ଅକ୍ଷୟ ତୃତୀୟା: ଦିନକରେ ଦିଲ୍ଲୀରେ ବିକ୍ରି ହେଲା ୨୫୦ କୋଟି ଟଙ୍କାର ସୁନା
ନୂଆଦିଲ୍ଲୀ: ପବିତ୍ର ଅକ୍ଷୟ ତୃତୀୟାରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ଅଖଣ୍ଡ ବିଶ୍ୱାସ ରହିଥାଏ । ତେଣୁ ଆଜି ଅକ୍ଷୟ ତୃତୀୟା ଅବସରରେ ଗହଣା ଦୋକାନରେ ଖଚାଖଚ୍ ଭିଡ଼ ଦେଖିବାକୁ ମିଳିଛି ।
ତେବେ ରାଜଧାନୀ ଦିଲ୍ଲୀରେ ଅନୁମାନ କରାଯାଉଛି ଏହି ଗୋଟିଏ ଦିନରେ ପାଖାପାଖି ୨୫୦ କୋଟି ଟଙ୍କାର ସ୍ୱର୍ଣ୍ଣାଳଙ୍କାର କାରବାର ହୋଇଛି । ତେବେ ଗତବର୍ଷ ଠାରୁ ଏହା କମ୍ କାରବାର ବୋଲି ବ୍ୟବସାୟୀମାନେ କହିଛନ୍ତି ।

ଗତବର୍ଷ ତୁଳନାରେ ଚଳିଚବର୍ଷ ସୁନା ମୂଲ୍ୟରେ ପ୍ରାୟ ୧୦ ହଜାର ଟଙ୍କା ବୃଦ୍ଧି ହୋଇଛି । ଗତବର୍ଷ ଅକ୍ଷୟ ତୃତୀୟା ବେଳେ ପ୍ରତି ୧୦ ଗ୍ରାମ ୨୪ କ୍ୟାରେଟ ଗୋଲ୍ଡର ମୂଲ୍ୟ ୫୧ ହଜାର ପାଖାପାଖି ଥିଲା। ତେବେ ଚଳିତବର୍ଷ ଏହି ଦର ୬୨ ହଜାରକୁ ପହଞ୍ଚି ଯାଇଛି । ଏଣୁ କାରବାର ଉପରେ ପ୍ରଭାବ ପଡିବା ସ୍ୱଭାବିକ ବୋଲି ବ୍ୟବସାୟୀ କହିଛନ୍ତି ।
ଦିଲ୍ଲୀରେ ପାଖାପାଖି ୧୦ ହଜାର ଜ୍ୱେଲରୀ, ସୁନା ହୋଲସେଲ ଓ ଖୁଚୁରା ଦୋକାନ ରହିଛି । ଏଥିରେ ଚାନ୍ଦିନୀ ଚୌକର କୁଚା ମହାଜନୀ ସ୍ୱର୍ଣ୍ଣଳଙ୍କାରର ସବୁଠୁ ବଡ଼ ବଜାର। ଏହା ପଛକୁ ଲାଜପତ ନଗର, କରୋଲ ବାଗ ଓ ଅନ୍ୟ ବଜାର ମଧ୍ୟ ରହିଛି। ଗୁରୁଗ୍ରାମ ସ୍ୱର୍ଣ୍ଣଳଙ୍କାର ବଜାରରେ ମଧ୍ୟ ପାଖାପାଖି ୧୦୦ କୋଟି ଟଙ୍କାର ସ୍ୱର୍ଣ୍ଣଳଙ୍କାର ବିକ୍ରିର ଅନୁମାନ କରାଯାଉଛି । ଗୁରୁଗ୍ରାମ ପରି ଫରିଦାବାଦରେ ମଧ୍ୟ ସମାନ ଆକଳନ କରାଯାଉଛି ।
ସେପଟେ ଆଜି ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଗହଣା ଦୋକାନ ମାନଙ୍କରେ ଦିନ ତମାମ ଲାଗିଛି ଗ୍ରାହକଙ୍କ ଗହଳି । ବିଶେଷ କରି ମହିଳାମାନେ ଭଳି କି ଭଳି ଡିଜାଇନର ଗହଣା ଦେଖି ଖୁସି ହୋଇଛନ୍ତି । ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍ ସୁନା ୧୦ଗ୍ରାମ ପିଛା ୫୫ ହଜାର ୭୦ ଟଙ୍କା ଦର ଥିବାବେଳେ ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ପିଛା ୬୧ ହଜାର ୪୧ଟଙ୍କା ରହିଛି ।












Click it and Unblock the Notifications