ଏହି ଦିନ ହେବ ମୁହୂର୍ତ୍ତ ଟ୍ରେଡିଂ, ଏହି ସମୟରେ ଖୋଲିବ ଶେୟାର ବଜାର
ମୁମ୍ବାଇ : ପ୍ରତିବର୍ଷ ଭାରତୀୟ ସେୟାର ମାର୍କେଟରେ ମୁହୂର୍ତ୍ତ ଟ୍ରେଡିଂ ଅଧିବେଶନର ଆୟୋଜନ ହୋଇଥାଏ। ମାତ୍ର ୧ ଘଣ୍ଟାର ଏହି ଅଧିବେଶନ କାଳରେ ନିବେଶକ ବହୁଳ ଟ୍ରେଡିଂ କରନ୍ତି, ଏହି ଅବଧିରେ କରାଯାଇଥିବା ଟ୍ରେଡିଂର ନିଜର ଏକ ମହତ୍ୱ ରହିଛି। ଚଳିତବର୍ଷ ଦୀପାବଳିରେ ମଧ୍ୟ ମୁହୂର୍ତ୍ତ ଟ୍ରେଡିଂ ହେବ। ଦେଶର ସବୁଠୁ ବଡ଼ ଷ୍ଟକ୍ ଏକ୍ସଚେଞ୍ଜ ଦୀପାବଳିର ଏହି ଶୁଭ ମୁହୂର୍ତ୍ତ ଘୋଷଣା କରିଛନ୍ତି। ଚଳିତବର୍ଷ ଦୀପାବଳି ମୁହୂର୍ତ୍ତ ଟ୍ରେଡିଂ ଅଧିବେଶନ ୧ ନଭେମ୍ବର ଶୁକ୍ରବାର ସନ୍ଧ୍ୟା ୬ଟାରୁ ୭ଟା ପର୍ଯ୍ୟନ୍ତ ଆୟୋଜିତ ହେବ।
ଏହି ମୁହୂର୍ତ୍ତ ଟ୍ରେଡିଂ ସହିତ ହିନ୍ଦୁ କ୍ୟାଲେଣ୍ଡରର ନୂଆବର୍ଷ ସମ୍ବତ ୨୦୮୧ର ପ୍ରାରମ୍ଭ ହେବ। ଦୀପାବଳି ଦିନ ନିୟମିତ ଟ୍ରେଡିଂ ବନ୍ଦ ରହିବ। ତେବେ ସନ୍ଧ୍ୟାରେ ଏହି ଘଣ୍ଟିକିଆ ଟ୍ରେଡିଂ ଅଧିବେଶନ ଖୋଲାଯିବ।ମୂହୂର୍ତ୍ତ ଟ୍ରେଡିଂ ପରମ୍ପରା ଜ୍ୟୋତିଷୀୟ ଆଧାରରେ କରାଯାଇଛି, ଯେତେବେଳେ ଗ୍ରହଙ୍କ ସ୍ଥିତି ବ୍ୟବସାୟ ଅନୁକୂଳ କରିବା ପାଇଁ ଶୁଭ ଥାଏ ସେତେବେଳେ ଟ୍ରେଡିଂ କରାଯାଏ।

ଏହି ଅଧିବେଶନ କାଳରେ ନିବେଶକ ଦୀପର ଆଲୋକ ଓ ରଙ୍ଗୀନ ଝୋଟିରେ ସେମାନଙ୍କ ନିବେଶ ଆରମ୍ଭ କରନ୍ତି। ଏହାକୁ ସମୃଦ୍ଧି ଓ ସଫଳତାର ପ୍ରତୀକ ମନେ କରାଯାଏ। ଇତିହାସ ଦେଖିଲେ ମୁହୂର୍ତ୍ତ ଟ୍ରେଡିଂରେ କରାଯାଇଥିବା ନିବେଶ ପ୍ରାୟତଃ ନିବେଶକଙ୍କୁ ଭଲ ରିଟର୍ଣ୍ଣ ଦେଇଛି। ଗତ ୧୭ଟି ଅଧିବେଶନରୁ ୧୩ଟିରେ ବିଏସଇ ସେନସେକ୍ସ ସକରାତ୍ମକ ନୋଟ୍ରେ ବନ୍ଦ ହୋଇଛି। ତେବେ ଏହା ଏକ ଘଣ୍ଟିକିଆ ଟ୍ରେଡିଂ ହୋଇଥିବାରୁ ଟ୍ରେଡିଂର ଭଲ୍ୟୁମ କମ ହୋଇଥାଏ, ଏହା ସତ୍ତ୍ୱେ ମଧ୍ୟ ନିବେଶକ ଲାଭ ଅର୍ଜନ କରନ୍ତି।
ସେୟାର ବଜାରରେ ମୁହୂର୍ତ୍ତ ଟ୍ରେଡିଂ ହେଉଛି ଏକ ପ୍ରତୀକାତ୍ମକ ଏବଂ ପୁରାତନ ପରମ୍ପରା ଯାହା ବାଣିଜ୍ୟ ସମ୍ପ୍ରଦାୟ ଦ୍ୱାରା ପରିଚାଳିତ ହୋଇଆସୁଛି ଏବଂ ଏହାକୁ ପ୍ରତିବର୍ଷ ପାଳନ କରାଯାଏ । ବିଶ୍ୱାସ କରାଯାଏ ଯେ ମୁହୂର୍ତ୍ତ ସମୟରେ କାରବାର କରିବା ଶୁଭ ଅଟେ ଏବଂ ଆର୍ଥିକ ସମୃଦ୍ଧତା ଆଣିଥାଏ । ବଜାର ବିଶେଷଜ୍ଞଙ୍କ ମୁତାବକ, କିଛି ନୂଆ ଆରମ୍ଭ କରିବା ପାଇଁ ଦୀପାବଳି ସବିଠାରୁ ଶୁଭ ସମୟ । ଏହି ସମୟରେ କାରବାର କରିବା ଦ୍ବାରା ବର୍ଷସାରା ନିବେଶକମାନେ ଲାଭ ପାଇଥାନ୍ତି ।
ଏସିଆର ସବୁଠାରୁ ବଡ଼ ଷ୍ଟକ ଏକ୍ସଚେଞ୍ଜ, ବମ୍ବେ ଷ୍ଟକ ଏକ୍ସଚେଞ୍ଜ ( ବିଏସଇ) 1957 ମସିହା ଠାରୁ ଦୀପାବଳି ମୁହୁର୍ତ୍ତ ଟ୍ରେଡିଂ ଆୟୋଜିତ କରୁଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) 1992 ମସିହାରୁ ଏହି ପରମ୍ପରା ଆରମ୍ଭ କରିଛି ।












Click it and Unblock the Notifications