଦେଶକୁ କ୍ଷତି ପହଞ୍ଚାଇବା ଗ୍ରହଣୀୟ ହେବନାହିଁ। ବୁଧବାର ଚୀନ୍ ଉପରେ ଆମେରିକା ଏହାର ଶୁଳ୍କକୁ ୧୦୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବା ପରେ ଆମେରିକା ଉପରେ ଚୀନ୍ ଶୁଳ୍କକୁ ୮୪ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇଥିଲା।
ଶେଷରେ ଚୀନ୍ ଉପରେ ଆମେରିକାର ଶୁଳ୍କ ୧୨୫ ପ୍ରତିଶତକୁ ବୃଦ୍ଧି କରାଯାଇଥିବାରୁ ଆଗାମୀ ଦିନରେ ଚୀନ୍ର ଆଭିମୁଖ୍ୟ କ'ଣ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଅନ୍ୟ ଏକ ଘଟଣାକ୍ରମରେ ଫାର୍ମସ୍ୟୁଟିକାଲ୍ ଉପରେ ଶୁଳ୍କ ଲଗାଇବାକୁ ଆମେରିକା ଯୋଜନା କରୁଥିବା ଟ୍ରମ୍ପ ଘୋଷଣା କରିଛନ୍ତି। ଏହି ଶୁଳ୍କ ଭାରତକୁ ଗୁରୁତର ଭାବେ ପ୍ରଭାବିତ କରିବା ଆଶଙ୍କା ରହିଛି। ଭାରତୀୟ ଫାର୍ମା ଶିଳ୍ପ ଆମେରିକୀୟ ବଜାର ଉପରେ ଅତ୍ୟଧିକ ନିର୍ଭରଶୀଳ ରହିଛି। ୨୦୨୩-୨୪ରେ ଭାରତର ଫାର୍ମା ରପ୍ତାନି ୨୭୯୦ କୋଟି ଡଲାର ଥିଲା। ତାହାର ୩୧ ପ୍ରତିଶତ ରପ୍ତାନି କେବଳ ଆମେରିକାକୁ କରାଯାଇଥିଲା।












Click it and Unblock the Notifications